ଭୁବନେଶ୍ବର: ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ପରିବର୍ତ୍ତନ ହୋଇଛି । ଏଥିପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଅଭିଜ୍ଞ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନେଇ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିଲା। ହେଲେ ବିଡ଼ମ୍ବନାର ବିଷୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ପାଠ୍ୟପୁସ୍ତକରେ ରହିଛି ମାଳମାଳ ଭୁଲ। ଶବ୍ଦର ବନାନଠାରୁ ଆରମ୍ଭ କରି ମହାପୁରୁଷଙ୍କ ନାମ ସବୁଥିରେ ତ୍ରୁଟି ଦେଖିବାକୁ ମିଳିଛି।

ରିପୋର୍ଟ ଅନୁସାରେ, ନୂଆ ବହିରେ ଓଡ଼ିଶା ବିଧାନସଭା ଚିତ୍ର ସ୍ଥାନରେ ‘କର୍ଣ୍ଣାଟକ ବିଧାନସଭା ସ୍ଥାନିତ କରାଯାଇଛି। ‘ଓଡ଼ିଶା’ର ନିୟମଗିରିକୁ ‘ଝାଡ଼ଖଣ୍ଡ’ର ନିୟମଗିରି, ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ସନନ୍ଦା ପଟ୍ଟନାୟକ ବୋଲି ଉଲ୍ଲେଖ କରିଛନ୍ତି। ‘ନୀଳକଣ୍ଠ ଦାସ'ଙ୍କ ନାମକୁ ‘ନୀଳକଣ୍ଠ ଦାଶ’, ହୀରା ବଦଳରେ ସୁନା ବୋଲି ଲେଖାଯାଇଛି। ଡଙ୍ଗରିଆ ଜନଜାତିଙ୍କୁ ‘ଢୋଙ୍ଗାରିଆ’ ଉଲ୍ଲେଖ ହୋଇଛି । ଏମିତିକି ‘ଗଞ୍ଜାମ’ ଜିଲ୍ଲାକୁ ‘ବ୍ରହ୍ମପୁର’ ଜିଲ୍ଲା କରାଯାଇଛି । ଏପରି ୧୬୭୮ଟି ଭୁଲ୍ ଚିହ୍ନଟ ହୋଇଛି ।ସର୍ବାଧିକ ୭୦୫ଟି ଭୁଲ୍ ଅଷ୍ଟମ ଶ୍ରେଣୀରେ ବହିରେ ରହିଛି । ଏହି ସମସ୍ତ ଭୁଲ୍କୁ ଖୋଦ୍ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱୀକାର କରିଛି । ଏହାର ସଂଶୋଧନ ପାଇଁ ତାଲିକା ପ୍ରସ୍ତୁତ କରିଛି ।

Also Read: ଲୋକସେବା ଭବନରେ ବଡ଼ ବୈଠକ, ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ନେଇ ଆଲୋଚନା

ଅନ୍ୟପଟେ ଏହାକୁ ନେଇ ଏବେ ଚିନ୍ତାରେ ଅଭିଭାବକ, ଶିକ୍ଷକ ଏବଂ ଛାତ୍ରଛାତ୍ରୀ। ବହିରେ ଏମିତି ମାଳ ମାଳ ଭୁଲ୍ କିପରି ରହିଲା ବୋଲି ଶିକ୍ଷକ ସଂଘମାନେ ପ୍ରଶ୍ନ ଉଠାଇଛନ୍ତି । ଏମିତିକି ଘରୋଇ ସ୍କୁଲ ଶିକ୍ଷକ ଓ ଅଳ୍ପ କିଛି ସରକାରୀ ସ୍କୁଲର ଶିକ୍ଷକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ସବୁଠୁ ବଡ଼ ପ୍ରଶ୍ନ, ପାଠ୍ୟପୁସ୍ତକ ପ୍ରସ୍ତୁତ ହୋଇ ଛପା ହେବାକୁ ଯିବା ପୂର୍ବରୁ ଏହାର ପ୍ରୁଫ୍ ରିଡିଂ କରାଯାଇନାହିଁ ଲାଗୁଛି । ଏପରିକି ବହି ଛାପିବା ସମୟରେ ଆଗୁଆ କିଛି ବହିକୁ ଆଣି ସମୀକ୍ଷା କରାଯାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଅନ୍ୟପଟେ ପାଠ୍ୟପୁସ୍ତକରେ ଭୁଲ୍ ଥିବା କଥା ଖୋଦ୍ ଏସସିଇଆରଟି ମାନିଛି ସତ କିନ୍ତୁ ହାଲୁକା ଭାବେ ଏହାକୁ ନେଇ କହିଛି, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ହୋଇ ଯାଇଥିବା ବହି କେବଳ ‘ଏକ୍ସପେରିମେଣ୍ଟାଲ୍ ଏଡିସନ୍’ ଭାବେ ଦିଆଯାଇଛି । ଏଥିରେ ସାମାନ୍ୟ ଭୁଲ୍ ସବୁ ରହିଛି ।

