ଚେନ୍ନାଇ: ଜେଲରୁ ଜଣେ କି ଦୁଇ ଜଣ ନୁହେଁ ଏକା ସଙ୍ଗେ ୧୭ ଜଣ କଏଦୀ ଫେରାର ମାରିବା ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଘଟଣା ତାମିଲନାଡୁର ଥେନି ଜିଲ୍ଲା କାରାଗୃହରେ ଘଟିଛି। ଘଟଣାକୁ ନେଇ କ୍ଷୁବ୍ଧ ହେବା ସହ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି। ସରକାର ଜେଲର ଉପଅଧୀକ୍ଷକ ଏନ ରାମଲିଙ୍ଗମଙ୍କୁ ନିଲମ୍ବନ ନୁହେଁ ସିଧାସଳଖ ଚାକିରିରୁ ବରଖାସ୍ତ କରିଛନ୍ତି। ଏହା ସହ ଜେଲର ୧୭ କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। ନିଲମ୍ବିତ କର୍ମଚାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଛନ୍ତି। ରାଜ୍ୟ ସରକାର ଜେଲ୍ ପ୍ରଶାସନିକସ୍ତରରେ ବଦଳି ମଧ୍ୟ କରିଛନ୍ତି।

ଏଏନଆଇ ଅନୁଯାୟୀ, ଏନ ରାମଲିଙ୍ଗମ ୨୦୨୪ ଅଗଷ୍ଟରୁ ଥେନି ଜିଲ୍ଲା କାରାଗୃହରେ କାର୍ଯ୍ୟରତ ଥିଲେ। ଜେଲ୍ ପ୍ରଶାସନ ଏବଂ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣରେ ବେପରୁଆ କାରଣରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରାଜ୍ୟର ସମସ୍ତ କାରାଗୃହ(ଜେଲ୍)ରେ ସୁରକ୍ଷାବ ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ ନିରୀକ୍ଷଣ ବ୍ୟବସ୍ଥା ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଗୁରୁବାର ରାଜ୍ୟ ସରକାର ଜେଲ୍ ଏବଂ ସୁଧାର ସେବାର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡ. ସନ୍ଦୀପ ରାଠୋରଙ୍କୁ ମଧ୍ୟ ବଦଳି କରିଛନ୍ତି।

Also Read: MBA ପଢ଼ିବାକୁ ଲଣ୍ଡନ ଯାଇଥିଲେ, ପୁଣେ ଫ୍ଲାଟରୁ ମିଳିଲା ମୃତଦେହ, ପୋଲିସ ଦେଲା ଚାଞ୍ଚଲ୍ୟକର ତଥ୍ୟ

କେମିତି ଜେଲରୁ ଫେରାର ମାରିଲେ ୧୭ କଏଦୀ ?

ଥେନି ଜିଲ୍ଲା ଜେଲରେ ସୋମବାର ରାତିରେ କଏଦୀମାନେ ଫେରାର ହେବା ପାଇଂ ଯୋଜନା ପ୍ରସ୍ତୁତ କଲେ। ଜେଲ୍ କର୍ମଚାରୀଙ୍କୁ ଭ୍ରମିତ କରିବା ପାଇଁ ଜଣେ କଏଦୀ ହୃଦଘାତ(ହାର୍ଟଆଟାକ୍) ହେବାର ନାଟକ କଲା। କଏଦୀଙ୍କ ସ୍ଵାସ୍ଥ୍ୟ ବିଗିଡ଼ିବା କଥା ଶୁଣି ଜଣେ ସୁରକ୍ଷାକର୍ମୀ ଯେମିତି ବାରାକର ଦ୍ଵାର ଖୋଲି ଭିତରକୁ ପଶିଲେ, କଏଦୀମାନେ ତାଙ୍କ ଉପରେ ହମଲା କରି ତାଙ୍କୁ କାବୁ କରି ନେଇଗଲେ।ପୁଣି ମୁଖ୍ୟ ଗେଟର ଚାବି କବଜା କରି ସବୁ ଫେରାର ମାରିଲେ। ଜେଲରୁ ଖସିବା ମାତ୍ରେ ୧୭ କଏଦୀ ଆଖପାଖ ଜଙ୍ଗଲ ଆଡ଼କୁ ଧାଇଁଥିଲେ।

