ବିଜୟୱାଡା: ୱାଇଏସଆର କଂଗ୍ରେସ ପାର୍ଟି (ୱାଇଏସଆରସିପି) ରାଜ୍ୟର ୨୨ ନଗର ନିଗମ ଓ ପୌରପାଳିକାର ନିର୍ବାଚନ ସ୍ଥଗିତ କରିବାକୁ ଅଥବା ନୂଆ କରି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି। କଥିତ ରୂପେ ପାର୍ଟିର ପ୍ରାର୍ଥୀଙ୍କୁ ନାମାଙ୍କନ କରିବାକୁ ଦିଆ ନଯିବା କାରଣରୁ ପାର୍ଟି ଏହି ଦାବି କରିଛି। ଏ ନେଇ ୱାଇଏସଆରସିପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଠାଙ୍କୁ ଭେଟି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ, ଧମକ ଓ ନଷ୍ଟ କରାଯାଇଥିବା ପ୍ରାର୍ଥୀ ପତ୍ରର ଭିଡିଓ ପ୍ରମାଣ ଉପସ୍ଥାପନ କରିଛନ୍ତି।

ଏମଏଲସି ତଥା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଲେଲ୍ଲା ଅପି ରେଡ୍ଡୀ, ପୂର୍ବତନ ବିଧାୟକ ଟି.ଜେ.ଆର. ସୁଧାକର ବାବୁ, ନାରାୟଣ ମୂର୍ତ୍ତି ଓ ଅନ୍ୟ ନେତାମାନେ ନିର୍ବାଚନ କମିଶନରଙ୍କୁ ଭେଟି ଏକ ପେନ ଡ୍ରାଇଭରେ ପ୍ରମାଣ ସହିତ ଦାବିପତ୍ର ପ୍ରଦାନ କରିଛନ୍ତି। ପରେ ଅପ୍ପି ରେଡ୍ଡୀ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ ଟିଡିପି କାର୍ଯ୍ୟକର୍ତ୍ତାମାନେ ବିରୋଧୀଙ୍କ ପ୍ରାର୍ଥୀପତ୍ର ଚିରି ଦେଇଛନ୍ତି। ଏଥିରେ ପୋଲିସ ସେମାନଙ୍କୁ ସହଯୋଗ କରିଛି ଏପରିକି କିଛି ସ୍ଥାନରେ ପୋଲିସ ନିଜେ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଛଡାଇ ନେଇଛି। ପାର୍ଟି ଦ୍ୱାରା ଦିଆଯାଉଥିବା ସୂଚନା ଅନୁସାରେ ୱାଇଏସଆରସିପିର ପ୍ରାର୍ଥୀମାନେ ୨୨ ନଗରନିଗମ ଓ ପାଳିକାର ୮୦୯ ୱାର୍ଡ ଓ ମଣ୍ଡଳ ମଧ୍ୟରୁ ମାତ୍ର ୩୨୧ଟିରେ ପ୍ରାର୍ଥୀପତ୍ର ଦାଖଲ କରିପାରିଛନ୍ତି।

ଏଣୁ ୪୮୮ ୱାର୍ଡ ଓ ମଣ୍ଡଳରେ ବିରୋଧୀଦଳ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିପାରିନାହାନ୍ତି। ପ୍ରତିନିଧି ଦଳ ସାଂସଦ ମିଥୁନ ରେଡ୍ଡୀ, ଗୁରୁମୂର୍ତ୍ତୀ ଓ ଅବିନାଶ ରେଡ୍ଡୀଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ନିର୍ବାଚନ କମିସନରଙ୍କ ଆଗରେ ଉଠାଇଛନ୍ତି। ଅପ୍ପି ରେଡ୍ଡୀ ସିସିଟିଭି କ୍ୟାମେରା, ପୋଲିସ ସୁରକ୍ଷା ଓ ପାରଦର୍ଶୀ ନିର୍ବାଚନ ନିମନ୍ତେ ହାଇକୋର୍ଟଙ୍କ ଆଦେଶ ପାଳନ ନିମନ୍ତେ ଦାବି କରିଛନ୍ତି। ସେ କହିଛନ୍ତି ବାରମ୍ବାର ଦାବି ଓ ଅନୁରୋଧ ସତ୍ତ୍ୱେ ଅନେକ କେନ୍ଦ୍ରରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇ ନାହିଁ। ସେ ଦାବି କରିଛନ୍ତି ଯେ ରେକର୍ଡିଂ ସୁରକ୍ଷିତ ରଖିବା ସହିତ ହିଂସାଲାଗି ଦାୟି ଟିଡିପି ନେତାଙ୍କ ବିରୋଧରେ ମୋକଦ୍ଦମା କରାଯାଉ।