ଚେନ୍ନାଇ: କେରଳର ଆଲାପୁଝା ଜିଲ୍ଲାରୁ ଅତ୍ୟନ୍ତ ବିଚଳିତ କରିବା ପରି ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମହିଳା ହସ୍ପିଟାଲରେ ତାଙ୍କର ସପ୍ତମ ସନ୍ତାନକୁ ଜନ୍ମ ଦେଉଥିବା ବେଳେ ତାଙ୍କର ଦୁଇ ବର୍ଷର ପୁଅ ଘରେ ମୃତ୍ୟୁବରଣ କରିଛି । ଆଉ ମୃତ୍ୟୁର କାରଣ ହେଉଛି ଅନାହାର ଏବଂ ରକ୍ତହୀନତା ।

ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ରବିବାର ସକାଳେ କାର୍ତ୍ତିକପାଲ୍ଲୀରେ ଥିବା ଘରେ ମହିଳାଙ୍କ ଦୁଇ ବର୍ଷର ପୁଅକୁ ମୃତ ଅବସ୍ଥାରେ ମିଳିଥିଲେ । ଶିଶୁର ମୃତ୍ୟୁ ସମୟରେ ମହିଳାଙ୍କୁ ଆଲାପୁଝାର ଏକ ସରକାରୀ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା । ସେ ଶନିବାର ରାତିରେ ନିଜର ସପ୍ତମ ସନ୍ତାନକୁ ଜନ୍ମ ଦେଇଥିଲେ ।

ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦୁଇ ବର୍ଷର ଶିଶୁ ପୁତ୍ରଟି କୁପୋଷଣ ଏବଂ ଅନାହାର ଯୋଗୁଁ ମୃତ୍ୟୁବରଣ କରିଛି । ପରେ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ଦି ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ବାଳକର ଓଜନ ମାତ୍ର ୭ କିଲୋଗ୍ରାମ ଥିଲା । ଜଣେ ସାଧାରଣ ଦୁଇ ବର୍ଷର ବାଳକର ଓଜନ ୧୦ରୁ ୧୫ କିଲୋଗ୍ରାମ ମଧ୍ୟରେ ଥାଏ ।

ମୃତ ଶିଶୁଟିର ବାପା ଜଣେ ଅଟୋ ଡ୍ରାଇଭର । ପୁଅର ମୃତ୍ୟୁ ପାଇଁ ସେ ତାଙ୍କ ଆର୍ଥିକ ଅବସ୍ଥାକୁ ଦାୟୀ କରିଛନ୍ତି । ସୋମବାର ଏହି ମାମଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ବାପାମାଆଙ୍କ ଅବହେଳା ଅଭିଯୋଗ ବଢ଼ିବା ସହିତ, ଜିଲ୍ଲା ଶିଶୁ କଲ୍ୟାଣ କମିଟି ଦମ୍ପତିଙ୍କ ଚାରି ଜୀବିତ ପିଲା(ସମସ୍ତେ ଝିଅ)ମାନଙ୍କୁ ନିଜ ହେପାଜତକୁ ନେଇଛି । ରାଜ୍ୟ ଶିଶୁ ଅଧିକାର କମିଶନ ମଧ୍ୟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

କେରଳ ସରକାରଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିନ୍ଦୁ କୃଷ୍ଣ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ବିଭାଗ ପିଲାମାନଙ୍କ ସୁରକ୍ଷା ପାଇଁ ଅନେକ ହସ୍ତକ୍ଷେପ କରିଛି । ସେ କହିଛନ୍ତି "ପିଲାମାନେ ଉପଯୁକ୍ତ ଯତ୍ନ ପାଉ ନଥିବା ଦେଖି, ବିଭାଗର ଅଧିକାରୀମାନେ ସେମାନଙ୍କ ବାପାମାଆଙ୍କ ସହିତ କଥା ହୋଇ ପିଲାମାନଙ୍କୁ ଏକ ଯତ୍ନ ଗୃହକୁ ପଠାଇ ଦେଇଥିଲେ । କିନ୍ତୁ ସେମାନେ ଜବରଦସ୍ତି ପିଲାମାନଙ୍କୁ ସେମାନଙ୍କ ଘରକୁ ଫେରାଇ ଆଣିଥିଲେ ।"

କାର୍ତ୍ତିକପାଲି ପଞ୍ଚାୟତର ସଦସ୍ୟ ସିନି ଅନିଲଙ୍କ ଅନୁଯାୟୀ, କିଛି ବର୍ଷ ପୂର୍ବରୁ ଏହି ଦମ୍ପତିଙ୍କର ଗୋଟିଏ ସନ୍ତାନର ମୃତ୍ୟୁ ହୋଇଥିଲା । ସେ କହିଛନ୍ତି ଯେ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସମନ୍ୱିତ ଶିଶୁ ବିକାଶ ସେବା ଅଧୀନରେ ପରିବାରକୁ ସମସ୍ତ ଆବଶ୍ୟକୀୟ ପୋଷଣ ଯୋଗାଇ ଦିଆଯାଇଥିଲା, କିନ୍ତୁ ସେମାନେ ଅବହେଳା କରୁଥିଲେ । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସମ୍ପ୍ରତି ସେମାନେ ପିଲାମାନଙ୍କୁ ଏକ ଶିଶୁ ଯତ୍ନ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ମାଆ ଆତ୍ମହତ୍ୟା କରିବାକୁ ଧମକ ଦେବା ପରେ, ପିଲାମାନଙ୍କୁ ଫେରାଇବାକୁ ବାଧ୍ୟ ହୋଇଥିଲେ ।