ନୂଆଦିଲ୍ଲୀ: MBA ପଢ଼ିବାକୁ ଯାଇଥିଲେ ଲଣ୍ଡନ। ପରିବାର ଭାବୁଥିଲେ ଝିଅ ବିଦେଶରେ ପାଠପଢ଼ା କରୁଛି। ହେଲେ ଅଗଷ୍ଟ ମାସରୁ ସେ ଭାରତ ଫେରି ଆସି ପୁଣେରେ ରହୁଥିଲେ। ଏକଥା ପରିବାରକୁ ଜଣାଇନଥିଲେ। ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରି ଝିଅ ଭାରତରେ ଥିବା ଜାଣିବାକୁ ପାଇଲେ ବାପାମାଆ। ହେଲେ ଖୋଜାଖୋଜି ପରେ ପୁଣେର ଏକ ଭଡ଼ା ଫ୍ଲାଟରୁ ମିଳିଲା ତାଙ୍କ ମୃତଦେହ। ମୃତ ମହିଳା ହେଉଛନ୍ତି ୩୪ ବର୍ଷୀୟା ମୁଗ୍ଧା ଅଭିନାଶ ଦେଶମୁଖ।

ସେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରର ରହୁଥିଲେ। ୨୦୨୫ ଜୁଲାଇରେ MBA ପଢ଼ିବା ପାଇଁ ସେ ଲଣ୍ଡନ ଯାଇଥିଲେ। ପରିବାର ଲୋକଙ୍କ ସହ ଫୋନ୍ ଓ ମେସେଜ୍ ଜରିଆରେ ତାଙ୍କର ନିୟମିତ ଯୋଗାଯୋଗ ରହିଥିଲା। ତେଣୁ ସେ ଲଣ୍ଡନରେ ଥିବା ନେଇ ପରିବାର ନିଶ୍ଚିତ ଥିଲେ।

କିନ୍ତୁ ପୋଲିସର ସୂଚନା ଅନୁସାରେ, ମୁଗ୍ଧା ଚଳିତ ବର୍ଷ ଅଗଷ୍ଟ ମାସରେ ଭାରତ ଫେରି ଆସିଥିଲେ। ଏହାପରେ ପୁଣେରେ ଭଡ଼ା ଫ୍ଲାଟରେ ରହୁଥିଲେ। ହେଲେ ଭାରତ ଫେରିବା କଥା ସେ ନିଜ ପରିବାରକୁ ଜଣାଇନଥିଲେ। ଅକ୍ଟୋବର ୨୪ ତାରିଖରେ ପରିବାର ଲୋକେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନ୍ ସୁଇଚ୍ ଅଫ୍ ରହିଥିଲା। ଏହାପରେ ତାଙ୍କ ବାପା ଅବିନାଶ ଦେଶମୁଖ ଲଣ୍ଡନରେ ରହୁଥିବା ଝିଅର ଜଣେ ସାଙ୍ଗଙ୍କ ସହ ଯୋଗାଯୋଗ କରିଥିଲେ। ସାଙ୍ଗ ଜଣକ ଅକ୍ଟୋବର ୨୨ରେ ଶେଷ ଥର ପାଇଁ ମୁଗ୍ଧାଙ୍କ ସହ ମେସେଜ କଥା ହୋଇଥିବା କହିଥିଲେ। ଏପରିକି ଲଣ୍ଡନ ପୋଲିସକୁ ମଧ୍ୟ ତାଙ୍କ ନିଖୋଜ ସମ୍ପର୍କରେ ଜଣାଇଥିଲେ। ହେଲେ ସେ ଅଗଷ୍ଟ ମାସ ଶେଷ ଆଡ଼କୁ ବ୍ରିଟେନ ଛାଡ଼ିଥିବା ଜଣାପଡ଼ିଥିଲା।

also read- NVS-03 ଉପଗ୍ରହର ସଫଳ ଉତ୍‌କ୍ଷେପଣ, ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦୀ

ଏହାପରେ ପରିବାର ଲୋକେ ଭାରତୀୟ କର୍ତ୍ତୃପକ୍ଷ ଓ ଭାରତୀୟ ହାଇକମିଶନଙ୍କ ସହାୟତା ଲୋଡ଼ିଥିଲେ। ଏହି ସମୟରେ ବାପା ଝିଅର ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରିଥିଲେ। ଅକ୍ଟୋବର ୮ରୁ ୨୫ ମଧ୍ୟରେ ଫୁଡ୍ ଡେଲିଭରି ଓ ଅନ୍ୟ ଅନଲାଇନ୍ ସେବାରେ ଅନେକ କାରବାର ହୋଇଥିବା ଜଣାପଡ଼ିଥିଲା। ଏପରିକି ଛତ୍ରପତି ସମ୍ଭାଜୀନଗରର ଓସମାନପୁରା ଅଞ୍ଚଳରୁ ଗୋଟିଏ କାରବାର ହୋଇଥିବା ସନ୍ଦେହ ହୋଇଥିଲା। ଏହାପରେ ପରିବାର ଲୋକେ ଝିଅ ଭାରତରେ ଥିବା ଅନୁମାନ କରି ଛତ୍ରପତି ସମ୍ଭାଜୀନଗର କ୍ରାଇମବ୍ରାଞ୍ଚର ସହାୟତା ନେଇଥିଲେ।

ପୋଲିସ ତଦନ୍ତ କରି ମୁଗ୍ଧାଙ୍କ ଲୋକେସନ୍ ପୁଣେର ପିମ୍ପରି-ଚିଞ୍ଚୱାଡ୍ ଅନ୍ତର୍ଗତ ଗହୁଞ୍ଜେସ୍ଥିତ ଲୋଢ଼ା ବେଲମୋଣ୍ଡୋ ଆବାସିକ କମ୍ପ୍ଲେକ୍ସରେ ଥିବା ଜାଣିବାକୁ ପାଇଥିଲା। ଏହାପରେ ସ୍ଥାନୀୟ ଶିରଗାଓଁ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଜଣେ ତାଲା ଖୋଲାଳିଙ୍କ ସହାୟତାରେ ଫ୍ଲାଟରେ ପ୍ରବେଶ କରିଥିଲା। ହେଲେ ସେଠାରେ ମୁଗ୍ଧାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସର କହିବା ଅନୁସାରେ, ମୃତଦେହରେ କୌଣସି ଦୃଶ୍ୟମାନ ଆଘାତ ଚିହ୍ନ ନଥିଲା। ପୋଷ୍ଟମର୍ଟମ ପରୀକ୍ଷାରୁ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ।