ଢାକା, ୦୮/୦୪ : ଭାରତ ସହ ସମ୍ପର୍କ ସୁଧାରିବ ବାଂଲାଦେଶ । କ୍ରିକେଟ ସମ୍ପର୍କକୁ ସୁଦୃଢ କରିବ । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ବାଂଲାଦେଶ କ୍ରିକେଟ୍ ବୋର୍ଡ୍ । ଦଳର ପୂର୍ବତନ ଅଧିନାୟକ ତାମିମ ଇକବାଲ ବାଂଲା କ୍ରିକେଟର ୧୧ ଜଣିଆ କମିଟିର ଅନ୍ତରୀଣ ଅଧ୍ୟକ୍ଷ ହେଲା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

ବାଂଲା ଯିବ ଟିମ୍ ଇଣ୍ଡିଆ

ପଡୋଶୀ ଦେଶର କ୍ରିକେଟ୍ ବୋର୍ଡ ଏବଂ ଭେଟେରାନ୍ ମାନେ ଭାରତକୁ ବାଂଲାଦେଶ ଆସି ଦ୍ୱିପାକ୍ଷିକ ସିରିଜ୍ ଖେଳିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାସହ ବାଂଲାଦେଶ ମଧ୍ୟ ଭାରତ ଆସି ମୁକାବିଲା ଖେଳିବାକୁ ରାଜି ଅଛି । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଦୂର ହେବ ।

ଅନ୍ୟ ଦିଗରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ପାଇଁ ଭାରତ ଯେମିତି ହେଲେ ବାଂଲାଦେଶ ଗସ୍ତ କରିବ । ବାଂଲାରେ ସରକାର ପରିବର୍ତ୍ତନ ହେଲା ପରେ ସମ୍ପର୍କରେ ଧିରେ ଧିରେ ସୁଧାର ଆସୁଛି । ଢାକା ଲଗାତାର ଭାବେ ନୂଆଦିଲ୍ଲୀ ସହ ଯୋଗାଯୋଗରେ ରହିଛି ।

ଟି୨୦ ବିଶ୍ୱକପ୍ ଖେଳିନଥିଲା ବାଂଲାଦେଶ

ଦୁଇ ଦେଶ ମଧ୍ୟରେ ଗତ ଟି୨୦ ବିଶ୍ୱକପ ସମୟରେ ସମ୍ପର୍କ ତିକ୍ତ ହୋଇଥିଲା । ଭାରତରେ ଆସି ବିଶ୍ୱକପ୍ ଖେଳିବନି ବୋଲି ବାଂଲା ବୋର୍ଡ ମନା କରିଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଫଳରେ ବାଂଲା ବଦଳରେ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ସମୟରେ ସାମିଲ କରାଯାଇଥିଲା । 

ଗଠନ ହେବ ବିସିବିର ନୂଆ କମିଟି

ଆସନ୍ତା ୯୦ ଦିନ ମଧ୍ୟରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ୧୧ସଦସ୍ୟ ବିଶିଷ୍ଟ ଆଡ୍ ହକ୍ କମିଟିକୁ ଦାୟିତ୍ୱ ଦିଆଯାଇଛି । ବିବାଦୀୟ ବୋର୍ଡ ସଭାପତି ଅମିନୁଲ୍ ଇସଲାମ୍ ବୁଲବୁଲଙ୍କୁ ବିତାଡିତ କରାଯିବା ପରେ ପଡୋଶୀ ଦେଶର କ୍ରିକେଟ୍ ଦୁର୍ଦ୍ଦୀନ ଦେଇ ଗତି କରୁଛି ।