ବିଜାପୁର: ସରକାରଙ୍କ ଟାର୍ଗେଟ୍ ଅନୁସାରେ ମାର୍ଚ୍ଚ ୩୧ ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ ୧୨ ଟା ଯାଏଁ ଥିଲା ମାଓ ବାଦୀଙ୍କ ଆତ୍ମସମର୍ପଣର ଶେଷ ସମୟ ସୀମା। ଆଉ ଶେଷ ମୁହୂର୍ତ୍ତରେ ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୫ ଜଣ ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲା SPଙ୍କ ନିକଟରେ ମଙ୍ଗଳବାର ୧୨ ମହିଳା ମାଓବାଦୀଙ୍କ ସମେତ ମୋଟ ୨୫ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଏହା ସହ ଏଲଏମଜି, ଏକେ ୪୭, ଏସଏଲଆର, ଇନସାଶ ଭଳି ୯୩ଟି ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ସେମାନେ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ଉପରେ ୧ କୋଟି ୪୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏହା ପୂର୍ବରୁ ଡେଡଲାଇନର ଶେଷ ଦିନରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିଲେ। 

Also Read:ଡେଡଲାଇନର ଶେଷ ଦିନ, ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ

ସବୁଠାରୁ ବଡ଼ ମାଓ ଡମ୍ପ ଠାବ

ସେହିଭଳି ମାଓବାଦୀ ଇତିହାସରେ ମଙ୍ଗଳବାର ସବୁଠାରୁ ବଡ ମାଓ ଡ଼ମ୍ପ ଠାବ ହୋଇଛି। ଡମ୍ପ ଭିତରୁ ୨ କୋଟି ନଗଦ ଟଙ୍କା ସହ ୭ କେଜି ୨୦ ଗ୍ରାମ ସୁନା ଜବତ ହୋଇଛି। ସୁନାର ବଜାର ମୂଲ୍ୟ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବିଜାପୁର ଏସପି କହିଛନ୍ତି।