ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଯୋଜନାକୁ ନେଇ ଦେଶରେ ପୁଣି ଥରେ ରାଜନୈତିକ ଅଶାନ୍ତି ଦେଖା ଦେଇଛି। ଏହି ରାଜନୈତିକ ଉତ୍ତେଜନା ମଧ୍ୟରେ ହସିନାଙ୍କ ବିରୋଧୀଙ୍କ ସମ୍ପର୍କିତ ସଂସ୍ଥା ଉପରେ ଆକ୍ରମଣ ଓ ଅଗ୍ନିକାଣ୍ଡ ଭଳି ଘଟଣା ଦେଖିବାକୁ ମିଳୁଛି। ଏହି ହିଂସାରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନସଙ୍କ ସ୍ଥାପିତ ଗ୍ରାମୀଣ ବ୍ୟାଙ୍କ ଏବେ ଉପଦ୍ରବୀଙ୍କ ଟାର୍ଗେଟ୍ ପାଲଟିଛି। ଅଗଷ୍ଟ ୨୦୨୪ରେ ଶେଖ ହସିନା ଶାସନରୁ ହଟିବା ପରେ ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ହୋଇଥିଲେ। ନଭେମ୍ବର ୧୦ ତାରିଖଠାରୁ ଏ ପର୍ଯ୍ୟନ୍ତ ବ୍ୟାଙ୍କ ଶାଖା ଓ କାର୍ଯ୍ୟାଳୟମାନଙ୍କ ଉପରେ ଭଙ୍ଗାରୁଜା ଓ ଅଗ୍ନିକାଣ୍ଡର ୧୦୦ଟି ଘଟଣା ସାମ୍ନାକୁ ଆସିଲାଣି।

ବ୍ୟାଙ୍କର ଇଣ୍ଟରନାଲ ଅଡିଟ ଏବଂ କମ୍ପ୍ଲାଏନ୍ସ ଡିଭିଜନର ରିପୋର୍ଟ ଅନୁସାରେ ସାରା ଦେଶରେ ଘଟିଥିବା ଘଟଣାମାନଙ୍କର ବିବରଣୀ ଦିଆଯାଇଛି। ଏଥିରେ ତୁଙ୍ଗିପାଡାର ପଟଗାତି ଶାଖା ଉପରେ ହୋଇଥିବା ଆକ୍ରମଣ ଘଟଣା ମଧ୍ୟ ରହିଛି। ଏହା ଉପରେ ୧୦ ଓ ୧୫ ନଭେମ୍ବରରେ ୨ ଥର ଆକ୍ରମଣ ହୋଇଛି। ୨୩ ନଭେମ୍ବାର ପିଛିଲା ରିପୋର୍ଟରେ ଏପରି ୯୭ଟି ଘଣା ରିପୋର୍ଟ ହୋଇଥିଲା, ଏହା ଏବେ ବଢି ୧୦୦ ହୋଇଯାଇଛି। ଅଥିରେ ଆକ୍ରମଣ ଉଦ୍ୟମ ମଧ୍ୟ ସାମିଲ ରହିଛି, ଯେଉଁଥିରେ ବହୁତ କମ୍ ଅଥବା ଆଦୌ କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ରହିଛି।

ତେବେ ହେଉଥିବା ଏପରି ଆକ୍ରମଣ ଯୋଗୁ ବ୍ୟାଙ୍କ କାମରେ ବାଧା ଉପୁଜିବା ସହ ରେକର୍ଡ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଗୋପାଳ ଗଞ୍ଜର ଉଲପୁର ଶାଖାରେ ନଭେମ୍ବର ୧୫ ତାରିଖ ଦିନ ଆକ୍ରମଣକାରୀମାନେ ନିଆଁ ଲଗାଇ ଦେଇଥିଲେ। ଏଣୁ କଲେକ୍ସନ ସିଟ୍ ଜଳିଯାଇଥିବା ବେଳେ ଗୋଟିଏ ଟେବୁଲ ପୋଡି ଯାଇଛି। ବ୍ୟାଙ୍କ ରେକର୍ଡ ଅନୁସାରେ ଉପଦ୍ରବୀମାନେ ସିସିଟିଭି ଉପକରଣ ଭାଙ୍ଗିଦେବା ସହ ଏକ ହାର୍ଡ ଡିସ୍କ ନେଇଯାଇଛନ୍ତି। ତେବେ ବ୍ୟାଙ୍କ ଉପରେ ହେଉଥିବା ଲଗାତାର ଆକ୍ରମଣ ଘଟଣାରେ ବ୍ୟତିବସ୍ତ ମହମ୍ମଦ ୟୁନୁସ ଅନ୍ତର୍ଜାତୀୟ ସମୂଦାୟଙ୍କ ସହାୟତା ନିବେନ କରିଛନ୍ତି। ତଥ୍ୟ ଅନୁସାରେ ଏହି ବ୍ୟାଙ୍କରେ ପାଖାପାଖି ୨୧,୦୦୦ କର୍ମଚାରୀ କାମ କରୁଛନ୍ତି ଓ ୧.୧ କୋଟି ଲୋକେ ବ୍ୟାଙ୍କର ଗ୍ରାହକ ଅଛନ୍ତି। ଏଥିରେ ଅଧିକାଂଶ ଗ୍ରାମାଞ୍ଚଳର ମହିଳା ଖାତାଧାରୀ ଅଛନ୍ତି।

ବ୍ୟାଙ୍କର ୯୦% ଭାଗିଦାରୀ ଋଣ ନେଇଥିବା ସଦସ୍ୟଙ୍କର। ଏଣୁ ରେକର୍ଡ ପୋଡିଦିଆଯିବା ଓ ଶାଖା ବାନ୍ଦ ହେବା କାରଣରୁ ଲକ୍ଷଲକ୍ଷ ଗରିବ ପରିବାରଙ୍କ ସଞ୍ଚୟ ଓ ଋଣ ସୁରକ୍ଷା ଉପରେ ସଂକଟ ଦେଖା ଦେଇଛି। ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ୟୁନୁସଙ୍କ ପରିଚୟ ଏହି ବ୍ୟାଙ୍କ ସହ ଯୋଡି ହୋଇ ରହିଛି। ଏଣୁ ହସିନାଙ୍କ ସମର୍ଥକ ବ୍ୟାଙ୍କକୁ ଟାର୍ଗେଟ କରୁଛନ୍ତି। ଏଥିରେ ବାଂଲାଦେଶ ପୋଲିସ ମୁଖ୍ୟାଳୟ ସୂଚନା ଅନୁସାରେ ଏପରି ଆକ୍ରମଣ ସମ୍ପର୍କରେ ଏ ପର୍ଯ୍ୟନ୍ତ ୮ଟି ମାମଲା ରୁଜୁ ହୋଇଛି ଓ ୮ ଜଣ ଗିରଫ ହୋଇଛନ୍ତି। ମାନବାଧିକାର ସଙ୍ଗଠନମାନେ ଏହି ହିଂସାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଏପରି ଆକ୍ରମଣକୁ ସେମାନେ ଗ୍ରାମୀଣ ମହିଳାଙ୍କ ଆର୍ଥିକ ଅଧିକାର ଉପରେ ସିଧା ଆକ୍ରମଣ ବୋଲି କହିଛନ୍ତି।