ଜଟଣୀ ୦୯।୦୯ : ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ନିୟମ-୨୦୨୬କୁ କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ନିୟମ ଅନୁସାରେ ଆବେଦନ ଗ୍ରହଣ, ଯାଞ୍ଚ ଓ ନିଷ୍ପତି ପାଇଁ ସଂପୂର୍ଣ୍ଣ ଅନଲାଇନ ପୋର୍ଟାଲର ବ୍ୟବସ୍ଥା କରାଯିବ । ଭୂଲେଖ ଓ ଭୂନକ୍ସା ପୋର୍ଟାଲ ସହ ଯୋଡ଼ି ହେବ । ପବ୍ଲିକ ଡ୍ୟାସବୋର୍ଡରେ ଜିଆଏସ୍ ଆଧାରିତ ଡିଜିଟାଲ ତାଲିକା, ଜବରଦଖଲ ଚିହ୍ନଟ, ମାମଲା ପରିଚାଳନା ଓ ସମ୍ପରି ସୁରକ୍ଷା ବ୍ୟବସ୍ଥା ରହିବ। ହେଲେ ଏହିସବୁ ନୂଆ ନିୟମରୁ ବଞ୍ଚିତ ହୋଇଯାଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ୩୬ଟି ଏକରଜାତ ମୌଜାର ଲୋକେ । ଜମି, ଘରବାଡି ପଟ୍ଟାରେ ଶ୍ରୀ ଜଗନ୍ନାଥ ବିଜେ ଲେଖାଥିବାରୁ ୩୬ ମୌଜାର ଲୋକେ କିଛି କିଣାବିକା କରିପାରୁନାହାଁନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚି ହେଉଛନ୍ତି। ଜମି ପଟ୍ଟାକୂ ସଂଶୋଧନ କରି ଶ୍ରୀ ଜଗନ୍ନାଥ ବିଜେ ଯାଗାରେ ରାଜ୍ୟ ସରକାର କରିବାକୁ ଦାବି କରିଛନ୍ତି ଲୋକେ ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ୧୯୫୫ର ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୩୨ ଅଧୀନରେ ପ୍ରସ୍ତୁତ ଏହି ନୂତନ ନିୟମାବଳୀ, ୨୦୦୩ ଓ ୨୦୧୯ର ପୁରୁଣା ୟୁନିଫର୍ମ ପଲିସିକୁ ବାତିଲ୍ କରିବ। ସମସ୍ତ ଜମି ବନ୍ଦୋବସ୍ତ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଏନଓସି ବାଧ୍ୟତାମୂଳକ କରାଯାଇଛି। ଏହି ନୂତନ ନିୟମାବଳୀ ଗେଜେଟ୍ ପ୍ରକାଶନ ତାରିଖରୁ ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ସେହିପରି ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଜିଲ୍ଲା ସ୍ତରୀୟ ଜମି ସବ୍-କମିଟି ଦ୍ଵାରା ଜମିର ସରଜମିନ୍ ଯଞ୍ଚ କରାଯିବ। ମାତ୍ର ଏଥିରୁ ବଞ୍ଚିତ ହେବେ ଖୋର୍ଦ୍ଧା ଜିଲ୍ଲାର ୩୬ଟି ଏକରଜାତ ମୌଜାର ସ୍ଥିତିବାନ ଲୋକେ । ୧୯୭୧-୭୨ ମସିହାର ବନ୍ଦୋବସ୍ତରେ ସରକାର ୧୫୬ ଏକରଜାତ ଜମି ମଧ୍ୟରୁ ୧୨୦ ମୌଜାର ପଟ୍ଟାରେ ଲେଖାଥିବା ଶ୍ରୀ ଜଗନ୍ନାଥ ବିଜେକୁ ପରିବର୍ତ୍ତନ କରାଯାଇ ରାଜ୍ୟ ସରକାର ଲେଖା ହୋଇଛି। କନ୍ତିଆ, ରଥିପୁର , କୁଦିଆରୀ, ଜଟଣୀ, ନରଣଗଡ, ହାଡପଦା, ଓରମୀ, ମାନପୁର ଆଦି ଖୋର୍ଦ୍ଧା ଜିଲ୍ଲାର ୩୬ଟି ମୌଜାର ଲୋକେ ଏଥିରୁ ବାଦ ପଡିଛନ୍ତି। ଯାହାଫଳରେ ୨୦୧୨ ମସିହାରୁ ସରକାରଙ୍କ କଟକଣା ପରେ ୩୬ ମୌଜାର ଲୋକେ ଜମି, ଘରବାଡି କିଣା,ବିକ୍ରି କରିପାରୁନାହାନ୍ତି।

Also Read:-ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୧୨ ବିଭାଗର ୧୮ ପ୍ରସ୍ତାବକୁ ମଞ୍ଜୁରୀ

ସେହିପରି ଆବାସ ଯୋଜନା ପରି ସରକାରଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି। ତୁରନ୍ତ ଏହାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି। ଦୀର୍ଘ ବର୍ଷ ହେବ ୩୬ ଏକରଜାତ ମୌଜାର ଲୋକେ ବିଭିନ୍ନ ଫୋରମରେ ନିଜର ହକ୍ ପାଇଁ ଦାବି କରି ଆସୁଛନ୍ତି। ମାତ୍ର ଏଯାବତ୍ ସରକାର ଏଦିଗରେ କିଛି ପଦକ୍ଷେପ ନେଇନାହାନ୍ତି। ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏହା ଉପରେ ସରକାର ବିଚାର ବିମର୍ଶ କରି ଲୋକମାନଙ୍କୁ ନ୍ୟାୟ ଦେବାକୁ ସାଧାରଣ ରେ ଦାବି ହୋଇଛି।