ନୂଆଦିଲ୍ଲୀ: ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ବିରୋଧୀ ଦଳ ଏବଂ ସିଜେପି ଦିଲ୍ଲୀରେ ଆନ୍ଦୋଳନ କରି ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି କରୁଛନ୍ତି । ଏହି ଆନ୍ଦୋଳନକୁ ବିଦେଶରୁ ଫଣ୍ଡିଂ ହେଉଛି ଏବଂ ଏପରି କରି ଭାରତରେ ଅରାଜକତା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଶାସକ ବିଜେପି ଦାବି କରୁଛି । ଏହାରି ଭିତରେ ଦେଶର ଗଣତନ୍ତ୍ର ଏବଂ ସାମ୍ୱିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରାଯିବା ଉଦ୍ୟମ ଉପରେ ଚିନ୍ତା ପ୍ରକାଶ ପାଇଛି । ଦୁନିଆର ୨୭ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ୪୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଛାତ୍ର, ବଗେଷକ, ଶିକ୍ଷାବିତ୍ ଏକ ମିଳିତ ବୟାନ ଜାରି କରିଛନ୍ତି । ସ୍ପେୟାର ଇଣ୍ଡିଆ ଫ୍ରମ୍ ଏନାର୍କୀ ଅର୍ଥାତ୍ ଭାରତକୁ ଅରଜାକତାରୁ ରକ୍ଷା କରନ୍ତୁ ଶୀର୍ଷକରେ ଏହି ବୟାନ ଜାରି କରାଯାଇଛି । ଏହି ବୟାନରେ ଗଣତାନ୍ତ୍ରିକ ସଂସ୍ଥାକୁ ଅସ୍ଥିର କରିବା କରିବା ଏବଂ ଏଭଳି ପ୍ରଦର୍ଶନ ମାଧ୍ୟମରେ ସାମ୍ୱିଧାନିକ ବ୍ୟବସ୍ଥାକୁ ଗୌଣ ଦେଖାଇବାର ପ୍ରୟାସକୁ ନିନ୍ଦା କରାଯାଇଛି ।

ଏନଡିଟିଭି ରିପୋର୍ଟ ଅନୁସାରେ ଆମେରିକା, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଆୟର୍ଲାଣ୍ଡ, ଇଟାଲୀ, ସ୍ପେନ, ସ୍ୱିଡେନ, ନରୱେ, ପୋଲାଣ୍ଡ, ରୁଷ, ଦକ୍ଷିଣ କୋରିଆ, ଜାପାନ, ସିଙ୍ଗାପୁର, ମାଲେସିଆ, ଇସ୍ରାଏଲ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ୨୭ଟି ଦେଶରେ କାର୍ଯ୍ୟରତ କିମ୍ବା ଅଧ୍ୟୟନରତ ଭାରତୀୟ ବଂଶୋଦ୍ଭବ ଏହି ମିଳିତ ବୟାନ ଜାରି କରିଛନ୍ତି । ସ୍ୱାକ୍ଷରକାରୀଙ୍କ ମଧ୍ୟରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ, ପ୍ରିନ୍ସଟନ୍, ହାର୍ଭାର୍ଡ, ୟେଲ୍, ଷ୍ଟାନଫୋର୍ଡ, କଲମ୍ବିଆ ବିଶ୍ୱବିଦ୍ୟାଳୟ, ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ, ସିଙ୍ଗାପୁର ନ୍ୟାସନାଲ୍ ୟୁନିଭରସିଟି ଏବଂ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟ ସମେତ ବିଶ୍ୱର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଶିକ୍ଷାବିତ୍ ଅନ୍ତର୍ଭୁକ୍ତ ।

ବୟାନରେ କୁହାଯାଇଛି ଯେ ସ୍ୱାଧୀନତା ପରଠାରୁ ଗତ ସାତ ଦଶନ୍ଧି ଧରି ଭାରତୀୟ ଗଣତନ୍ତ୍ର ବାରମ୍ବାର ତାର ଶକ୍ତି ଏବଂ ସ୍ଥିରତା ପ୍ରମାଣିତ କରିଛି । ସାମ୍ବିଧାନିକ ସଂସ୍ଥାଗୁଡ଼ିକ ବିକଶିତ ହୋଇଛନ୍ତି ଏବଂ ଶାନ୍ତିପୂର୍ଣ୍ଣ କ୍ଷମତା ପରିବର୍ତ୍ତନ ଭାରତୀୟ ଗଣତନ୍ତ୍ରର ଏକ ସ୍ଥାୟୀ ସ୍ତମ୍ଭ ହୋଇଛି । ସାମ୍ପ୍ରତିକ ସମୟରେ କିଛି ମହଲରେ ନିର୍ବାଚନ ଫଳାଫଳକୁ ପ୍ରତ୍ୟାଖ୍ୟାନ କରିବା, ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବାରମ୍ବାର ପ୍ରଶ୍ନ କରିବା ଏବଂ "ସଂସଦ ପରିବର୍ତ୍ତେ ରାସ୍ତା"କୁ ପ୍ରାଥମିକତା ଦେବାର ପ୍ରବୃତ୍ତି ବୃଦ୍ଧି ପାଇଛି । ଆହୁରି କୁହାଯାଇଛି, ଇଚ୍ଛା ବିପରୀତ ନିର୍ବାଚନ ଫଳାଫଳ ପରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଯାଏ । ଯେତେବେଳେ ନ୍ୟାୟପାଳିକାର ନିଷ୍ପତ୍ତି ନିଜକୁ ନସୁହାଏ, ନ୍ୟାୟପାଳିକାର ସ୍ୱାଧୀନତା ଉପରେ ଅନାବଶ୍ୟକ ମନ୍ତବ୍ୟ ଦିଆଯାଏ । ଭାରତୀୟ ସଶସ୍ତ୍ର ବାହିନୀକୁ ମଧ୍ୟ ଅନାବଶ୍ୟକ ଭାବରେ ରାଜନୈତିକ ବିବାଦରେ ଟଣାଯାଉଛି ।

ଶିକ୍ଷାବିତ୍ ଏବଂ ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ବିଚାରାଧୀନ କୋର୍ଟ ମାମଲାଗୁଡ଼ିକୁ ରାଜନୀତିକରଣ କରି ଭାରତୀୟ ଗଣତନ୍ତ୍ର ଉପରେ ସନ୍ଦେହ ସୃଷ୍ଟି କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଉଛି । ଏହି ପ୍ରସଙ୍ଗଗୁଡ଼ିକୁ ନେଇ ସେମାନେ ଓହ୍ଲାଇଥିଲେ ଯେଉଁମାନେ କେବେବି ସାମ୍ବିଧାନିକ ଶାସନରେ ବିଶ୍ୱାସ କରନ୍ତି ନାହିଁ । ଗଣତନ୍ତ୍ରକୁ ବଞ୍ଚାଇବା ନାଁରେ ଏସବୁ କରିବା ଅତ୍ୟନ୍ତ ବିରୋଧାଭାସୀ ଏବଂ ଚିନ୍ତାଜନକ ।