ନୂଆଦିଲ୍ଲୀ: ଦୁର୍ଗାପୂଜା ପୂର୍ବରୁ ଆମ ବୋନସ ଦିଅ।ଏଭଳି ଦାବି କରି ସରକାରଙ୍କକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାରୀ କର୍ମଚାରୀ ସଂଘ। ଦୁର୍ଗାପୂଜା ପୂର୍ବରୁ ୨୦୨୫-୨୬ ବର୍ଷର ପ୍ରଡକ୍ଟିଭିଟି ଲିଙ୍କ୍ଡ ବୋନସ୍ (PLB) ଜାରି କରିବାକୁ କର୍ମଚାରୀ ସଂଘଗୁଡ଼ିକ ଦାବି ଉଠାଇଛନ୍ତି। ଏଥିସହ ବୋନସ୍ ହିସାବ କରିବାର ସୀମାକୁ ବର୍ତ୍ତମାନର ₹୭,୦୦୦ରୁ ବୃଦ୍ଧି କରି ₹୨୧,୦୦୦ କରିବାକୁ ମଧ୍ୟ ଦାବି କରାଯାଇଛି।

ଚଳିତ ବର୍ଷ ଅକ୍ଟୋବର ୧୭ରୁ ଦୁର୍ଗାପୂଜା ଆରମ୍ଭ ହେଉଛି। ଏହା ପୂର୍ବରୁ ବୋନସ୍ ଦେବାକୁ ଜଏଣ୍ଟ କାଉନସିଲ୍ ଅଫ୍ ପୋଷ୍ଟାଲ୍ ଏମ୍ପ୍ଲୟିଜ୍ (JCPE) ଦାବି କରିଛି। ସଂଘ ପକ୍ଷରୁ ସେପ୍ଟେମ୍ବର ୨୬ରେ ଡାକ ବିଭାଗର ସଚିବଙ୍କୁ ଚିଠି ଲେଖାଯାଇ ୧୭ ଅକ୍ଟୋବର ପୂର୍ବରୁ ଯୋଗ୍ୟ କର୍ମଚାରୀଙ୍କୁ ୨୦୨୫-୨୬ର PLB ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।

Also Read- ନୂଆ ରୋଜଗାର ଯୋଜନାରେ କାମ ଚାହିଦା ବଢ଼ିଲା

ଚିଠିରେ କର୍ମଚାରୀ ସଂଘଗୁଡ଼ିକ କହିଛନ୍ତି ଯେ ଦୁର୍ଗାପୂଜା ଓ ଦଶହରା ସମୟରେ କର୍ମଚାରୀ ଏବଂ ସେମାନଙ୍କ ପରିବାରର ଅତିରିକ୍ତ ଖର୍ଚ୍ଚ ବଢ଼ିଯାଏ। ତେଣୁ ପୂଜା ପୂର୍ବରୁ ବୋନସ୍ ମିଳିଲେ କର୍ମଚାରୀମାନଙ୍କୁ ଆର୍ଥିକ ଭାବେ ସହାୟତା ମିଳିବ। ତେବେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ପୂଜା ପୂର୍ବରୁ ବୋନସ୍ ଦେବା ନେଇ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି।

₹୭ ହଜାରରୁ ₹୨୧ ହଜାର ହେଉ ବୋନସ୍ ସୀମା

ବୋନସ୍ ହିସାବର ସୀମା ବୃଦ୍ଧି କରିବା ମଧ୍ୟ କର୍ମଚାରୀ ସଂଘଗୁଡ଼ିକର ଏକ ପ୍ରମୁଖ ଦାବି ରହିଛି। ନ୍ୟାସନାଲ କାଉନସିଲ୍-ଜଏଣ୍ଟ କନସଲଟେଟିଭ୍ ମେସିନାରୀ (NC-JCM) ର ଷ୍ଟାଫ୍ ସାଇଡ୍ ପକ୍ଷରୁ ଏହି ସୀମାକୁ ₹୭,୦୦୦ରୁ ₹୨୧,୦୦୦ କରିବାକୁ ଦାବି କରାଯାଇଛି। ଏନେଇ ଅଗଷ୍ଟ ୨୭ରେ କ୍ୟାବିନେଟ୍ ସଚିବଙ୍କୁ ଚିଠି ଲେଖିଥିଲେ ସଂଘର ସଚିବ ଶିବ ଗୋପାଳ ମିଶ୍ର।

