ଭୁବନେଶ୍ୱର ୨୧।୧୧: ରାଜ୍ୟରେ ସକ୍ରିୟ ଥିବା ଆନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ନେଟୱର୍କ ଉପରେ ଓଡ଼ିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସର ବଡ଼ ଧରଣର ଚଢ଼ାଉ । ବିହାରର ମୁଙ୍ଗେର ଜିଲ୍ଲାରୁ ଆସି ଓଡ଼ିଶାରେ ବନ୍ଧୁକ କାରବାର ଚଳାଇଥିବା ଦୁଇ ଜଣ କୁଖ୍ୟାତ ଅସ୍ତ୍ରଶସ୍ତ୍ର ବେପାରୀଙ୍କୁ ଏସ୍ଟିଏଫ୍ ଗିରଫ କରିଛି । ଏହାସହ ସେମାନଙ୍କ ନିକଟରୁ ୬ଟି ଦେଶୀ ବନ୍ଧୁକ ଏବଂ ୮ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ଏସ୍ଟିଏଫ୍ ।

ଗିରଫ ଅଭିଯୁକ୍ତ ଓ ଜବତ ସାମଗ୍ରୀ:

ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବିହାର ମୁଙ୍ଗେର ଜିଲ୍ଲା ଜମାଲପୁର ଥାନା ଅନ୍ତର୍ଗତ ଛୋଟି କେଶୋପୁରର ଆକାଶ କୁମାର ସିଂହ ଏବଂ ସଫିଆସରାଇ ଥାନା ହସନଗଞ୍ଜ ଅଞ୍ଚଳର ରାଜେଶ ଶର୍ମା ଓରଫ ଭେଲଟୁ ସେମାନଙ୍କ ନିକଟରୁ ୨ଟି ୭ ଏମ୍ଏମ୍ ଦେଶୀ ପିସ୍ତଲ (ଗୋଟିଏରେ ଷ୍ଟାର ମାର୍କ ରହିଛି), ୪ଟି ସିଙ୍ଗଲ-ସଟ୍ ଦେଶୀ ବନ୍ଧୁକ, ୮ ରାଉଣ୍ଡ ଜୀବନ୍ତ ଗୁଳି, ନଗଦ ୫,୬୦୦ ଟଙ୍କା, ୨ଟି ମୋବାଇଲ ଫୋନ୍, ୨ଟି ଆଧାର କାର୍ଡ, ୨ଟି ବ୍ୟାଗ୍ ଏବଂ ଗତ ୨୦ ତାରିଖରେ କିଉଲ ଜଙ୍କସନରୁ ଭୁବନେଶ୍ୱର ଆସିଥିବା ୨ଟି ଟ୍ରେନ୍ ଟିକେଟ ଜବତ କରାଯାଇଛି । ଏନେଇ ଏସ୍ଟିଏଫ୍ ପକ୍ଷରୁ ଅସ୍ତ୍ରଶସ୍ତ୍ର ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଏସ୍ଟିଏଫ୍ ଆବେଦନ କରିବ ।

ମୁଙ୍ଗେର ଲିଙ୍କ୍‌ରେ ଖୋଳତାଡ଼:

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବିହାରର ମୁଙ୍ଗେର ଅଞ୍ଚଳରୁ ବେଆଇନ ବନ୍ଧୁକ ତିଆରି ହୋଇ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଛି । ଏହି ବନ୍ଧୁକ କିଏ ତିଆରି କରୁଛି ଏବଂ ଓଡ଼ିଶାରେ କେଉଁ ଅପରାଧୀ ଗୋଷ୍ଠୀ ଏହାକୁ କିଣୁଛନ୍ତି, ସେନେଇ ଏସ୍ଟିଏଫ୍ ତଦନ୍ତକୁ ଜୋରଦାର କରିଛି । ଗତ ୨୦୨୫ ମେ’ ଓ ଡିସେମ୍ବର ମାସରେ ମଧ୍ୟ ଏସ୍ଟିଏଫ୍ ବିହାରର ମୁଙ୍ଗେର ଅଞ୍ଚଳର ଅପରାଧୀଙ୍କୁ ଗିରଫ କରି ବିପୁଳ ପରିମାଣର ବିଦେଶୀ ଓ ଦେଶୀ ବନ୍ଧୁକ ଜବତ କରିଥିଲା ।

ଅନ୍ୟପକ୍ଷରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ଅଧୀନରେ ରାଜ୍ୟର ୬ଟି ଜିଲ୍ଲାରେ ପ୍ରାୟ ୧୧,୦୦୦ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାରେ ଏସ୍ଟିଏଫ୍ ଓ ଏଏନ୍ଟିଏଫ୍ (ANTF) ବଡ଼ ସଫଳତା ହାସଲ କରିଛି । 'ନିଶାମୁକ୍ତ ଭାରତ' ଓ 'ନିଶାମୁକ୍ତ ଓଡ଼ିଶା' ଅଭିଯାନ ଅନ୍ତର୍ଗତ ଏସ୍ଟିଏଫ୍, ଏଏନ୍ଟିଏଫ୍ ଏବଂ ଜିଲ୍ଲା ପୋଲିସର ମିଳିତ ସହଯୋଗରେ ରାଜ୍ୟବ୍ୟାପୀ ପ୍ରାୟ ୧୧,୦୦୦ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ବିଶେଷକରି ବୌଦ୍ଧ, କନ୍ଧମାଳ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଭଳି ୬ଟି ହଟସ୍ପଟ୍ ଜିଲ୍ଲାରେ ଏହି ଅଭିଯାନକୁ ଜୋରଦାର କରାଯାଇ ନିଶା ମାଫିଆଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ପଦକ୍ଷେପ ନିଆଯାଉଛି ।