ନୂଆଦିଲ୍ଲୀ: ଭାରତରେ ୟୁପିଆଇ ବ୍ୟବହାର କରୁଥିବା ଅଧିକାଂଶ ଲୋକେ ଏବେବି ଏହାକୁ ସଂପୂର୍ଣ୍ଣ ମାଗଣା ରଖିବାକୁ ଚାହୁଛନ୍ତି। ଯଦି ଟ୍ରାଞ୍ଜାକ୍ସନ ଉପରେ କୌଣସି ଚାର୍ଜ ନିଆଯିବ ତେବେ ତିନିରୁ ପ୍ରାୟ ୨ ଜଣ ଏହାକୁ ବ୍ୟବହାର କରିବା ଛାଡ଼ିଦେଇପାରନ୍ତି। ଲୋକାଲସର୍କଲ୍ସର ଏକ ସର୍ଭେରେ ଏହି ତଥ୍ୟ ସାମ୍‌ନାକୁ ଆସିଛି। ସର୍ଭେରେ ସାମିଲ ୭୫ ପ୍ରତିଶତ ଲୋକେ କହିଛନ୍ତି ଯେ, ୟୁପିଆଇ ପାଇଁ କୌଣସି ଚାର୍ଜ ନଲାଗିବା ଦରକାର।

ଆଉ ଯଦି ଚାର୍ଜ ଲଗାଯାଉଛି ତେବେ ଏହାର ବ୍ୟବହାର ବନ୍ଦ କରିଦେବେ। କେବଳ ୨୫ ପ୍ରତିଶତ ଲୋକ ହିଁ ଚାର୍ଜ ଦେବା ପାଇଁ ପ୍ରସ୍ତୁତ ହୋଇଥିଲେ। ଏହି ଫଳାଫଳ ଦେଶର ୩୭୬ ଜିଲ୍ଲାର ଲୋକଙ୍କ ଠାରୁ ମିଳିଥିବା ୩୯ ହଜାରରୁ ଅଧିକ ଉତ୍ତର ଉପରେ ଆଧାରିତ। ଏମିତିରେ ୟୁପିଆଇ ପାଇଁ ଫି’କୁ ନେଇ ହୋଇଥିବା ଏହି ସର୍ଭେକୁ ଏପର୍ଯ୍ୟନ୍ତର ସବୁଠୁ ବଡ଼ ଗ୍ରାହକ ମତ ସର୍ଭେ ଭାବରେ ଦେଖାଯାଉଛି। ଲୋକେ ୟୁପିଆଇକୁ ଏତେ ପସନ୍ଦ କରୁଛନ୍ତି ଯେ, ମାଗଣା ହେବା କାରଣରୁ ଦୈନନ୍ଦିନ ଛୋଟ- ବଡ଼ ପେମେଣ୍ଟ ପାଇଁ ଏହାକୁ ପ୍ରଥମ ପସନ୍ଦ କରିଛନ୍ତି।

Also Read: Digital Payment Rule: ରିଜର୍ଭ ବ୍ୟାଙ୍କର ନୂଆ ପ୍ରସ୍ତାବ, ୟୁପିଆଇରେ ୧୦ ହଜାର ଟଙ୍କାରୁ ଅଧିକ ପଠାଇ‌ଲେ ଘଣ୍ଟାଏ ହେବ ବିଳମ୍ବ

ୟୁପିଆଇର ବଢ଼ୁଥିବା ଲୋକପ୍ରିୟତା ଏବଂ ବଢ଼ୁଥିବା ଖର୍ଚ୍ଚ

ୟୁପିଆଇ ଏବେ ଭାରତର ଡିଜିଟାଲ ପେମେଣ୍ଟର ସବୁଠୁ ବଡ଼ ପ୍ଲାଟଫର୍ମ ହୋଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ୟୁପିଆଇରେ ୨୪୦ ବିଲିୟନରୁ ଅଧିକ ଥର ଟ୍ରାଞ୍ଜାକ୍ସନ ସହ ୩୧୪ ଟ୍ରିଲିୟନ ଟଙ୍କାର ନେଣଦେଣ ହୋଇଛି। ଏତେ ବଡ଼ ସଂଖ୍ୟାରେ ଟ୍ରାଞ୍ଜାକ୍ସନ ହେବା ସତ୍ତ୍ବେ ବି ସିଷ୍ଟମକୁ ଚଲାଇବାରେ ବ୍ୟାଙ୍କ ଏବଂ ଏହା ସହ ଜଡ଼ିତ ବିଭିନ୍ନ ସଂସ୍ଥାଙ୍କୁ ଲାଭ ହେଉନାହିଁ।

