ହାଇଦ୍ରାବାଦ, ୦୬/୦୪ : ଖରାଦିନେ ଆମ୍ବର ଚାହିଦା ବହୁତ । ଖରା ବଢିଲେ ଆମ୍ବ ପାଚିଥାଏ । ଯାହାକୁ ଖାଇବାକୁ ସମସ୍ତେ ବର୍ଷେ ଧରି ଅପେକ୍ଷା କରି ରହିଥାନ୍ତି । ବର୍ଷର ଅନେକ ସମୟରେ ପାଚିଲା ଆମ୍ବ ମିଳୁଥିଲେ ବି ଖରାଦିନେ ସଜ ଆମ୍ବ ଖାଇବାର ମଜା ଅଲଗା । ଭାରତରେ ଏହାକୁ ଫଳମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଏବେ କଞ୍ଚା ଆମ୍ବକୁ କୃତ୍ରିମ ଉପାୟରେ ପାଚିଲା ଆମ୍ବରେ ପରିବର୍ତ୍ତନ କରୁଛନ୍ତି । ହାଇଦ୍ରାବଦରୁ ଆସିଛି ଏମିତି ଏକ ମାମଲା ।

ରସାୟନ ଦ୍ରବ୍ୟ ଲଗାଇଲେ ପାଚି ଯାଉଛି ଆମ୍ବ

ହାଇଦ୍ରାବାଦରେ ଏବେ ଆମ୍ବର ଚାହିଦା ଅଧିକ ରହିଛି । ତେଣୁ ଅନେକ ଜାଗାରେ କଞ୍ଚା ଆମ୍ବରେ ଏଥିଲିନ୍ ରିପେନର ଲଗାଇ ଏହାକୁ ହଳଦିଆ କରାଯାଉଛି । ଏପରି ପ୍ରାୟ ୨୦୦ କେଜି ଆମ୍ବକୁ ପୋଲିସ ଜବତ କରିଛି ।

ରିପୋର୍ଟ ଅନୁସାରେ, ସୋମବାର ହାଇଦ୍ରାବାଦ ପୋଲିସ ପ୍ରାୟ ୨୦୦ କେଜି ପାଚିଲା ଆମ୍ବ ଜବତ କରିଛି । ଯାହାକୁ କୃତ୍ରିମ ଉପାୟରେ କେମିକାଲ ଦେଇ ପଚାଯାଇଛି । ଏହାସହ ୨୫ ପ୍ୟାକେଟ୍ ଏଥିଲିନ୍ ରିପେନର ଜବତ କରିଛି ପୋଲିସ । ଏହାକୁ ଆହୁରି କଞ୍ଚା ଆମ୍ବରେ ପ୍ରୟୋଗ କରାଯାଇଥାନ୍ତା । ଯାହା ଖାଦ୍ୟ ନିରାପତ୍ତା ଆଇନର ଉଲ୍ଲଙ୍ଘନ କରୁଛି ।

ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିଛି । ଏହାସହ ତଦନ୍ତ ଆରମ୍ଭ କରିଛି । ଠକେଇ ସହ ଜନସ୍ୱାସ୍ଥ୍ୟକୁ ବିପଦରେ ପକାଇବା ଅଭିଯୋଗରେ ତଦନ୍ତ କରାଯାଉଛି । ତେବେ ଗୋଟିଏ ଆମ୍ବ କିମ୍ବା କେଜିଏ ପାଚିଲା ଫଳ ପାଇଁ କେତେ ପରିମାଣର କେମିକାଲ ବ୍ୟବହାର କରାଯାଇ ପାରିବ ସେନେଇ ନିର୍ଦ୍ଦିଷ୍ଟ ନିୟମ ରହିଛି । କିନ୍ତୁ ଜବତ ହୋଇଥିବା ଆମ୍ବରେ ମାତ୍ରାଧିକ କେମିକାଲ ବ୍ୟବହାର ହୋଇଥିଲା । ଏହାସହ ଆମ୍ବ କିଣିବା ବେଳେ ଏହା କେତେ ବିଶୁଦ୍ଧ ସେନେଇ ଯାଞ୍ଚ୍ କରି କିଣିବାକୁ ପୋଲିସ ଜନତାଙ୍କୁ ପରାମର୍ଶ ଦେଇଛି ।

କେମିତି କରିବେ ଯାଞ୍ଚ୍

ଆମ୍ବ କିଣିବା ପୂର୍ବରୁ ଏହାର ରଙ୍ଗକୁ ଯାଞ୍ଚ କରିବା ଆବଶ୍ୟକ । ଯଦି ଏହା ଅଧିକ କମଳା କିମ୍ବା ହଳଦିଆ ଦେଖାଯାଏ ତାହାଲେ ସାବଧାନ ହୋଇଯାଆନ୍ତୁ । କେମିକାଲ ବ୍ୟବହାର ହୋଇଥିଲେ ଏହାର ବାସ୍ନାରେ ପରିବର୍ତ୍ତନ ଆସିଥାଏ । ସେହିପରି କାର୍ବାଇଡ୍ ବ୍ୟବହାର ହୋଇଥିବା ପାଚିଲା ଆମ୍ବ ଅଧିକ ନରମ ହୋଇଥାଏ । ଆହୁରି ମଧ୍ୟ ଆମ୍ବ ଚୋପାରେ କୌଣସି ଚିହ୍ନ କିମ୍ବା ଦାଗ ଥିଲେ ଏଥିରେ କେମିକାଲ ବ୍ୟବହାରର ସମ୍ଭାବନା ଅଧିକ ରହିଥାଏ । ତେଣୁ ଆମ୍ବ କିଣିବା ପୂର୍ବରୁ ଏସବୁ ଦିଗରେ ଧ୍ୟାନ ଦେଲେ ଆପଣ ଠକାମିରେ ପଡିବେ ନାହିଁ ।