ୱାସିଂଟନ : ପୁଣି ଚର୍ଚ୍ଚାରେ ଆମେରିକାର ସଂଘୀୟ ତଦନ୍ତ ବ୍ୟୁରୋ FBI । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋପନୀୟ ଦସ୍ତାବିଜ ସମ୍ପର୍କିତ ତଦନ୍ତରେ କାମ କରିବାରୁ ଚାକିରି ହରାଇଛନ୍ତି FBIର ୯ ଜଣ ପୂର୍ବତନ କର୍ମଚାରୀ। ଏହି ଘଟଣାକୁ ନେଇ ସେମାନେ ମଧ୍ୟ FBI ଏବଂ ଏହାର ନିର୍ଦ୍ଦେଶକ କାଶ ପଟେଲଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ତଦନ୍ତରେ ନିଜର କାର୍ଯ୍ୟ ଦାୟିତ୍ୱ ନିର୍ବାହ କରିବା ପାଇଁ ସେମାନଙ୍କୁ ଦଣ୍ଡିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏହି ମାମଲା ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାର ସ୍ୱାଧୀନତା, କର୍ମଚାରୀଙ୍କ ଅଧିକାର ଏବଂ ରାଜନୈତିକ ପ୍ରଭାବକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି ।

ଅଭିଯୋଗ ଅନୁଯାୟୀ, ଏହି ୯ ଜଣ ପୂର୍ବତନ FBI କର୍ମଚାରୀ ନିଜ ବିଭାଗ ବିରୁଦ୍ଧରେ ମାମଲା ଦାୟର କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡିତ ଗୋପନୀୟ ଦଲିଲର ତଦନ୍ତରେ କାମ କରିଥିବାରୁ ସେମାନଙ୍କୁ ବହିଷ୍କାର କରାଯାଇଛି । ଏହି ମାମଲା ଫ୍ଲୋରିଡାରେ ଟ୍ରମ୍ପଙ୍କ ମାର୍-ଏ-ଲାଗୋ ବାସଭବନରୁ ମିଳିଥିବା ଗୋପନୀୟ ଦଲିଲର ତଦନ୍ତ ସହିତ ଜଡିତ। କର୍ମଚାରୀମାନେ ଟ୍ରମ୍ପଙ୍କ ଗୋପନୀୟ ସରକାରୀ ଦସ୍ତାବିଜ ସମ୍ପର୍କିତ ତଦନ୍ତରେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନେ ଚାକିରି ହରାଇଥିଲେ । ସେମାନେ ତଦନ୍ତରେ ସାମିଲ ହେବା ହିଁ ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବାର କାରଣ ବୋଲି ଅଭିଯୋଗ କରିଛନ୍ତି। ତେବେ କେଉଁ ଆଧାରରେ ସେମାନଙ୍କୁ ଚାକିରିରୁ ବିଦା କରାଗଲା ଏବଂ ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିଲା କି ନାହିଁ, ତାହାକୁ ନେଇ ଏହି ମାମଲା ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ।

ରିପୋର୍ଟ ଅନୁସାରେ, ୨୦୨୬ ଫେବୃଆରୀରେ FBIର ୯ ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସେମାନଙ୍କ ମଧ୍ୟରେ FBI ଏଜେଣ୍ଟ, ଗୁଇନ୍ଦା ବିଶ୍ଳେଷକ ଏବଂ ଅପରେସନ୍ ସମ୍ପର୍କିତ କର୍ମଚାରୀ ରହିଛନ୍ତି। ଏହି ମାମଲାରେ ସେମାନେ ଦାବି କରିଛନ୍ତି ଯେ, କୌଣସି ଆଭ୍ୟନ୍ତରୀଣ ତଦନ୍ତ, ଶୁଣାଣି କିମ୍ବା ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ସେମାନଙ୍କୁ ଚାକିରିରୁ ବିଦା କରାଯାଇଥିଲା। FBI ନିର୍ଦ୍ଦେଶକ କାଶ ପଟେଲ ପୂର୍ବରୁ କହିଥିଲେ ଯେ, କିଛି କର୍ମଚାରୀ FBIକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ। ଅନ୍ୟପଟେ, ମାମଲା ଦାଏର କରିଥିବା ପୂର୍ବତନ କର୍ମଚାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଅଧିକାରୀଙ୍କ ନିର୍ଦ୍ଦେଶରେ ସେମାନେ ଏହି ପେଶାଦାର ଦାୟିତ୍ୱ ତୁଲାଇଥିଲେ ଏବଂ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା।

ତେବେ ଅକ୍ଟୋବର ୧୫ ତାରିଖରେ ୱାଶିଂଟନର ଫେଡେରାଲ୍ କୋର୍ଟରେ ଦାଏର ହୋଇଥିବା ଏହି ମାମଲାରେ ପୂର୍ବତନ କର୍ମଚାରୀଙ୍କ ଚାକିରିରେ ପୁନଃନିଯୁକ୍ତି, ବକେୟା ଦରମା ଏବଂ ବହିଷ୍କାରକୁ ବେଆଇନ ଘୋଷଣା କରିବାକୁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଯଦି ପ୍ରମାଣିତ ହୁଏ, ତେବେ ଏହି ମାମଲା ଆମେରିକାର ସରକାରୀ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟପ୍ରଣାଳୀ ଓ କର୍ମଚାରୀଙ୍କ ଆଇନଗତ ଅଧିକାର ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇପାରେ। ଟ୍ରମ୍ପଙ୍କ ଗୋପନୀୟ ଦସ୍ତାବିଜ ମାମଲାରେ କାର୍ଯ୍ୟ କରିଥିବା FBIର ୯ ପୂର୍ବତନ କର୍ମଚାରୀଙ୍କ ଏହି ଆଇନଗତ ଲଢ଼େଇ ଏବେ ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି।