ଭୁବନେଶ୍ବର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ "ସ୍ପେଶାଲ ଡ୍ରାଇଭ୍" ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ୍‌ର ପୋଲିସ ଅଧୀକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି।

ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ୫ ଦିନିଆ ଡ୍ରାଇଭ୍ ଅବଧିରେ ସାରା ରାଜ୍ୟରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି। ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି। ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୪୪୯ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍ (ପୂର୍ବତନ ୧୧୦ ସିଆରପିସି) ଅନୁଯାୟୀ ବୁକ୍ କରାଯାଇଥିବାବେଳେ ୧୨୬ ବିଏନଏସଏସ୍ ଅନୁଯାୟୀ ୬୪୩ ଜଣଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି।