ନୂଆଦିଲ୍ଲୀ : ଭାରତର ଡିଜିଟାଲ ପେମେଣ୍ଟ ସିଷ୍ଟମ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏପ୍ରିଲ ୧୧ ତାରିଖରେ ୧୦ ବର୍ଷ ପୁରଣ କରିବାକୁ ଯାଉଛି। ଏହି ଅବଧିରେ ୟୁପିଆଇ ନେଣଦେଣ ଭଲ୍ୟୁମ ୧୨ ହଜାର ଗୁଣାରୁ ଅଧିକ ବଢିଥିବା ବେଳେ ନେଣଦେଣ ଭାଲ୍ୟୁ ୪ ହଜାର ଗୁଣାରୁ ବି ଅଧିକ ବଢିଛି। ଆନାଲିଟିକ୍ସ ଫାର୍ମ ଟ୍ରାକ୍ସନ ତଥ୍ୟ ଅନୁସାରେ ୟୁପିଆଇ ମାଧ୍ୟମରେ ୨୦୨୬ ମସିହାରେ ଏ ପର୍ଯ୍ୟନ୍ତ ୨୧୮.୯୮ ବିଲିୟନରୁ ବି ଅଧିକ ନେଣଦେଣ ହୋଇସାରିଛି, ଯାହାର ମୂଲ୍ୟ ୨୮୫ ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ।

ପ୍ରାରମ୍ଭିକ ବର୍ଷମାନଙ୍କରେ ୟୁପିଆଇ ନେଣଦେଣ ଅଚାନକ ବେଗ ଧରିନଥିଲା। ଧିରେ ଧିରେ ଦେବା ନେବା ଆରମ୍ଭ ହେବା ସହ ୨୦୧୭ ମସିହାରେ ମାତ୍ର ୧.୭୮୬ କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିଲା। ତେବେ ୨୦୧୮ ମସିହାରେ ଏହି ନେଣଦେଣ ୯୧.୫ କୋଟି ଓ ୨୦୧୯ରେ ୫.୩୯ ବିଲିୟନ ପର୍ଯ୍ୟନ୍ତ ପହଞ୍ଚିଥିଲା। ୨୦୨୦ ମସିହା ବେଳକୁ ୟୁପିଆଇ ମୁଖ୍ୟଧାରାରେ ସାମିଲ ହୋଇସାରିଥିଲା ଓ ୧୨.୫୨ ବିଲିୟନ ନେଣଦେଣ ହୋଇଥିଲା। ସେତେବେଳେ ଏହି ନେଣଦେଣର ମୂଲ୍ୟ ୨୧ ଲକ୍ଷ କୋଟି ଟଙ୍କା ଥିଲା।

ଏହା ପରେ ମହାମାରୀ ବର୍ଷମାନଙ୍କରେ ୟୁପିଆଇର ଉପଯୋଗ ଦ୍ରୁତ ବଢିବାକୁ ଲାଗିଥିଲା। ୨୦୨୧ ମସିହାରେ ନେଣଦେଣ ସଂଖ୍ୟା ୨୨.୩୩ ବିଲିୟନକୁ ପହଞ୍ଚିଥିବା ବେଳେ ୨୦୨୨ ମସିହାରେ ଏହା ୪୫.୯୭ ବିଲିୟନକୁ ପହଞ୍ଚିଥିଲା। ୨୦୨୪ ଆର୍ଥିକ ବର୍ଷରେ ୟୁପିଆଇ ନେଣଦେଣ ୧୩୦.୧୩ ବିଲିୟନକୁ ପହଞ୍ଚିଥିବା ବେଳେ ୨୦୨୫ ମସିହାରେ ଏହା ୧୮୫.୮୭ ବିଲିୟନକୁ ପହଞ୍ଚିଥିଲା। ୨୦୨୫ ମସିହା ବେଳକୁ ୟୁପିଆଇ ପୈଠ ବ୍ୟବସାୟୀ ସ୍ୱୀକାର କରିବା କାରବାରକୁ ଆହୁରି ବଢାଇ ଦେଇଥିଲା।

ୟୁପିଆଇ କ୍ୟୁଆର କୋଡ ସଂଖ୍ୟା ଗତ ବର୍ଷ ତୁଳନାରେ ୧୫% ବଢିଥିବା ବେଳେ ଏହା ଏବେ ୭୩.୧୩ କୋଟି କୁ ପହଞ୍ଚି ସାରିଲାଣି। ପଏଣ୍ଟ ଅଫ ସେଲ ଟର୍ମିନାଲ ସଂଖ୍ୟା ମଧ୍ୟ ୧୫% ବୃଦ୍ଧି ହୋଇଛି ଓ ଏହା ବଢି ୧.୧୪୮ କୋଟି ହୋଇଯାଇଛି। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ଙ୍କ ଦ୍ୱାରା ଜାରି ତଥ୍ୟ ଅନୁସାରେ ମାର୍ଚ୍ଚ ୨୦୨୬ରେ ୟୁପିଆଇ ୨୦୧୬ରେ ଲଞ୍ଚ ହେବା ପରଠାରୁ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ମାସିକ ନେଣଦେଣ ରେକର୍ଡ କରିଛି।

ୟୁପିଆଇ ଗତ ମାର୍ଚ୍ଚ ମାସରେ ସର୍ବାଧିକ ୨୨.୬୪ ବିଲିୟନ ନେଣଦେଣ ପ୍ରୋସେସ କରିଛି, ଯାହା ଫେବୃଆରୀରେ ରେକର୍ଡ ହୋଇଥିବା ୨୦.୩୯ ବିଲିୟନ ନେଣଦେଣଠାରୁ ଢେର ଅଧିକ। ତେବେ ମାର୍ଚ୍ଚର ଡାଟା ଜାନୁୟାରୀରେ ହୋଇଥିବା ୨୧.୭୦ ବିଲିୟନ ନେଣଦେଣର ଉଚ୍ଚତମ ସ୍ତରକୁ ପାର କରିଯାଇଛି। ଏହି ସମୟରେ ବାର୍ଷିକ ଆଧାରରେ ନେଣଦେଣ ୨୪% ବୃଦ୍ଧି ହୋଇଛି।