ନୂଆଦିଲ୍ଲୀ: ଡାଲି ର ସବୁଠୁ ବଡ଼ ଉତ୍ପାଦକ, ଉପଭୋକ୍ତା ଓ ଆମଦାନୀକାରୀ ହୋଇଥିଲେ ବି ଭାରତରେ ହରଡ଼ ଡ଼ାଲିର ଦର ଲଗାତାର କାହିଁକି ବଢୁଛି? ତେବେ ସବୁଠୁ ଯାହା ବଡ଼ କଥା ସରକାରଙ୍କ ପାଖରେ ୯.୭ଲକ୍ଷ ଟନ ହରଡ଼ର ବଫର ଷ୍ଟକ୍ ରହିଛି। ଏହା ସତ୍ତ୍ୱେ ରିଟେଲ ମାର୍କେଟରେ ଡାଲି ଦର କମିବାର ନାଁ ନେଉନି। ନୂଆ ଖରିଫ ଫସଲ ଅମଳ ଆରମ୍ଭ ହୋଇଗଲାଣିଏହା ଛଡା ସରକାର ମଧ୍ୟ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ହରଡ଼ର ଶୁଳ୍କ ମୁକ୍ତ ଆମଦାନୀ ସମୟସୀମା ବଢାଇଛନ୍ତି। ଏହା ପରେ ବି ବଜାରରେ ମୂଲ୍ୟ ଚଢା ରହିଛି।

ସରକାରୀ ତଥ୍ୟ ଅନୁସାରେ ନଭେମ୍ବର ୧୬ ତାରିଖରେ ହରଡ଼ ଡାଲିର ହାରାହାରି ଖୁଚୁରା ମୂଲ୍ୟ ପ୍ରତି କେଜି₹୧୩୫.୭୮ଟଙ୍କା ବିକ୍ରି ହେଉଥିଲା। ଗତବର୍ଷ ନଭେମ୍ବର ୧୬ ତାରିଖରେ ବଜାରରେ ବିକ୍ରି ହୋଇଥିବା ଡାଲି ମୂଲ୍ୟଠାରୁ ଏହା ୨୦% ଓ ମାସକ ପୂର୍ବ ଦର ତୁଳନାରେ ୩.୬% ଅଧିକ। ତେବେ କେବଳ ହରଡ଼ ନୁହେଁ ଦେଶରେ ଅନ୍ୟ ଡାଲି ଦର ମଧ୍ୟ ଉଚ୍ଚା ରହିଛି। ତେବେ ସବୁଠୁ ଅଧିକ ଚାପ ହରଡ଼ ଡାଲି ମୂଲ୍ୟରେ ଦେଖିବାକୁ ମିଳୁଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ପ୍ରଶ୍ନ ଏହା ନୁହେଁ ଯେ ସରକାରଙ୍କ ନିକଟରେ ହରଡ଼ ଷ୍ଟକ୍ କେତେ ଅଛି, ବରଂ ପ୍ରଶ୍ନ ହେଉଛି ଏଥିରୁ କେତେ ବଜାରରେ ଉପଲବ୍ଧ କରାଯାଇଛି? ସରକାରଙ୍କ ପାଖରେ ମହଜୁଦ ଡାଲି ଷ୍ଟକ୍ କୁ ବଜାରରେ ହସ୍ତକ୍ଷେପ ଲାଗି ଉପଲବ୍ଧ ବଫର ଷ୍ଟକ୍ ମନେ କରାଯାଇ ପାରିବନି। ଏହା ପଛରେ ମଧ୍ୟ କାରଣ ରହିଛି।

ସରକାରୀ ଏଜେନ୍ସୀ ଡାଲି ଭଣ୍ଡାରଣ ଅଲଗା ଅଲଗା ଯୋଜନା ପାଇଁ କରିଥାନ୍ତି। ଏଥିରେ ପ୍ରାଇସ୍ ସପୋର୍ଟ ସ୍କିମ୍ ଓ ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ଆଦି ରହିଛି। ଏହି ଦୁଇ ଯୋଜନାର ଉଦ୍ଦେଶ୍ୟ ମଧ୍ୟ ଭିନ୍ନ ଓ ଯୋଜନାରେ କିଣାଯାଇଥିବା ପୁରା ଷ୍ଟକ୍ ବଜାର ମୂଲ୍ୟ ନିୟନ୍ତ୍ରଣ ଲାଗି ନୁହେଁ। ପ୍ରାଇସ୍ ସପୋର୍ଟ ସ୍କିମ୍ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଅପରେଟ କରାଯାଉଛି। ଏହାର ଉଦ୍ଦେଶ୍ୟ ଚାଷୀଙ୍କୁ ଫସଲର ଉଚିତ ମୂଲ୍ୟ ଦିଆଇବା ଓ କମ ଦରରେ ସେମାନଙ୍କ କୃଷି ଉତ୍ପାଦ ବିକ୍ରିକୁ ରୋକିବା।

ସେହିପରି ପ୍ରାଇସ୍ ଷ୍ଟାବିଲାଇଜେସନ ଫଣ୍ଡ ଉପଭୋକ୍ତା ବ୍ୟାପାର ବିଭାଗ ଦ୍ୱାରା ସଞ୍ଚାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ବଜାରରେ ଦର ବଢିଲେ ସରକାରୀ ଷ୍ଟକ୍ ଜାରି କରି ଉପଲବ୍ଧତା ବଢାଇବା ଓ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା। ଏହି ଯୋଜନାରେ ଡାଲିର ରଣନୈତିକ ବଫର ଷ୍ଟକ୍ କରାଯାଏ। ପ୍ରାଇସ୍ ସପୋର୍ଟ ସ୍କିମରେ କିଣାଯାଇଥିବା କିଛି ଷ୍ଟକକୁ ବଜାରରେ ହସ୍ତକ୍ଷେପ ଲାଗି ପ୍ରାଇସ୍ ଷ୍ଟାବିଲାଇଜେନସ ଫଣ୍ଡକୁ ଟ୍ରାନ୍ସଫର କରାଯାଇପାରେ। ତେବେ ପ୍ରାଇସ ସପୋର୍ଟ ସ୍କିମରେ କିଣାଯାଇଥିବା ପୁରା ଷ୍ଟକ ଆପଣାଛାଏଁ ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ ବଫରରେ ସାମିଲ ହୋଇପାରେନାହିଁ।

ବିଶେଷଜ୍ଞ ଓ ବଜାର ସମ୍ପର୍କିତ ଲୋକଙ୍କ ଅନୁସାରେ ଡାଲିର ବଫର ଷ୍ଟକ୍ ଆକଳନ କେବଳ ସରକାରୀ କ୍ରୟ ଅଥବା ମୋଟ ଭଣ୍ଡାର ଆଧାରରେ କରାଯିବା ଉଚିତ ନୁହେଁ। ଏହା ବି ଦେଖାଯିବା ଦରକାର ଯେ ଆବଶ୍ୟକ ପଡିଲେ ସଠିକ ସମୟରେ କେତେ ଷ୍ଟକ୍ ବଜାରକୁ ପହଞ୍ଚା ଯାଇ ପାରିବ ଓ ଉପଭୋକ୍ତାଙ୍କୁ ଏହା ଲାଭ କେତେ ପ୍ରଭାବୀ ଉପାୟରେ ମିଳି ପାରିବ।