ଏହା ପରେ କଏଦୀମାନେ ଅରଞ୍ଜାନପୁର ଅଞ୍ଚଳରୁ ବାଇକ ଯୋଗେ ଉଥମାପାଲୟମ ଅଭିମୁଖେ ଯାଇଥିଲେ। ଅଧା ରାସ୍ତା ଉମ୍ମାଚିପୁରମରେ ଅଜଣା ବ୍ୟକ୍ତିଙ୍କଠୁ ଫୋନ ନେଇ ସାଥୀଙ୍କୁ ଯୋଗାଯୋଗ କରିଥିଲେ। ସାଥୀମାନେ ଟଙ୍କା, ପୋଷାକ ଏବଂ ଗାଡ଼ିର ବ୍ୟବସ୍ଥା କରାଇ ଦେଇଥିଲେ।

Also Read: ଭାରତକୁ ମକ୍କା ସାମରିକ ଚୁକ୍ତିର ଭୟ ଦେଖାଇଲା ତୁର୍କୀ: କହିଲା ସମୟ ଆସିଲେ ଶକ୍ତି ଦେଖାଇବୁ !

କଏଦୀଙ୍କୁ ଧରିବା ପାଇଁ ଗଠନ ହେଲା ୧୭ ଟିମ୍

ଫେରାର କଏଦୀଙ୍କ ସନ୍ଧାନ ପାଇଁ ବଡ଼ ସ୍ତରରେ ଅଭିଯାନ ଆରମ୍ଭ ହୋଇଥିଲା। ପୋଲିସ ଅନୁଯାୟୀ, ଏହି ଅପରେସନରେ ଅନେକ ସୁରକ୍ଷା ୟୁନିଟକୁ ନିୟୋଜିତ କରାଯାଇଥିଲା। ପୋଲିସର ସ୍ଵତନ୍ତ୍ର ୧୭ ଟିମ୍ ସର୍ଚ୍ଚ ଅପରେସନରେ ଜୁଟିଥିଲେ। ପାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୟୁନିଟକୁ ମଧ୍ୟ ଅଭିଯାନରେ ସାମିଲ୍ କରାଯାଇଥିଲା। ଏପରିକି ତାମିଲନାଡୁ ସ୍ପେଶାଲ ପୋଲିସର ଚାରି ବାଟାଲିୟନ ମଧ୍ୟ ଅପରେସନରେ ସାମିଲ ଥିଲେ। ଘଞ୍ଚ ଜଙ୍ଗଲରେ ସର୍ଚ୍ଚ ଅପରେସନ ପାଇଁ ଡ୍ରୋନର ବ୍ୟବହାର କରାଯାଇଥିଲା।

ମଙ୍ଗଳବାର ସନ୍ଧ୍ୟାରେ ୫ କଏଦୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା। କଏଦୀଙ୍କୁ ନଭେମ୍ବର ୧୦ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି। ପୁଣି ବୁଧବାର ଅନ୍ୟ ଆଠ କଏଦୀଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା। ସଭିଙ୍କୁ ନଭେମ୍ବର ୧୧ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବାକି ଚାରି କଏଦୀଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା।

ପୋଲିସ କହିଛି ଯେ, ଫେରାର ସମସ୍ତ ୧୭ କଏଦୀଙ୍କୁ ଧରିବାରେ ଆମେ ସଫଳ ହୋଇଛୁ। ଏବେ ସେମାନଙ୍କୁ ରାଜ୍ୟର ଭିନ୍ନ ଭିନ୍ନ ହାଇ ସିକ୍ୟୁରିଟି ଜେଲକୁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି।