ଭୁବନେଶ୍ୱର: ଏମିତି ସାଂଘାତିକ ଠକ ଆପଣ କେବେ ଦେଖି ନଥିବେ। ବୟସ ୬୯ ହେଲାଣି। କିନ୍ତୁ ଅପରାଧିକ ମାନସିକତା ଖୁନ୍ଦି ହୋଇ ଭରି ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବ୍ୟକ୍ତି ଭାରତର ୩୦୦ଟି ଲଗଜୁରୀ ହୋଟେଲକୁ ଏମିତି ଚୂନ ଲଗାଇଛି, ଯେ ହୋଟେଲ ଶିଳ୍ପ ପୂରା ଆଶ୍ଚର୍ଯ୍ୟ। ଏହି ଅଭିଯୁକ୍ତ ହେଉଛନ୍ତି ତାମିଲନାଡୁର ୬୯ ବର୍ଷୀୟ ବିଙ୍ଗସନ ଜନ୍। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି।

ଜନଙ୍କ କାରନାମା ଓ ଚାଲାକି ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏଇ ବୟସରେ ବି ଜଣେ ଏତେ ଚାଲାକି କରି ଠକି ପାରେ ? ଆଜ୍ଞା ହଁ…। ଆଜି ନୁହେଁ କି କାଲି ନୁହେଁ ଗତ ୩୦ ବର୍ଷ ହେଲା ହୋଟେଲଗୁଡ଼ିକୁ ଏମିତି ଠକି ଚାଲିଛନ୍ତି ଜନ୍। ସବୁଠାରୁ ରୋଚକ କଥା ହେଲା ସେ ଏହି ଠକାମୀର କଳା କୁଆଡ଼େ କୁଖ୍ୟାତ ସିରିଏଲ କିଲର ଚାର୍ଲ୍ସ ଶୋଭରାଜଙ୍କ ଠାରୁ ଶିଖିଛନ୍ତି ବୋଲି ପୁଲିସ ଆଗରେ ସ୍ୱୀକାର କରିଛନ୍ତି। ପ୍ରାୟ ସବୁଠି ସେ ସମାନ ଷ୍ଟାଇଲରେ ଠକେଇ କରିଛନ୍ତି ବୋଲି ମଙ୍ଗଳବାର ରାୟପୁର ପୁଲିସ ସୂଚନା ଦେଇଛି। ରାୟପୁରର ଏକ ପଞ୍ଚ ତାରକା ହୋଟେଲ୍ ପକ୍ଷରୁ ଜନଙ୍କ ବିରୁଦ୍ଧରେ ଏତଲା ଦିଆଯିବା ପରେ ପୁଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି।

ଏମିତି ଠକୁଥିଲା ବିଙ୍ଗସନ ଜନ୍

ପୁଲିସର ସୂଚନା ଅନୁସାରେ, ଜନ୍ ଲଗଜୁରି ହୋଟେଲଗୁଡ଼ିକୁ ଟାର୍ଗେଟ୍ କରୁଥିଲା। ସେଠାରେ ପହଞ୍ଚିବା ପରେ ହୋଟେଲ୍ ଷ୍ଟାପ୍‌ଙ୍କ ବିଶ୍ୱାସ ଜିତିବା ପାଇଁ ସେ ନିଜକୁ ଟୁରିଷ୍ଟ ଗାଇଡ,ଇଂଲିସ ଶିକ୍ଷକ ଓ ଯୋଗ ଶିକ୍ଷକ ବୋଲି ପରିଚୟ ଦେଉଥିଲା। ଏହାପରେ ହୋଟେଲରେ ରହି ସବୁ ଲଗୁଜୁରୀ ସୁବିଧା ପାଇବା ପରେ ବିଲ୍ ନଦେଇ ଆରାମରେ ଖସିଯାଉଥିଲା। କେବଳ ସେତିକି ନୁହେଁ କିଛି କିଛି ହୋଟେଲରୁ ସେ ଦାମି ଦାମି ଜିନିଷ ଚୋରି କରି ନେଇଆସୁଥିବାର ଅଭିଯୋଗ ହୋଇଛି ବୋଲି ପୁଲିସ ସୂଚନା ଦେଇଛି।

ଅଭିଯୁକ୍ତକୁ କେମିତି ଧରିଲା ପୁଲିସ ?