ଅଗଷ୍ଟ ୨୫ରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନୋଟିଫିକେସନ୍ରେ ₹୨୧,୦୦୦ରୁ ଅଧିକ ମାସିକ ବେତନ ପାଉଥିବା କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ବୋନସ୍ ବ୍ୟବସ୍ଥାରୁ ବାହାରେ ରଖାଯାଇଥିବା କୁହାଯାଇଛି। ଏଥିରେ ବୋନସ୍ ହିସାବ ପାଇଁ ₹୭,୦୦୦ କିମ୍ବା ନ୍ୟୁନତମ ମଜୁରି ଯେଉଁଟି ଅଧିକ, ତାହାକୁ ଆଧାର କରାଯିବାର ବ୍ୟବସ୍ଥା ରହିଛି। କର୍ମଚାରୀ ସଂଘଗୁଡ଼ିକ ଏହି ସୀମାକୁ ₹୨୧,୦୦୦କୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି।

ଅଷ୍ଟମ ବେତନ କମିଶନରେ ବଦଳିବ କି ବୋନସ୍ ନିୟମ?

କର୍ମଚାରୀ ସଂଘଗୁଡ଼ିକର ଦାବି କେବଳ ଚଳିତ ବର୍ଷର ବୋନସ୍ରେ ସୀମିତ ନାହିଁ।ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନରେ ବର୍ତ୍ତମାନର ବୋନସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଦାବି ହେଉଛି। ଫେଡେରେସନ୍ ଅଫ୍ ନ୍ୟାସନାଲ ପୋଷ୍ଟାଲ୍ ଅର୍ଗାନାଇଜେସନ୍ (FNPO) ସମେତ ବିଭିନ୍ନ ସଂଘ ବୋନସ୍କୁ ପ୍ରକୃତ ବେତନ ଗଠନ ସହ ଯୋଡ଼ିବା ପାଇଁ ପ୍ରସ୍ତାବ ଦେଇଛନ୍ତି।

କେତେକ କର୍ମଚାରୀ ସଂଘ ବୋନସ୍ ହିସାବକୁ କେବଳ ₹୭,୦୦୦ରୁ ₹୨୧,୦୦୦ କରିବାରେ ସୀମିତ ରଖିବାକୁ ଚାହୁଁନାହାନ୍ତି। ସେମାନେ ପ୍ରକୃତ ମୂଳ ବେତନ ଏବଂ ମହଙ୍ଗା ଭତ୍ତା (DA) ଆଧାରରେ ବୋନସ୍ ହିସାବ କରିବାକୁ ଦାବି କରୁଛନ୍ତି।

ସର୍ଭେ ଅଫ୍ ଇଣ୍ଡିଆ ମିନିଷ୍ଟେରିଆଲ୍ ଷ୍ଟାଫ୍ ଆସୋସିଏସନ୍ ମଧ୍ୟ ଅଷ୍ଟମ ବେତନ କମିଶନଙ୍କ ନିକଟରେ ଏହି ଦାବି ରଖିଛି। ଉତ୍ପାଦନକ୍ଷମତା ଆଧାରିତ ବୋନସ୍ ଓ ଆଡ୍ହକ୍ ବୋନସ୍କୁ ପ୍ରକୃତ ମୂଳ ବେତନ ଏବଂ ଡିଏ ଆଧାରରେ ହିସାବ କରିବାକୁ ସଂଘ ପ୍ରସ୍ତାବ ଦେଇଛି।

ରେଳ କର୍ମଚାରୀଙ୍କ ସଂଗଠନଗୁଡ଼ିକ ମଧ୍ୟ ବୋନସ୍ ବ୍ୟବସ୍ଥାରେ ସଂଶୋଧନ ଦାବି କରିଛନ୍ତି। ରେଲୱେ ସିନିୟର ସିଟିଜେନ୍ସ ୱେଲଫେୟାର ସୋସାଇଟି ଅଷ୍ଟମ ବେତନ କମିଶନଙ୍କ ନିକଟରେ ବର୍ତ୍ତମାନର ବୋନସ୍ ବ୍ୟବସ୍ଥାର ସମୀକ୍ଷା ପାଇଁ ପ୍ରସ୍ତାବ ଦେଇଛି। ବଢ଼ୁଥିବା ଜୀବନଧାରଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ବୋନସ୍ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ତେବେ ୨୦୨୫-୨୬ ବର୍ଷ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବୋନସ୍ ରାଶି ନେଇ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଘୋଷଣା କରିନାହାନ୍ତି। ପୂଜା ପୂର୍ବରୁ ପିଏଲ୍ବି ମିଳିବ କି ନାହିଁ ଏବଂ ₹୭,୦୦୦ର ବର୍ତ୍ତମାନର ହିସାବ ସୀମାରେ ପରିବର୍ତ୍ତନ ହେବ କି ନାହିଁ ? ସେନେଇ ସରକାର କଣ ନିଷ୍ପତ୍ତି ନେବେ କର୍ମଚାରୀମାନଙ୍କ ନଜର ତା ଉପରେ ରହିଛି।