ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ର ରୋମାଞ୍ଚ ମଧ୍ୟରେ କ୍ରିକେଟ୍ ଦୁନିଆରେ ଏକ ଅଜବର କାରନାମା ଦେଖିବାକୁ ମିଳିଛି। ଟି-୨୦ କ୍ରିକେଟରେ ଆପଣ ଜଣେ ବୋଲରଙ୍କୁ ସର୍ବାଧିକ ୬ କି ୭ ଓ୍ଵିକେଟ୍ ନେଇଥିବା ଦେଖିବାକୁ ମିଳିଛି। କିନ୍ତୁ ବୋଟସୱାନାରେ ଖେଳା ଯାଉଥିବା ବିସିଏ କାଲାହାରୀ ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଏକ ଚକିତକର ମୁକାବିଲା ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଗୋଟିଏ ଟିମ୍ ମାତ୍ର ୧୩ ରନରେ ଅଲଆଉଟ୍ ହୋଇଛି। ଜଣେ ୨୧ ବର୍ଷୀୟ ବୋଲର ୯ ବ୍ୟାଟରଙ୍କୁ ନିଜର ଶିକାର କରି କ୍ରିକେଟ୍ ଦୁନିଆରେ ଚହଳ ପକାଇଛନ୍ତି।ଏହି ବୋଲର ୫ ବଲରେ ଲଗାତାର ୫ ଓ୍ଵିକେଟ୍ ନେଇଛନ୍ତି, ଯାହା କ୍ରିକେଟ୍ ଜଗତରେ ବୋଧହୁଏ ଏମିତି କେବେ ଦେଖିବାକୁ ମିଳି ନ ଥିବ।

୩ ଓଭରରେ ନେଲେ ୯ ଓ୍ଵିକେଟ୍

ବିସିଏ କାଲାହାରୀ ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ୧୪ତମ ମ୍ୟାଚରେ ବ୍ରାଜିଲ ଓ ଲେସୋଥୋ ମଧ୍ୟରେ ମ୍ୟାଚ୍ ଖେଳା ଯାଇଛି। ଏହି ମ୍ୟାଚରେ ଦ୍ରୁତ ବୋଲର ଲାରା କାର୍ଡୋସୋ ଟି-୨୦ କ୍ରିକେଟରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ସେ ଗୋଟିଏ ଇନିଂସରେ ୯ ଓ୍ଵିକେଟ୍ ନେବାର କାରନାମା କରିଛନ୍ତି। ଏହା ଉଭୟ ପୁରୁଷ ଓ ମହିଳା ଉଭୟ ଟି-୨୦ କ୍ରିକେଟ୍ ଇତିହାସରେ ପ୍ରଥମ ଥର ଏମିତି ଦେଖିବାକୁ ମିଳିଛି। ଏହା ପୂର୍ବରୁ ପୁରୁଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭୂଟାନର ବୋଲର ସୋନମ ୟେଶେ ୮ ଓ୍ଵିକେଟ୍ ନେଇଥିଲେ। ମହିଳା ଟି-୨୦ ଅନ୍ତର୍ଜାତୀୟରେ ଇଣ୍ଡୋନେସିଆର ରୋହମାଲିଆ ୭ ଓ୍ଵିକେଟ୍ ନେଇ ରେକର୍ଡ କରିଥିଲେ. ଲାରା ଉଭୟଙ୍କୁ ପଛରେ ପକାଇଛନ୍ତି।

Also Read: ବିରାଟଙ୍କ ନାଁ ଶୁଣି ରାଗିଗଲେ ବାବର : ସାମ୍ବାଦିକଙ୍କୁ ମନଇଚ୍ଛା ଶୁଣାଇଦେଲେ...ଦେଖନ୍ତୁ ଭିଡିଓ

୫ ବଲରେ ଲଗାତାର ୫ ଓ୍ଵିକେଟ୍

ମ୍ୟାଚରେ ବ୍ରାଜିଲ ପ୍ରଥମେ ବ୍ୟାଟିଂ କରି ୨୦୨ ରନ କରିଥିଲା। ଜବାବରେ ଲେସୋଥୋ ଟିମ୍ ଅବିଶ୍ଵସନୀୟ ଭାବେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ମାତ୍ର ୧୩ ରନରେ ଅଲଆଉଟ୍ ହୋଇଛି। ପୂରା ଇନିଂସ ୬.୨ ଓଭର ଚାଲିଥିଲା। ଲୌରା କାର୍ଡୋସୋ ନିଜ ଓଭରର ପ୍ରଥମ ଦୁଇଟି ବଲରେ ୨ ଓ୍ଵିକେଟ୍ ନେଇ ଲଗାତାର ୫ଟି ବଲରେ ୫ ଓ୍ଵିକେଟ୍ ନେବାର କାରନାମା କରିଛନ୍ତି। ସେ ନିଜର ଦ୍ଵିତୀୟ ଓଭରରେ ୪ ଓ୍ଵିକେଟ୍ ନେଇଥିଲେ। ପୁଣି ତୃତୀୟ ଓଭରରେ ଆଉ ଦୁଇଟି ଓ୍ଵିକେଟ୍ ନେଇ ବ୍ୟାଟରଙ୍କୁ ପାଭିଲିୟନ ପଠାଇଥିଲେ। ତାଙ୍କର ଏହି ଘାତକ ବୋଲିଂ ବଳରେ ବ୍ରାଜିଲ ଏହି ମ୍ୟାଚକୁ ୧୮୯ ରନରେ ଜିତି ନେଇଛି।

ପୂର୍ବରୁ ଚର୍ଚ୍ଚାରେ ଥିଲେ ଲୌରା କାର୍ଡୋସୋ

ବ୍ରାଜିଲ ମହିଳା କ୍ରିକେଟ୍ ପାଇଁ ଏହି ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ। ୨୦୨ରେ, ୧୬ ବର୍ଷ ବୟସରେ, ଲୌରା ବ୍ରାଜିଲ ପାଇଁ T20I ହ୍ୟାଟ୍ରିକ୍ ନେଇଥିବା ପ୍ରଥମ ଖେଳାଳି ହୋଇଥିଲେ। ବର୍ତ୍ତମାନ, ଗୋଟିଏ ଇନିଂସରେ ନଅଟି ୱିକେଟ୍ ନେଇ, ସେ ବିଶ୍ୱ କ୍ରିକେଟରେ ନିଜର ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଉଲ୍ଲେଖନୀୟ ସମସ୍ତ ସହଯୋଗୀ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

Also Read: ଭାରତ-ବାଂଲାଦେଶ କ୍ରିକେଟ୍ ସମ୍ପର୍କରେ ଆସିବ ସୁଧାର : ଢାକାରେ ଖେଳିବ ଟିମ୍ ଇଣ୍ଡିଆ !