ନୂଆଦିଲ୍ଲୀ,୧୫/୦୮:ଭାରତ ଶନିବାର ସ୍ୱାଧୀନତା ଦିବସ ପାଳନ କରୁଛି । ଏଥିପାଇଁ ଗାଁରୁ ସହର ଉତ୍ସବମୁଖର । ଅନେକ ସ୍ଥାନରେ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରେଜାତୀୟପତାକା ଉତ୍ତୋଳନ କରିବେ । ଏହାପରେ ସେ ଦେଶବାସୀଙ୍କୁ ଉଦବୋଧନ ଦେବେ ।

ଚଳିତ ବର୍ଷ ପ୍ରଥମ ଥର ଲାଲକିଲ୍ଲାର ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ ଗାନ କରାଯିବ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆରମ୍ଭ ହେବ । ସେ ୨୦୪୭ର ବିକଶିତ ଭାରତ ଏବଂ ଯୁବକଙ୍କୁ ନେଇ ଅନେକ କଥା କହିପାରନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କାର୍ଯ୍ୟକ୍ରମରେ କେନ୍ଦ୍ର ରକ୍ଷାମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହାପରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବ । ସେହିପରି ପତାକା ଉତ୍ତୋଳନ ପରେ ୨୧ ତୋପର ସଲାମି ଦିଆଯିବ । ବାୟୁସେନାର ହେଲିକପ୍ଟର ପକ୍ଷରୁ ଫୁଲ ବର୍ଷା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ମୋଦୀଙ୍କ ଭାଷଣ ପରେ ପ୍ରାୟ ୨୫୦୦ଏନସିସି କ୍ୟାଡେଟ୍ ବନ୍ଦେ ମାତରମ୍ ଗାନ କରିବେ ।

ତେବେ ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀ ସୁରକ୍ଷା ବଳୟରେ ରହିଛି । ପ୍ରତି ଛକ ଏବଂ ଗୁରୁତ୍ୱପୂର୍ଣ୍ଣ ଜାଗାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ସେନାର ଯବାନ ମଧ୍ୟ ନିୟୋଜିତ ରହିଛନ୍ତି । ଏହାସହ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି ।