ଛତ୍ରପୁର: ରାତି ପାହିଲେ ବାତ୍ୟା ‘ଅକଭାନ’ ତାଣ୍ଡବ କରିବ । ବାତ୍ୟା ପାଇଁ ପ୍ରଶାସନଠାରୁ ଆରମ୍ଭ କରି ଜନତା ସମସ୍ତେ ସଜାଗ ହୋଇଛନ୍ତି । ଏହାରି ଭିତରେ ଚିନ୍ତାଜନକ ଖବର ସାମନାକୁ ଆଶିଛି । ଗୋପାଳପୁର ବନ୍ଦର ନିକଟ ର ଅଶାନ୍ତ ସମୁଦ୍ର ମଧ୍ୟରେ ୨୮ଟି ମାଛଧରା ଟ୍ରଲରରେ ୨୦୦ରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଲଙ୍ଗର ପକାଇ ଆଶ୍ରୟ ନେଇଛନ୍ତି । ହଠାତ୍ ଗୁରୁବାର ରାତି ପ୍ରାୟ ୧୦ଟାରେ ଏହି ଘଟଣା ଜଣାପଡ଼ିବା ପରେ ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି ।

Also read: ଗଞ୍ଜାମରେ ୧,୩୮,୩୧୧ ଲୋକ ସ୍ଥାନାନ୍ତର, ରାତି ଅନିଦ୍ରା ରହି ଲୋକଙ୍କୁ ଜଗିବ ପ୍ରଶାସନ

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟରୁ ସୁରକ୍ଷିତ ଭାବେ କୂଳକୁ ଆସିବାକୁ ଅନୁରୋଧ କରିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ରାତିରେ ଲଞ୍ଚ୍ ଯୋଗେ ସମୁଦ୍ର ମଧ୍ୟକୁ ଯାଇଥିଲେ । ତାଙ୍କ ସହ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଅତିରିକ୍ତ ତହସିଲଦାର ମନୋଜ ପ୍ରଧାନ, ମତ୍ସ୍ୟବିଭାଗର ଅଧିକାରୀ ମଧ୍ୟ ଯାଇଥିଲେ । ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିବାକୁ ବାରମ୍ବାର ଅନୁରୋଧ କରିଥିଲେ । ତେବେ ପ୍ରଶାସନ ଓ ବିଧାୟକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ମତ୍ସ୍ୟଜୀବୀମାନେ କୂଳକୁ ଆସିବାକୁ ଅମଙ୍ଗ ହୋଇଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏହି ଅଞ୍ଚଳରେ ୧୩ଟି ଟ୍ରଲରରେ ୧୦୦ରୁ ଉର୍ଦ୍ଧ୍ୱ ମତ୍ସ୍ୟଜୀବୀ ଆସି ଆଶ୍ରୟ ନେଇଥିଲେ । ସମୁଦ୍ରର ଅଶାନ୍ତ ପରିସ୍ଥିତି ଏବଂ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସୁରକ୍ଷିତ ଭାବେ କୂଳକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ।