ଭୁବନେଶ୍ଵର: ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ଅନେକ ସମ୍ବେନଶୀଳ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ହୋଇସାରିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ।

ସେ କହିଛନ୍ତି,, ସବୁଠାରୁ ଅଧିକ ନବରଙ୍ଗପୁର ଜିଲ୍ଲାରୁ ୧୧,୨୭୦ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି। ସେହିପରି ଗଜପତିରୁ ୧୧,୦୦୦, ମାଲକାନଗିରିରୁ ୯,୮୫୦, ଗଞ୍ଜାମରୁ ୬,୫୦୦, କୋରାପୁଟରୁ ୫,୦୦୦ ଏବଂ ନୂଆପଡ଼ାରୁ ୧,୬୭୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ।

Also Read: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ‘ଅର୍ଣ୍ଣବ’, ଗୋପାଳପୁରଠାରୁ ୩୮୦ କି.ମି. ଦୂରରେ

ଉଦ୍ଧାର କାର୍ଯ୍ୟ ପାଇଁ ୨୮୧ରୁ ଉର୍ଦ୍ଧ୍ଵ ଟିମ୍ ମୁତୟନ

ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ସମୁଦାୟ ୪୮ଟି ଓଡ୍ରାଫ୍, ୮ଟି ଏନଡିଆରଏଫ ଏବଂ ୨୨୫ଟି ଅଗ୍ନିଶମ ବାହିନୀ ଟିମ୍‌କୁ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ କରାଯାଇଛି। ମଙ୍ଗଳବାର ସକାଳୁ ପାଗରେ ପରିବର୍ତ୍ତନ ହେବା ସହ ଗଞ୍ଜାମ, ପୁରୀ ଏବଂ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳିଆ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି। ସମୟ ବଢ଼ିବା ସହ ବର୍ଷା ଓ ପବନର ପ୍ରଭାବ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଭୂସ୍ଖଳନ ଉପରେ କଡ଼ା ନଜର

ପାହାଡ଼ିଆ ଓ ପାର୍ବତ୍ୟ ଅଞ୍ଚଳଗୁଡ଼ିକରେ ବର୍ଷା ଯୋଗୁଁ ଭୂସ୍ଖଳନ  ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ରାପିଡ୍ ରେସପନ୍ସ ଟିମ୍‌କୁ ସମ୍ପୂର୍ଣ୍ଣ ଆଲର୍ଟ ରଖାଯାଇଛି। "ସବୁ ଜିଲ୍ଲାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଏସଆରସି।

ସେପଟେ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରିଛି ବାତ୍ୟା। ଏହା ବିଶାଖାପାଟଣାଠାରୁ ୨୬୦ କି.ମି. ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୩୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୩୮୦ କି.ମି. ଦକ୍ଷିଣରେ ରହିଛି।