ଅଭିଯୁକ୍ତ ବିଙ୍ଗସନ ଜନ ରାୟପୁରର ହାୟତ ହୋଟେଲ(Hyatt Hotel)ରେ ମଧ୍ୟ ଏଭଳି ଲଗଜୁରି ସୁବିଧା ଉଠାଇ ସାରିବା ପରେ ବିଲ ନ ଦେଇ ସେଠାରୁ ଚାଲି ଆସିଥିଲା। ପୁଲିସ ସୂଚନା ଅନୁସାରେ ଜନ୍ ଜୁନ୍ ୨୫ ତାରିଖରେ ହୋଟେଲରେ ଚେକ୍ ଇନ୍ କରିଥିଲା ଏବଂ ଜୁନ୍ ୨୭ ତାରିଖ ସକାଳେ ଚେକ୍ଆଉଟ୍ ପ୍ରକ୍ରିୟା ସମାପ୍ତ ନକରି ସେଠାରୁ ଚାଲିଯାଇଥିଲା। ହୋଟେଲ୍‌ର ଅଭିଯୋଗ ଅନୁସାରେ ଜନର ବିଲ୍‌ ୬୩,୭୫୫ ଟଙ୍କା ହୋଇଥିଲା। ତାର ଅନୁରୋଧକ୍ରମେ ବ୍ୟବହାର ପାଇଁ ତାକୁ ଦିଆଯାଇଥିବା ପ୍ରାୟ ୧.୪୮ ଲକ୍ଷ ଟଙ୍କାର ଏକ ଲାପଟପ୍ ମଧ୍ୟ ସେ ନେଇଯାଇଥିଲା।

ହୋଟେଲ କର୍ତ୍ତୃପକ୍ଷ ପକ୍ଷରୁ ଜନକୁ ବାରମ୍ବାର ଯୋଗାଯୋଗ କରି ବିଫଳ ହେବା ପରେ ଶେଷରେ ପୁଲିସକୁ ଜଣାଇଥିଲେ। ଅଭିଯୋଗ ଆଧାରରେ, ତେଲିବନ୍ଧ ପୋଲିସ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୧୮(୪) ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା। ଏହାପରେ ଅପରାଧ ନିରୋଧୀ ଟିମ୍ ଏବଂ ସାଇବର ୟୁନିଟ୍ ଓତେଲିବନ୍ଧ ପୋଲିସ ମିଳିତ ଭାବରେ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ହୋଟେଲକୁ ଯେଉଁ ଡକ୍ୟୁମେଣ୍ଟ ଏବଂ ମୋବାଇଲ୍ ନମ୍ବରର ଦେଇଥିଲା ଏହାର ଟେକ୍ନିକାଲ ଆନାଲିସିସ କରିବା ପରେ ଏହା ଭୁବନେଶ୍ୱରେ ଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ପହଞ୍ଚି ଏହି ସାଂଘାତିକ ଠକକୁ ଗିରଫ କରିଛି।

ସିରିଏଲ୍ କିଲର ଚାର୍ଲ୍ସ ଶୋଭରାଜ ଠାରୁ ଅନୁପ୍ରାଣିତ ହୋଇଛି ଜନ୍

ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ଜନ କୁଖ୍ୟାତ ଭାରତୀୟ-ଫରାସୀ ସିରିଏଲ୍ କିଲର୍ ଚାର୍ଲ୍ସ ଶୋଭରାଜ ଦ୍ୱାରା ପ୍ରଭାବିତ ହୋଇ ସମାନ ଠଙ୍ଗରେ ହୋଟେଲଗୁଡ଼ିକରେ ଠକେଇ କରୁଥିଲା। ଦେଶର ବିଭିନ୍ନ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକୁ ଯାଇ ନିଜକୁ ନାନା ରୂପରେ ପରିଚୟ ଦେଇ ଠକୁଥିଲା ବୋଲି ଜନ ପୁଲିସ ଆଗରେ ସ୍ୱୀକାର କରିଥିବା ପୁଲିସ ସୂଚନା ଦେଇଛି। ପଚରାଉଚରା ସମୟରେ, ଅଭିଯୁକ୍ତ ୧୯୯୦ ମସିହାରୁ ଦେଶବ୍ୟାପୀ ୩୦୦ ରୁ ଅଧିକ ହୋଟେଲକୁ ଟାର୍ଗେଟ କରିଥିବା ସ୍ୱୀକାର କରିଛି। ଜନ ବିରୁଦ୍ଧରେ ଅନେକ ମହାନଗର ସମେତ ୧୦ରୁ ଅଧିକ ରାଜ୍ୟରେ ଅପରାଧିକ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି।

ଜନର ଏକ ବଡ଼ କଳଙ୍କିତ ଇତିହାସ ରହିଛି। ପୁଲିସ କହିଛି ଯେ ସେ ତିହାର ଜେଲ୍ ସମେତ ବିଭିନ୍ନ ଜେଲରେ ୧୫ ବର୍ଷରୁ ଅଧିକ ସମୟ ବିତାଇ ସାରିଛି। ଯେଉଁଠାରେ ସେ ଅନେକ କୁଖ୍ୟାତ ଅପରାଧୀଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ତେବେ ରାୟପୁର ହୋଟେଲରୁ ଜନ ଏକ ଲ୍ୟାପଟପ ନେଇ ଆସିଥିଲା। ପୁଲିସ ତାକୁ ଉଦ୍ଧାର କରିବା ସହ ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।

କିଏ ଏହି ଚାର୍ଲ୍ସ ଶୋଭରାଜ ?

ଚାର୍ଲ୍ସ ସୋଭରାଜ୍ (Charles Sobhraj) ହେଉଛନ୍ତି ଜଣେ କୁଖ୍ୟାତ ଫ୍ରେଞ୍ଚ ସିରିଏଲ୍ କିଲର୍, ଠକ ଏବଂ ଚୋର। ୧୯୭୦ ଦଶକରେ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆର 'ହିପି ଟ୍ରେଲ୍' (Hippie Trail) ଦେଇ ଯାଉଥିବା ପଶ୍ଚିମ ଦେଶର ପର୍ଯ୍ୟଟକମାନଙ୍କୁ ସେ ନିଜର ଶିକାର କରୁଥିଲେ। ତାକୁ 'ଦ ସର୍ପେଣ୍ଟ' (The Serpent - ସାପ ପରି ଚତୁରତା ସହ ପୋଲିସ ହାତରୁ ଖସିଯିବା ପାଇଁ) ଏବଂ 'ବିକିନି କିଲର୍' (Bikini Killer) ବୋଲି ମଧ୍ୟ କୁହାଯାଏ।

ସେ ପର୍ଯ୍ୟଟକମାନଙ୍କ ସହ ବନ୍ଧୁତା କରୁଥିଲା, ସେମାନଙ୍କୁ ଔଷଧ ଦେଇ ବେହୋସ କରୁଥିଲେ, ଏବଂ ପରେ ସେମାନଙ୍କୁ ହତ୍ୟା କରି ଟଙ୍କା ଓ ପାସପୋର୍ଟ ଚୋରି କରୁଥିଲା। ସେ ଅନେକ ଦେଶରେ ପ୍ରାୟ ୧୨ ରୁ ୨୦ ରୁ ଅଧିକ ହତ୍ୟା କରିଥିବା ସନ୍ଦେହ କରାଯାଏ।

ଶୋଭରାଜ ଦୀର୍ଘ ଦିନ ଭାରତର ତିହାର ଜେଲରେ କାଟିଥିଲା। ପରେ ୨୦୦୩ ମସିହାରେ ନେପାଳରେ ତାକୁ ଗିରଫ କରାଯାଇଥିଲା ଏବଂ ୧୯୭୫ ମସିହାର ହତ୍ୟା ମାମଲାରେ ସେ ସେଠାରେ ଦୀର୍ଘ ବର୍ଷ ଧରି ଆଜୀବନ କାରାଦଣ୍ଡ ଭୋଗିଥିଲା। ୨୦୨୨ ମସିହାରେ ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ନେପାଳ ସୁପ୍ରିମକୋର୍ଟ ତାଙ୍କୁ ମୁକ୍ତ କରିଛନ୍ତି। ଏହି ସଂଘାତିକ ଠକର ବିଚିତ୍ର ଏବଂ ଭୟାନକ ଜୀବନ କାହାଣୀ ଉପରେ ବିଭିନ୍ନ ବହି ଲେଖାଯାଇ ଥିବା ବେଳେ ନେଟଫ୍ଲିକ୍ସରେ 'ଦ ସର୍ପେଣ୍ଟ' ନାମକ ଏକ ସିରିଜ୍ ମଧ୍ୟ ରହିଛି।