ଭୁବନେଶ୍ୱର: ପ୍ରଦୂଷଣ ସାର୍ଟିଫିକେଟ୍ କେନ୍ଦ୍ର ନିକଟରେ ଲୋକେ ଧାଡ଼ିରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାର ଯନ୍ତ୍ରଣା ଏବେ ମାସକ ପାଇଁ ଟଳିଯାଇଛି। ପଲ୍ୟୁସନ୍ ସାଟିଫିକେଟ୍ ନଥୁଲେ ଜାନୁଆରୀ ପହିଲାରୁ ପେଟ୍ରୋଲ, ଡିଜେଲ୍ ମିଳିବ ନାହିଁ ବୋଲି ଘୋଷଣା ଯେଉଁ ଘୋଷଣା କରାଯାଇଥିଲା, ନିଷ୍ପତ୍ତିରେ ପରିବର୍ତ୍ତନ କରିଛି ପରିବହନ ବିଭାଗ। ଏହି ନିଷ୍ପତ୍ତିକୁ ଆସନ୍ତା ଫେବ୍ରୁଆରୀ ପହିଲା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଫଳରେ ଜାନୁଆରୀ ମାସରେ ଗାଡ଼ିରେ ତେଲ ପକାଇବା ପାଇଁ ଏହି ସାର୍ଟିଫିକେଟର କୌଣସି ଆବଶ୍ୟକତା ନାହିଁ ବୋଲି ରାଜ୍ୟ ପରିବହନ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଘୋଷଣା କରିଛନ୍ତି। କିନ୍ତୁ ମାତ୍ର ମାସକ ମଧ୍ୟରେ ଏ ସମସ୍ୟା ସୁଧୁରିବା ମୁସ୍କିଲ।

ସବୁଠୁ ବଡ଼ କଥା ହେଲା- ରାଜ୍ୟରେ ପ୍ରାୟ ୩୦ଲକ୍ଷ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ । ଏହି ଗାଡ଼ିଗୁଡ଼ିକ ବିନା ପ୍ରଦୂଷଣ ସାର୍ଟିଫିକେଟ୍ରେ ବର୍ଷ ବର୍ଷ ଧରି ଚାଲି ଆସୁଛନ୍ତି । ଏଥିରେ ସର୍ବାଧିକ ହେଉଛି ଦୁଇଚକିଆ ଯାନ। ରାଜ୍ୟରେ ଯେତିକି ଦୁଇଚକିଆ ଯାନ ରହିଛି ସେଥୁରୁ ୯୦% ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ ।

ଅନ୍ୟପକ୍ଷରେ ଏତେ ସଂଖ୍ୟକ ଗାଡ଼ିକୁ ପ୍ରଦୂଷଣ ସାର୍ଟିଫିକେଟ୍ ଦେବାଲାଗି ରାଜ୍ୟରେ ମାତ୍ର ୬୦୦ଟି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ୍ କେନ୍ଦ୍ର ରହିଛି । ପୁଣି ଏଥିରୁ ଅନେକ କେନ୍ଦ୍ରରେ ଆଉ ଗାଡ଼ିର ପ୍ରଦୂଷଣ ଯାଞ୍ଚ୍ କରାଯାଉନଥିବା ଜଣାପଡ଼ିଛି। ଫଳରେ ଏତେ କମ୍ ସମୟ ମଧ୍ୟରେ ୩୦ ଲକ୍ଷ ଗାଡ଼ିକୁ କିପରି ସାର୍ଟିଫିକେଟ୍ ଦିଆଯିବ ତାହା ଏବେ ଚିନ୍ତାର ବିଷୟ ହୋଇଛି।

ପ୍ରାୟ ଗୋଟେ କୋଟି ପଞ୍ଜୀକୃତ ଯାନ ରହିଛି। ଏଥିରେ ଦୁଇଚକିଆ, ତିନିଚକିଆ, ଚାରିଚକିଆ ଏବଂ ବଡ଼ ଗାଡ଼ି ରହିଛି। ଅବଶ୍ୟ ଏଥିରୁ ପ୍ରାୟ ୨୫ ଲକ୍ଷ ଗାଡ଼ି ପୁରୁଣା ହୋଇଯିବାରୁ ସେସବୁ ଆଉ ରାସ୍ତାରେ ଗଡ଼ୁ ନାହାନ୍ତି। ତେଣୁ ରାସ୍ତାରେ ପ୍ରାୟ ୭୫ଲକ୍ଷ ଗାଡ଼ି ଗଡ଼ୁଛି। ଏଥୁରୁ ଅଧିକ ଗାଡ଼ି ଦୁଇଚକିଆ ରହିଛି। ଦୁଇଚକିଆ ଯାନ କିଣାଯିବାର ବର୍ଷକ ପରେ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଆଉ ଥରେ କରାଯିବା କଥା। କିନ୍ତୁ ଦୁଇଚକିଆ ଯାନର କିଣାଯିବା ସମୟକୁ ଛାଡ଼ିଦେଲେ ଆଉ ପ୍ରାୟ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍ କରିନଥାନ୍ତି।