ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ଘଟଣାକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏନଟିଏ ୪୭ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି। ଦେଶର ଏଜୁକେସନ ସିଷ୍ଟମ ଓ ପରୀକ୍ଷା ଆଦିରେ ବଡ଼ ସୁଧାର ପାଇଁ ଏନଟିଏ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିରେ ଆଉ କିଛି ଅଧିକାରୀଙ୍କ ବିରୋଧରେ ଆଇନଗତ ଓ ଅପରାଧିକ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ମଧ୍ୟ ଜଣାପଡିଛି। ସୂତ୍ର ଅନୁସାରେ ଏନଟିଏରେ ଉତ୍ତଦାୟିତା ସୁନିଶ୍ଚିତ କରିବା ପାଇଁ ଆରମ୍ଭ କରାଯାଇଥିବା ଏକ ବଡ଼ ଅଭିଯାନର ଏହା ଅଂଶବିଶେଷ।

କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ଅନୁସାରେ ଆଗାମୀ ଦିନରେ ଏଜେନ୍ସୀରେ ସଂଶୋଧନ ସମ୍ପର୍କିତ ଆହୁରି କଡ଼ା ପଦକ୍ଷେପ ନିଆଯିବ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ପେପର ଲିକ୍ ଓ ପରୀକ୍ଷା ସମ୍ପର୍କିତ ଅନିୟମିତତା ଅଭିଯୋଗକୁ ନେଇ ଏନଟିଏ ଲଗାତାର ବିବାଦରେ ରହିଛି। ଏଣୁ ଏଜେନ୍ସୀ ପରୀକ୍ଷା ଢାଞ୍ଚା ଓ କାର୍ଯ୍ୟପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶିକ୍ଷା ମନ୍ତ୍ରାଳୟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଏନଟିଏର ସମ୍ପୂର୍ଣ୍ଣ ପୁନର୍ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ପରୀକ୍ଷା ପ୍ରଣାଳୀକୁ ଅଧିକ ପାରଦର୍ଶୀ ବିଶ୍ୱସନୀୟ ଓ ଉତ୍ତରଦାୟି କରାଯାଇ ପାରିବ।