ଭୁବନେଶ୍ବର ୨୫।୯: ରାଜ୍ୟରେ ଗଭୀର ଅବପାତ ଜନିତ ଲଗାଣ ବର୍ଷା ଆଉ ବନ୍ୟା ସ୍ଥିତିକୁ ଦେଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଆଗାମୀ ୨୪ ଘଣ୍ଟା ଗୁରୁତ୍ବପୂର୍ଣ୍ଣ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଅଧିକ କ୍ଷତିଗ୍ରସ୍ତ ହୋଇଛି । ୩ ବ୍ଲକ୍ରେ ୩ ଶହରୁ ମିଲିମିଟର ଅଧିକ ବର୍ଷା ହୋଇଥିବା ବେଳେ ୯ଟି ବ୍ଲକ୍ରେ ୨ ଶହ ମିଲିମିଟରୁ ଅଧିକ ବର୍ଷା ହୋଇଛି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦକ୍ଷିଣ ଓଡ଼ିଶାର ସମସ୍ତ ନଦୀର ଜଳସ୍ତର ବଢୁଛି । ଆସନ୍ତାକାଲି ବର୍ଷା କମିଯିବ । ପରିସ୍ଥିତିରେ ସୁଧାର ଆସିବ । ଆସନ୍ତା ୨୪ ଘଣ୍ଟା ଆମକୁ ସତର୍କ ରହିବାକୁ ପଡିବ । କାଲି ରାତି ବେଳକୁ ସ୍ୱାଭାବିକ ହୋଇଯିବ । ମାଲକାନଗିରିରେ ୧୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ନବରଙ୍ଗପୁରରେ ୪ ହଜାର ଏବଂ ଗଜପତିରେ ୭ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । କଳିଙ୍ଗା ଘାଟିରେ ଅତଡ଼ା ଖସିଛି । ମରାମତି ଚାଲିଛି । ବିକଳ୍ପ ରାସ୍ତା ଖୋଲାଯାଇଛି । ଏହାସହ କୋରାପୁଟ ଜିଲ୍ଲାରେ ଅନ୍ୟ ପାହାଡ଼ିଆ ଇଲାକାରେ ରାସ୍ତାଘାଟ ମରାମତି ଚାଲିଛି ।

ସେପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ନଦୀଗୁଡ଼ିକରେ ବଢୁଛି ଜଳସ୍ତର । ବୈତରଣୀ ନଦୀର ଆଖୁଆପଦାରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି । ବର୍ତ୍ତମାନ ୧୮.୬୫ ମିଟର ଥିବା ଜଳସ୍ତର ସନ୍ଧ୍ୟା ସୁଦ୍ଧା ୧୯.୬ ମିଟରରେ ପହଞ୍ଚିବାର ଆଶଙ୍କା ରହିଛି । କାଣୀ ନଦୀରେ ଘାଇ ହୋଇଥିବା ବେଳେ ମଥାନୀରେ ମଧ୍ୟ ବଢିବ ବନ୍ୟା ପାଣି । ମଥାନୀରେ ବର୍ତ୍ତମାନ ୬.୭୮ ମିଟର ଜଳ ପ୍ରବାହିତ ହେଉଛି। ସେହିପରି ସୁବର୍ଣ୍ଣରେଖା ନଦୀର ରାଜଘାଟରେ ଜଳସ୍ତର ୮.୮୫ ମିଟର ରହିଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ୧୦.୫୦ ମିଟରରେ ପହଞ୍ଚିବା ସହ ବିପଦ ସଙ୍କେତ ଛୁଇଁପାରେ । ଗାଲୁଡିହିରୁ ୨୮୦୦ କ୍ୟୁମେକ୍ ପାଣି ଆସୁଛି। ଯାଜପୁରରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବଢ଼ିଥିବା ସୂଚନା ମିଳିଛି ।

Also Read:- ଭୁବନେଶ୍ୱରର ନୂଆ DCP ଭାବେ ଦାୟିତ୍ୱ ନେଲେ IPS ସର୍ବଣା ବିବେକ ଏମ୍.

ଅନ୍ୟପଟେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ୯୪ ପ୍ରତିଶତ ପାଣି ରହିଥିବା ବେଳେ ୫ଟି ଗେଟ୍ ଖୋଲାଯାଇଛି । ନବରଙ୍ଗପୁର ଜିଲ୍ଲାରେ ବନ୍ୟାର ପ୍ରଭାବ ଆଜିଠାରୁ କମିବାର ଆଶା ରହିଛି । ବଂଶଧାରାରେ ଜଳସ୍ତର ସ୍ଥିର ରହିଥିବା ବେଳେ ଗୁଣୁପୁର ଓ କାଶୀନଗରରେ ବନ୍ୟା ସ୍ଥିତି ଧୀରେ ଧୀରେ କମିବ। ଋଷିକୁଲ୍ୟା ନଦୀରେ ମଧ୍ୟ ବନ୍ୟା ପାଣି କମୁଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ କୁମାର ରାଉତ ।

Watch Video: