ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀ ସଂକଟ କାଳରେ ଭାରତର ଇନ୍ଧନ ସୁରକ୍ଷାକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯଦି ସଂକଟ କାଳରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାନ୍ତା ଓ ଘରୋଇ ଉତ୍ପାଦନ ମଧ୍ୟ ଅଟକି ଯାଇଥାନ୍ତା ତଥାପି ଭାରତ ନିକଟରେ ୬୦ ଦିନ ପର୍ଯ୍ୟନ୍ତ ଚାଲିବା ଭଳି ପର୍ଯ୍ୟାପ୍ତ ଭଣ୍ଡାର ମହଜୁଦ ଥିଲା। ସିଂହ କହିଛନ୍ତି ଯେ ଏହି ସଂକଟ ବୈଶ୍ୱିକ ଇନ୍ଧନ ଯୋଗାଣରେ ଉପୁଜିଥିବା ଆହ୍ୱାନର ମୁକାବିଲା ନିମନ୍ତେ ଭାରତର ପ୍ରସ୍ତୁତିକୁ ପ୍ରଦର୍ଶିତ କରିଛି।

ଏଫଆଇସିସିଆଇ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ପୁରୀ କହିଛନ୍ତି ଯେ ଫେବୃଆରୀ ୨୮ ତାରିଖରେ ହର୍ମୁଜ ବନ୍ଦ ହେବା ପରେ ବୈଶ୍ୱିକ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇଥିଲା। ସେହି ସମୟରେ ଭାରତରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା। ତେବେ ଏଲପିଜି ଉପଲବ୍ଧ କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଥିଲା। ପୁରୀ କହିଛନ୍ତି ଯେ ଭାରତ ତାର ଏଲପିଜି ଆବଶ୍ୟକତାର ୯୦% ପାରସ୍ୟ ଉପସାଗର ଦେଇ ଆମଦାନୀ କରିଥାଏ। ଏଥିରେ କତାର, ୟୁଏଇ ଓ ସାଉଦୀ ଆରବ ଭଳି ଦେଶ ପ୍ରମୁଖ ଭୂମିକା ନିର୍ବାହ କରନ୍ତି। ତେବେ ଏହି ସଂକଟ କାଳରେ ସରକାର ଘରୋଇ ଏଲପିଜି ଉତ୍ପାଦନକୁ ଦୈନିକ ୩୫ ହଜାର ଟନରୁ ବଢାଇ ୫୫ ହଜର ଟନ କରିଥିଲେ।

ସିଂହ କହିଛନ୍ତି ଯେ ଏହି ସମୟରେ ଏଲପିଜି ବୁକିଂ ଦୈନିକ ୫୨ଲକ୍ଷରୁ ବଢି ୯୨ ଲକ୍ଷକୁ ପହଞ୍ଚି ଯାଇଥିଲା। ଲୋକେ ଆବଶ୍ୟକତାଠାରୁ ଅଧିକ ବୁକିଂ କରିବା ଓ କଳାବଜାରୀ ଏହାର ମୁଖ୍ୟ କାରଣ ଥିଲା। ଏଣୁ ସରକାର କଳାବଜାରୀ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ। ପେଟ୍ରୋଲିୟମ ମନ୍ତ୍ରୀଙ୍କ ଅନୁସାରେ ସଂକଟ କାଳରେ ସରକାର ସାର୍ବଜନିକ ଓ ଘରୋଇ କ୍ଷେତ୍ରର କମ୍ପାନୀଙ୍କ ସହ ମିଶି କାମ କରିଥିଲେ ଓ ଅତିରିକ୍ତ କନସାଇନମେଣ୍ଚର ବ୍ୟବସ୍ଥା କରାଯିବା ସହ ପୋଟ୍ରୋଲିୟମ ବିପଣନ କମ୍ପାନୀଙ୍କ ସହ ଦୈନିକ ବୈଠକ କରାଯାଇଥିଲା। ଏହାର ପରିଣାଣ ହୋଇଥିଲା ଦେଶର ୧.୦୭ ଲକ୍ଷ ପେଟ୍ରୋଲ ପମ୍ପରୁ କୌଣସିଟିରେ ଇନ୍ଧନ ଶେଷ ହୋଇନଥିଲା। ସେ କହିଛନ୍ତି ଯେ ବୈଶ୍ୱିକ ପଡ଼ାଉଠା ସତ୍ତ୍ୱେ ଦେଶରେ ରୋଷେଇ ଗ୍ୟାସ୍ ଉପଲବ୍ଧ ରହି ପାରିଥିଲା।

ପୁରୀ କହିଛନ୍ତି ଯେ ଭାରତ ଲଗାତାର ତାର ତୈଳ ସୋଧନ କ୍ଷମତାକୁ ବଢାଇବାରେ ଲାଗିଛି। ଦେଶର ଏବେକା ରିଫାଇନିଂ ପରିଚାଳନା କ୍ଷମତା ବାର୍ଷିକ ୨୬.୭ କୋଟି ଟନ ରହିଛି, ଯାହାକୁ ଆଗାମୀ ୨ ବର୍ଷରେ ବଢାଇ ୩୨କୋଟି ଟନ ଓ ଦୀର୍ଘକାଳୀକ ଭାବେ ୪୫ କୋଟି ଟନକୁ ପହଞ୍ଚାଇବାର ଲକ୍ଷ ରହିଛି। ଏହା ଦ୍ୱାରା ବୈଶ୍ୱିକ ତୈଳ ସୋଧନ କେନ୍ଦ୍ର ଭାବେ ଭାରତର ସ୍ଥିତି ଆହୁରି ମଜଭୁତ ହେବ।