ଭୁବନେଶ୍ୱର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଅତି ବିରଳ ଶିଶୁ ଓରାଙ୍ଗଉଟାନଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଏହି ଅତି ସମ୍ବେଦନଶୀଳ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣ ମାମଲାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ସରକାର । ଓରାଙ୍ଗଉଟାନ ଶାବକମାନଙ୍କୁ କିପରି ସୁରକ୍ଷିତ ରଖାଯିବ ସେ ନେଇ ପ୍ରାଥମିକତା ଦିଆଯାଉଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହି ନିରୀହ ଶାବକମାନଙ୍କର ବିଶେଷ ଯତ୍ନ ନିଆଯାଉଥିବା ବେଳେ, ସେମାନଙ୍କ ଜେନେଟିକ୍ ଡିଏନଏ ପରୀକ୍ଷା ଏବଂ CITES ନିୟମାନୁଯାୟୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଉପରେ ମଧ୍ୟ ଆଲୋଚନା ହେଉଛି । ଏହା ଭିତରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ନୂଆ ଚିନ୍ତା ପ୍ରକାଶ କରିଛନ୍ତି ।

ଓରାଙ୍ଗଉଟାନ ଶାବକମାନଙ୍କୁ ମାଲେସିଆ କିମ୍ୱା ଇଣ୍ଡୋନେସିଆ ପଠାଗଲେ, ସେମାନେ ମରିଯିବେ । କାରଣ ସେମାନଙ୍କୁ ଆଉ ଜଙ୍ଗଲରେ ଛାଡ଼ି ହେବନି । ଯଦି ସେଠାକାର ଚିଡ଼ିଆଖାନାରେ ସେମାନଙ୍କୁ ରଖାଯିବ, ତେବେ ନନ୍ଦନକାନନରେ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ସଂସ୍କୃତି ଗବେଷକ ଅନିଲ ଧୀର । ଓରାଙ୍ଗଉଟାନ ନିଜ ମାଆ ପାଖରେ ୬ ବର୍ଷ ଯାଏଁ ରୁହେ, ତେଣୁ ଉଦ୍ଧାର ପାଇଥିବା ଓରାଙ୍ଗଉଟାନ ଶବକମାନଙ୍କର ମାଆମାନଙ୍କୁ ମାରି ଦିଆଯାଇଥିବା ଅନୁମାନ କରାଯାଉଛି । ଏମିତିରେ ଓଡିଶା ଜଳବାୟୁରେ ଓରାଙ୍ଗଉଟାନ ବଞ୍ଚି ପାରିବେ, ତେଣୁ ସେମାନଙ୍କୁ ନନ୍ଦନକାନନରେ ରଖାଯାଉ ବୋଲି ଦାବି କରିଛନ୍ତି ଅନିଲ ଧୀର ।

ଓରାଙ୍ଗଉଟାନ୍ ଭାରତର ସ୍ୱଦେଶୀ ବନ୍ୟପ୍ରାଣୀ ନୁହେଁ । ସେମାନଙ୍କର ପ୍ରାକୃତିକ ଆବାସ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆର ସୁମାତ୍ରା ଏବଂ ବୋର୍ଣ୍ଣିଓ ଦ୍ୱୀପରେ ରହିଛି । ସପେଟେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ଭାରତର CITES Management Authority, ଜାକାର୍ତ୍ତାସ୍ଥିତ ଭାରତୀୟ ଦୂତାବାସ ଏବଂ ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ସହ ଯୋଗାଯୋଗ ଆରମ୍ଭ କରିଛି । ଏହା ସହିତ ଇଣ୍ଡୋନେସିଆର National Research and Innovation Agency (BRIN) ଏବଂ କୃଷି ମନ୍ତ୍ରଣାଳୟ ସହ ମଧ୍ୟ ସମନ୍ୱୟ କରାଯାଉଛି । ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏହି ୫ ଶିଶୁ ଓରାଙ୍ଗଉଟାନଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା । ସେମାନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ସତର୍କତାର ସହ ଏବଂ ସମସ୍ତ ଆଇନଗତ ନିୟମ ପାଳନ କରି କରାଯିବ।