ବ୍ୟାଙ୍କଗୁଡ଼ିକ କହିଛନ୍ତି, ୟୁପିଆଇରେ କୌଣସି ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR) ନାହିଁ। ଯେଉଁ କାରଣରୁ ସେମାନେ କେବଳ ଖର୍ଚ୍ଚ ଉଠାଉଛନ୍ତି। ଆକ୍ସିସ ବ୍ୟାଙ୍କ ଏମଡି ଅମିତାଭ ଚୌଧୁରୀ ପୂର୍ବରୁ କହିଥିଲେ ଯେ, ବ୍ୟାଙ୍କ ୟୁପିଆଇ ଟ୍ରାଞ୍ଜାକ୍ସନରେ କିଛି ବି ଆୟ ହେଉନାହିଁ। ହେଲେ ଭିତ୍ତିଭୂମି ପାଇଁ ଖର୍ଚ୍ଚ ବଢ଼ୁଛି। ଲଞ୍ଚ ହେବାର ୧୦ ବର୍ଷ ପରେ ବି ଇନସେନଟିଭ ହ୍ରାସ ଏବଂ ଶୂନ ରେଭେନ୍ୟୁ ମଡେଲ କାରଣରୁ ପୂରା ଇକୋସିଷ୍ଟମ ଚାପରେ।

ଦୋକାନୀଙ୍କୁ ମଧ୍ୟ ହେଉଛି ଅସୁବିଧା

ସର୍ଭେରେ ଏହା ମଧ୍ୟ ଜଣାପଡ଼ିଛି ଯେ, ୫୭ ପ୍ରତିଶତ ୟୁଜର୍ସଙ୍କୁ ଗତ ୧ ବର୍ଷରେ ଥରେ ଏଭଳି ସମୟ ଆସିଛି ଯେତେବେଳେ କେହି ଦୋକାନୀ ୟୁପିଆଇ ପେମେଣ୍ଟ ନେବାକୁ ମନା କରିବା ସହ ନଗଦ ମାଗିଛନ୍ତି। ଏଥିରେ ୧୯ ପ୍ରତିଶତ ଲୋକଙ୍କ ସହ ଏହି ସମସ୍ୟା ଅନେକ ସମୟରେ ହୋଇଛି। ବିଶେଷ କରି ଛୋଟ ବ୍ୟବସାୟୀ ଏହି କାରଣରୁ ଅସୁବିଧାର ନଜର ଆସୁଛନ୍ତି। କାରଣ ତାଙ୍କ ପାଇଁ ଫ୍ରି ୟୁପିଆଇରେ କୌଣସି ଫାଇଦା ହେଉନାହିଁ।

Also Read: EV Policy: ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇଭି ଉପରେ ଲାଗିବନି ରୋଡ୍ ଟ୍ୟାକ୍ସ, ଦିଲ୍ଲୀ ସରକାର ଆଣୁଛନ୍ତି ନୂଆ ଇଭି ନୀତି 

ମାଗଣା କାରଣରୁ ହିଁ ହୋଇପାରିଛି ଲୋକପ୍ରିୟ

ୟୁପିଆଇ ଆରମ୍ଭରୁ ହିଁ ମାଗଣା ଏବଂ ସହଜ ଟ୍ରାଞ୍ଜାକ୍ସନ କାରଣରୁ ଦ୍ରୁତ ଭାବରେ ଲୋକପ୍ରିୟ ହୋଇପାରିଛି। କିନ୍ତୁ ଏବେ ଯେତେବେଳେ ଟ୍ରାଞ୍ଜାକ୍ସନ ସଂଖ୍ୟା ବଢ଼ିବା ସହ ଭିତ୍ତିଭୂମିକୁ ବଜାୟ ରଖିବା ଏବଂ ଆଗକୁ ବଢ଼ାଇବା ଖର୍ଚ୍ଚ ମଧ୍ୟ ବଢ଼ୁଛି। ବ୍ୟାଙ୍କ ଏବଂ ପେମେଣ୍ଟ କମ୍ପାନି କହିଛନ୍ତି ବିନା କୌଣସି ରେଭେନ୍ୟୁ ମଡେଲର ଏହି ସିଷ୍ଟମ ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିବନି।