ନୂଆଦିଲ୍ଲୀ: ଭାରତ ସରକାର ପ୍ରଥମ ଥର ଅଧିକାରୀକ ଭାବେ ଭାରତୀୟ ସେନାର ସେହି ୬ ଜଣ ସୈନିକଙ୍କ ନାମ ଉଜାଗର କରିଛନ୍ତି ଯେଉଁମାନେ ଅପରେସନ ସିନ୍ଦୂର କାଳରେ ଦେଶ ପାଇଁ ସହିଦ ହୋଇଥିଲେ। ଗତବର୍ଷ ମେ ମାସରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଭିତ୍ତିଭୂମି ଧ୍ୱଂସ କରିବାକୁ ଏହି ସୀମାପାର ସୈନ୍ୟ ଅଭିଯାନ ହାତକୁ ନିଆଯାଇଥିଲା। ଏହି ୬ ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକର ୱେବସାଇଟ୍ ‘ରୋଲ ଅଫ ଅନର’ ଭାଗରେ ପ୍ରକାଶିତ କରାଯାଇଛି।

ଏହା ଛଡା ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକରେ ମଧ୍ୟ ଅଙ୍କିତ କରାଯାଇଛି। ଏହି ଅପରେସନରେ ଭାରତୀୟ ସେନାର ହୋଇଥିବା କ୍ଷତିକୁ ଭାରତ ସରକାର ପ୍ରଥମ ଥର ସାର୍ବଜନିକ ଓ ଅଧିକାରୀକ ଭାବେ ସ୍ୱୀକାର କରିଛନ୍ତି। ନ୍ୟାସନାଲ ୱାର ମେମୋରିଆଲ ୱେବସାଇଟ୍ ଅନୁସାରେ ଶହୀଦଙ୍କ ନାମ ସ୍ମାରକର ଥ୍ରୀ-ଡି ୱାଲର ୨୦୨୫ ଭାଗରେ ଉଲ୍ଲେଖ କରାଯାଇଛି। ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦଙ୍କ ମଧ୍ୟରେ ମୁଖ୍ୟାଳୟ ୧୦ ଇନଫେଣ୍ଟ୍ରି ବ୍ରିଗେଡ୍ ସୁବେଦାର ମେଜର ପବନ କୁମାର, ୪ ଜମ୍ମୁ-କାଶ୍ମୀର ଲାଇଟ୍ ଇନଫେଣ୍ଟ୍ରି ରାଇଫଲମ୍ୟାନ୍ ସୁନୀଲ କୁମାର(ବୀରଚକ୍ର) ,୫ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର, ୮୫୧ ଲାଇଟ୍ ରେଜିମେଣ୍ଟର ଏଭିଏସନ ଟେକ୍ନିସିୟାନ ଏମ.ମୂରଲୀ ନାୟକ, ୨୩୭ ଫିଲ୍ଡ ୱାର୍କସପ୍ କମ୍ପାନୀ ହାବିଲଦାର ସୁନୀଲ କୁମାର ସିଂହ, ସର୍ଜେଣ୍ଟ ସୁରେନ୍ଦ୍ର କୁମାର ବାୟୁସେନା ପଦକ (୩୯ ୱିଙ୍ଗ) ଆଦି ଅଛନ୍ତି।

ମେ ୨୦୨୫ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ୪ ଦିବସୀୟ ଯୁଦ୍ଧ କାଳରେ ସାମରିକ କ୍ଷୟକ୍ଷତିକୁ ନେଇ ବିଭିନ୍ନ ପ୍ରକାରର ଅଙ୍କକଷା ଚାଲିଥିଲା। ହେଲେ ସରକାର ଅଧିକାରୀକ ଭାବେ ଏହି ଯୁଦ୍ଧରେ ହତାହତ ହୋଇଥିବା ସୈନିକଙ୍କ ସୂଚନା ଦେଇ ନଥିଲେ। ତେବେ ଜାତୀୟ ସ୍ମାରକର ‘ରୋଲ ଅଫ ଅନର’ରେ ଏହି ସହିଦଙ୍କ ନାମ ଲେଖିବା ପରେ ଏବେ ଅଧିକାରୀକ ଭାବେ ଏହା ପୁଷ୍ଟି ହୋଇଛି।

ଅପରେସନ ସିନ୍ଦୂର ୭ ମେ ୨୦୨୫ ଭୋର ସମୟରେ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ୨୨ ଏପ୍ରିଲ ପହଲଗାମ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ହୋଇଥିଲା। ଏହି ଘଟଣାରେ ୨୬ ଜଣ ନାଗରିକ ପ୍ରାଣ ହରାଇଥିଲେ। ଅଧିକାଂଶ ମୃତକ ପର୍ଯ୍ୟଟକହିଁ ଥିଲେ। ତେବେ ସାମ୍ନାକୁ ଆସିଥିବା ସହିଦଙ୍କ ନାମରୁ ଅପରେସନ ସିନ୍ଦୂର କାଳରେ ଭାରତୀୟ ବାୟୁସେନା ଓ ସ୍ଥଳ ସେନା ଜବାନ ସର୍ବୋଚ୍ଚ ବଳିଦାନ ଦେଇଥିବା ସ୍ପଷ୍ଟ ହୋଇଛି। ଏହି ସୈନ୍ୟ ଅଭିଯାନ ମିଳିତ ପ୍ରକୃତିର ଥିଲା। ଏଥିରେ ବାୟୁସେନା ଓ ସ୍ଥଳ ସେନା ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।

ଇଣ୍ଡିଆ ଗେଟ୍ ନିକଟରେ ୨୦୧୯ ମସିହାରେ ଉଦଘାଟିତ ଜାତୀୟ ଯୁଦ୍ଧ ସ୍ମାରକ ସ୍ୱାଧୀନତା ପରଠାରୁ ବିଭିନ୍ନ ସାମରିକ ଅଭିଯାନ ଓ ସଂଘର୍ଷରେ ନିଜ ପ୍ରାଣବଳି ଦେଇଥିବା ଭାରତୀୟ ସଶସ୍ତ୍ର ବଳଙ୍କ ସ୍ମୃତିକୁ ସାଇତି ରଖିଛି। ଏବେ ଏହି ୬ ସହିଦଙ୍କ ନାମ ଯୋଡି ହେବା ପରେ ଅପରେସନ ସିନ୍ଦୂରକୁ ସ୍ମାରକରେ ଅଧିକାରୀକ ଭାବେ ସେହି ସବୁ ଐତିହାସିକ ସୈନ୍ୟ ଅଭିଯାନରେ ସ୍ଥାନ ମିଳିଛି ଯାହାକୁ ଦେଶ ସର୍ବଦା ମନେ ରଖିବ।