ଭୁବନେଶ୍ୱର: ୩୯ ବର୍ଷ ପରେ ବିପର୍ଯ୍ୟୟର ରିପିଟ୍। ୧୯୮୭ ପରି ଶନିଦଶା ଭୋଗୁଛି ବଙ୍ଗୋପସାଗର। ଦେଢ଼ ମାସରେ ତିନି ତିନିଟା ବାତ୍ୟା। ପୁଣି ଆଗକୁ ଆସୁଛି ଆଉ ଏକ ସିଷ୍ଟମ। ନଭେମ୍ବର ୩୦ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହା ପରବର୍ତ୍ତୀ ସମୟରେ ନେବ ଲଘୁଚାପର ରୂପ। ଆଇଏମଡିର ବିସ୍ତାରିତ ପୂର୍ବାନୁମାନରେ ମଧ୍ୟ ଏଭଳି ସମ୍ଭାବନା ଆକଳନ କରାଯାଇଛି। ମାତ୍ର ଏହାର ତୀବ୍ରତା, ଗତିପଥ ଓ ପ୍ରଭାବ ନେଇ କୌଣସି ପୂର୍ବାନୁମାନ କରିନାହିଁ । କେତେକ ମଡେଲ୍ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଶ୍ରୀଲଙ୍କା ଆଡ଼କୁ ଯାଇପାରେ। ଆଉ ଏକ ମଡେଲ୍ ପୂର୍ବାନୁମାନ ଅନୁସାରେ ଏହା ଅଧିକ ଘନୀଭୂତ ହୋଇପାରେ । ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ୍ଟି ହେବାରପ୍ରମୁଖ ପାଣିପାଗୀୟ କାରଣ କ’ଣ?

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି )ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସାଧାରଣତଃ ବର୍ଷର ଦୁଇଟି ସମୟରେ ବାତ୍ୟା ଆସିଥାଏ । ଏପ୍ରିଲରୁ ଜୁନ୍ (ପ୍ରାକ୍ ମୌସୁମୀ) ଓ ଅକ୍ଟୋବରରୁ ଡିସେମ୍ବର ( ମୌସୁମୀ ପରବର୍ତ୍ତୀ) ସମୟରେ ଆରବ ସାଗର ଓ ବଙ୍ଗୋପସାଗରରେ ବାତ୍ୟା ଆସିଥାଏ।ହାରହାରି ବର୍ଷରେ ୫/୬ଟି ବାତ୍ୟା ହୋଇଥାଏ।

ଏପ୍ରିଲରୁ ଜୁନ୍ ଭିତରେ ୧/୨ଟି ଓ ଅକ୍ଟୋବର-ଡିସେମ୍ବର ଭିତରେ ୩/୪ଟି। ଏହାର ଅର୍ଥ ନୁହେଁ ଯେ ପ୍ରତିବର୍ଷ ଏତିକି ସଂଖ୍ୟାରେ ବାତ୍ୟା ହେବା ନିଶ୍ଚିତ। ଚଳିତବର୍ଷ ପ୍ରାକ୍ ମୌସୁମୀ ବାତ୍ୟା ଆସିନଥିଲା। ଏଇ କିଛି ଦିନ ଭିତରେ ବଙ୍ଗୋପସାଗରରେ ଆଗ ପଛ ହୋଇ ଲଗାତାର ୩ଟି ବାତ୍ୟା ଆସିଛି। (ଅର୍ଣ୍ଣବ, ମୁରାସୁ, ଅକଭାନ)।ସମସ୍ତ ୩ଟି ବାତ୍ୟା ଆନ୍ଧ୍ର–ଓଡ଼ିଶା ଉପକୂଳ ମୁହାଁହୋଇଛି।୧୯୮୭ରେ ଏଭଳି ସ୍ଥିତିଆସିଥିଲା । ବଡ଼ କଥା ହେଲା, ଚଳିତବର୍ଷ ଶକ୍ତିଶାଳୀ ଏଲ୍-ନିନୋ ରହିଛି। ୧୯୮୭ରେ ବି ଶକ୍ତିଶାଳୀ ଏଲ୍-ନିନୋ ସ୍ଥିତି ଥିଲା।

ଡିସେମ୍ବର ପର୍ଯ୍ୟନ୍ତ ତାମିଲନାଡୁ ଉପକୂଳରେ ଲଘୁଚାପ, ଅବପାତ କିମ୍ବା ବାତ୍ୟା ଆସିବା ସ୍ୱାଭାବିକ। ବଙ୍ଗୋପସାଗରରେ ଆସୁଥିବା ସିଷ୍ଟମଟି ଅଧିକ ଘନୀଭୂତ ହୋଇ ଏହା ଶ୍ରୀଲଙ୍କା ଉପକୂଳକୁ ଯାଇପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।

ଆଇଏମଡି ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ରାଜ୍ୟରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ଅଛି। ୩ ଦିନ ଯାଏ ରାତି ତାପମାତ୍ରା ବିଶେଷ ବଦଳିବନି। ଏହାପରେ ପରବର୍ତ୍ତୀ ୪ ଦିନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ। ତେବେ ନଭେମ୍ବର ୩୦ରେ ସମ୍ଭାବ୍ୟ ଲଘୁଚାପ କେତେ ଘନୀଭୂତ ହେବ? କେଉଁ ଦିଗକୁ ଗତି କରିବ? ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଏବେ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନକୁ ଅପେକ୍ଷା।