ନୂଆଦିଲ୍ଲୀ,୧୫/୦୮:ସାରା ଭାରତ ପାଳନ କରୁଛି ୮୦ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ଲକ୍ଷ୍ୟକୁ ପ୍ରାପ୍ତ କରିବା ପରେ ହିଁ କୌଣସି ଦେଶ ମହାନ ଭାବେ ଗଣାହୁଏ । ଏହି ମହାନ ଦେଶ ନିଜ ସାମର୍ଥ୍ୟ, ସଂକଳ୍ପ ଏବଂ ସ୍ୱପ୍ନ ସାହାଯ୍ୟରେ ଆଗକୁ ବଢିଥାଏ । ଯାହା ଭାରତର ବିଚାରକୁ ପରିପ୍ରକାଶ କରୁଛି । ଏବେ ଭାରତ ଛୋଟ ସ୍ୱପ୍ନ ନେଇ ଆଗକୁ ବଢିବ ନାହିଁ । ବହୁତ ବଡ଼ ଭାବିବାକୁ ହେବ । ୨୦୪୭ ହିଁ ବିକଶିତ ଭାରତର ଲକ୍ଷ୍ୟ ହେବା ଉଚିତ । କିଛି ଦିନ ତଳେ ବିଭିନ୍ନ ଅଞ୍ଚଳରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା । ଏହା ଖୁବ୍ ଗୁଃଖଦାୟକ । ଏହାସହ ପୀଡିତ ପରିବାର ପ୍ରତି ସମବେଦନା ମଧ୍ୟ ମୋଦୀ ଜଣାଇଛନ୍ତି ।

Also Read :- Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା; ରିକ୍ଟର ସ୍କେଲରେ ତୀବ୍ରତା ୭.୭ ରେକର୍ଡ, ୨ ମୃତ, ସୁନାମୀ ଆଲର୍ଟ

ସେ ଆହୁରି କହିଛନ୍ତି ଯେ, ଗତ ୧୨ ବର୍ଷରେ ଦେଶରେ ପ୍ରତିରକ୍ଷା ଉତ୍ପାଦନ ୪ ଗୁଣ ବୃଦ୍ଧି ପାଇଛି । ଖଦି ଏବଂ ଗ୍ରାମୋଦ୍ୟୋଗର ଉତ୍ପାଦନ ୫ ଗୁଣ ବଢିଛି । ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୭ ଗୁଣ ଏବଂ ରେଳବାଇ କୋଚ୍ ନିର୍ମାଣ ୨୧ ଗୁଣ ବୃଦ୍ଧି ପାଇଛି । ସେହିପରି ମୋବାଇଲ ଫୋନ ଉତ୍ପାଦନ ୩୩ ଗୁଣ ବୃଦ୍ଧି ପାଇଛି । ଆଧୁନିକ ଯୁଗକୁ ନଜରରେ କି ଭାରତ ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ଉପରେ ଧ୍ୟାନ ଦେଉଛି । ଦେଶରେ ଇଣ୍ଟରନେଟ୍ ୟୁଜରଙ୍କ ସଂଖ୍ୟା ବଢିଛି । ଅନଲାଇନ୍ ଟ୍ରାଞ୍ଜାକ୍ସନରେ ୧୦୦ ଗୁଣ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଜେପି ସରକାର ଲୋକଙ୍କୁ ଗ୍ୟାସ୍ କନେକ୍ସନ ପ୍ରଦାନ କରିଛି । ଗରିବଙ୍କ ଘରେ ଶୌଚାଳୟ ନିର୍ମାଣ ହୋଇଛି, ଆବାସ ଯୋଜନାରେ ଘର ମିଳିଛି । ଏହାସହ ଶାସନତନ୍ତ୍ରରେ ମଧ୍ୟ ପରିବର୍ତ୍ତନ ହୋଇଛି । ଅନେକ ପୁରୁଣା ଆଇନର ଅନ୍ତ ଘଟିଛି । ନୂଆ ଆଇନ ଆସିଛି ।

ଆହୁରି ମଧ୍ୟ ପିଏମ୍ କହିଛନ୍ତି ଯେ, ସରକାର ଦେଶରେ ମେଟ୍ରୋର ବିସ୍ତାର କରିଛନ୍ତି । ଏହି ସବୁ ଉପଲବ୍ଧି ଗତ ଦଶନ୍ଧି ମଧ୍ୟରେ ଦେଖିବାକୁ ମିଳିଛି । ଏହି ଦ୍ରୁତ ଅଭିବୃଦ୍ଧି ଦେଶବାସୀଙ୍କ ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଏପରି ବିକାଶ ହେଲେ ୨୦୪୭ରେ ବିକଶିତ ଭାରତ ଗଠନକୁ କେହି ଅଟକାଇପାରିବେ ନାହିଁ । ଏହି ସବୁ ତଥ୍ୟ ଭାରତ ଆଗକୁ ବଢୁଥିବା ନେଇ ପ୍ରମାଣ ଦେଇଛି । ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ୱାଟ୍ ନ୍ୟୁକ୍ଲିଅର୍ ପାଓ୍ୱାର ପ୍ରତିଷ୍ଠା ନେଇ ଲକ୍ଷ୍ୟ ରହିଛି । ଦେଶ ସ୍ୱାଧୀନ ହେଲା ବେଳକୁ ସାରା ବିଶ୍ୱରେ ସେମି କଣ୍ଡକ୍ଟର ଚର୍ଚ୍ଚା ହେଉଥିଲା । କିନ୍ତୁ ଭାରତ ଏବେ ଏହାକୁ ଆଗକୁ ନେଉଛି । ସବୁ ଡିଜିଟାଲ ଡିଭାଇସ ପାଇଁ ଚିପ୍ ଜରୁରୀ ହୋଇ ପଡିଛି । ଭାରତ ଏବେ ଆତ୍ମ ନିର୍ଭର ହେବାକୁ ନିଜର ସେମି କଣ୍ଡକ୍ଟର ପ୍ଲାଣ୍ଟ୍ ବସାଇଛି । ତିନୋଟି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି । ୭-୮ ବର୍ଷରେ ଆହୁରି ପ୍ଲାଣ୍ଟ୍ ବସିବ । ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରତା କମ୍ କରୁଛି । ଭାରତ ଏବେ ଆତ୍ମନିର୍ଭର ହେଉଛି । ଦେଶରେ ଏବେ ୧ କୋଟି ଯୁବକଙ୍କୁ ଏଆଇର ସ୍କିଲ୍ ପ୍ରଦାନ କରାଯିବ । ଛାତ୍ରଙ୍କୁ ଅନଲାଇନ୍ କୋଚିଂ ଦିଆଯିବ । କିଛି ବ୍ୟକ୍ତି ଏସି କୋଠରୀରେ ରହି ଗ୍ଲୋବାଲାଇଜେସନ୍ କଥା କହୁଥିଲେ । ଗତ ଏକ ଦଶନ୍ଧିରେ ଏହି ବ୍ୟକ୍ତିମାନେ ଗ୍ଲୋବାଲାଇଜଜେସନ କଥା ଉଠାଉ ନାହାଁନ୍ତି । ଦେଶ ଏବେ ବିକଶିତ ହେବାକୁ ଲାଗିଛି । ଆଗକୁ କିଛି ବର୍ଷ ଆମ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଏବେ ଦେଶବାସୀ ଅଟକିବେ ନାହିଁ । ଦ୍ରୁତ ବିକାଶ ମଧ୍ୟ ମନ୍ଥର ହେବ ନାହିଁ । କାର୍ଯ୍ୟପଦ୍ଧତିକୁ ବଦଳାଇବାକୁ ହେବ । ଯାହା ୫୦ ବର୍ଷରେ ହୋଇନି ତାହା ୫ ବର୍ଷରେ କରିବାକୁ ହେବ । ଦେଶର କୃଷକ, ଶ୍ରମିକ, ମାଆ, ଭଉଣୀମାନେ ଏହି ସ୍ୱପ୍ନକୁ ସତ କରିପାରିବେ ।

ମୋଦୀ ଆହୁରି କହିଛନ୍ତି ଯେ, ସମସ୍ତ ରାଜନୈତିକ ଦଳ ମହିଳା ସମ୍ମାନ ପାଇଁ ଆଗକୁ ଆସନ୍ତୁ । ମହିଳା ସଂରକ୍ଷଣ ଲାଗୁ କରାଗଲେ ମହିଳାଙ୍କୁ ସମ୍ମାନ ମିଳିବ । ଭାରତ ନକ୍ସଲବାଦ ଶେଷ କରିବାକୁ ସଂକଳ୍ପ ନେଇଥିଲା । ଆଜି ଅନେକ ଲାଲ୍ ଗଡରେ ତ୍ରିରଙ୍ଗା ଉଡୁଛି । ବିକାଶ ହେଉଛି । ଅସ୍ତ୍ରଧାରୀ ନକ୍ସଲ ସଫା ହୋଇଥିବା ବେଳେ କିଛି ନକ୍ସଲ ବିଚାରଧାରାର ବ୍ୟକ୍ତି ସୁଯୋଗ ଅପେକ୍ଷାରେ ଅଛନ୍ତି । ଏପରି ଲୋକଙ୍କୁ ଚିହ୍ନଟ କରିବାକୁ ହେବ । ସେହିପରି ଆମେ ସଦାବେଳେ ଫର୍ଚ୍ୟୁନ୍ ୫୦୦ କଥା ଶୁଣୁଛି । ଆଗାମୀ ଦିନରେ କିପରି ଭାରତର ୫୦ କମ୍ପାନୀ ଏହି ତାଲିକାରେ ରହିବେ ସେନେଇ ଲକ୍ଷ୍ୟ ରହିବା ଦରକାର । ଭାରତର ଗୋଟିଏ ବ୍ୟାଙ୍କ୍ ଟପ୍ ଫାଇଭରେ ରହିବା ଦରକାର । ବିଶ୍ୱର ଟପ୍ ୫ କମ୍ପାନୀରେ ଭାରତର ଗୋଟିଏ ଦୁଇଟି ନାଁ ଆସିବା କଥା ।ଏହି ଅନୁସାରେ ନୀତିକୁ ବଦଳାଇବାକୁ ହେବ ବୋଲି ସେ ପ୍ରକାଶ କରିଛନ୍ତି ।