Also Read: ୧୧ ଦିନ ଧରି ଦିଲ୍ଲୀରେ ‘ମହାନଦୀ’ ମାନସ ମନ୍ଥନ, ଦୁଇ ରାଜ୍ୟ ତୁଟାଇବେ ବିବାଦ !

ପ୍ରଶ୍ନ ଉଠୁଛି, ମହାପୁରୁଷଙ୍କ ନାମକୁ ଭୁଲ୍ ଲେଖିବା କ’ଣ ସାମାନ୍ୟ ଭୁଲ୍ । ଗଣିତରେ ସଂଖ୍ୟା ଭୁଲ୍ ଲେଖିବା, ନିୟମଗିରିକୁ ଝାଡ଼ଖଣ୍ଡ ରାଜ୍ୟରେ ଲେଖିବା, ଧାନକୁ ଗହମ ଲେଖିବା, କାଚକୁ କପ୍ ଲେଖିବା, ସମୟକୁ ସମସ୍ତ, ପଞ୍ଚଗଙ୍ଗାକୁ ପଚଗଙ୍ଗା, ୨୫୦୦ ବର୍ଷ ପ୍ରାଚୀନ ଜିନିଷକୁ ୫୦୦ ବର୍ଷର ଲେଖିବା କିପରି ସାମାନ୍ୟ ଭୁଲ୍ ହୋଇପାରେ । ହିମାଚଳୀ ଭାଷାକୁ ହିମାଚଳ ଭାଷା, ଆମ୍ବକୁ ଆମ, ଆନ୍ଧ୍ରପ୍ରଦେଶକୁ ଆନ୍ଦ୍ରପ୍ରଦେଶ, ସଦେଇବେରେଣୀକୁ ସଜେଇବେରେଣୀ, ବିଜୟକୁ ବିଷୟ, ଯତ୍ନକୁ ଯନ୍ତ୍ର, ତାପମାତ୍ରାକୁ ଚାପମାତ୍ରା, ପୂର୍ବତନକୁ ପୁର୍ନତନ, ୩୦୦ ଶବ୍ଦକୁ ୩୦୦୦ ଶବ୍ଦ, ଶିଖ୍‌କୁ ଶିଆ, ମୋଗଲକୁ ପୋଗଲ୍, ଡିମ୍ବକୋଷକୁ ଅଡିମ୍ବକୋଷ, ପେନସିଲକୁ ପେନିଲ୍, ବଗକୁ ବାଗ, ଖୁଦୁରୀକୁଣୀ ଓଷାକୁ ଖୁଦରକୁଣୀ ଏମିତି କେତେ ଭୁଲ୍ ଉଲ୍ଲେଖ କରିଛନ୍ତି ।

ସଂଶୋଧନ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ 

ମିଳିଥିବା ସୂଚନା ଅନୁଯାୟୀ, ସର୍ବାଧିକ ଭୁଲ୍ ଅଷ୍ଟମ ଶ୍ରେଣୀର ବହିରେ ହୋଇଛି । ୭୦୫ଟି ଭୁଲ୍ ଥିବା ଚିହ୍ନଟ କରାଯାଇଛି । ସେହିପରି ସପ୍ତମଶ୍ରେଣୀ ବହିରେ ୩୮୭ଟି ଭୁଲ୍ ଚିହ୍ନଟ କରାଯାଇଛି । ଷଷ୍ଠ ଶ୍ରେଣୀ ବହିରେ ୨୮୯ଟି ଭୁଲ୍ ରହିଛି । ପଞ୍ଚମ ଶ୍ରେଣୀରେ ୭୫ଟି ଭୁଲ୍, ଚତୁର୍ଥ ଶ୍ରେଣୀରେ ୧୩୧ଟି ଭୁଲ୍, ତୃତୀୟ ଶ୍ରେଣୀ ବହିରେ ୭୫ଟି ଭୁଲ୍, ଦ୍ୱିତୀୟ ଶ୍ରେଣୀରେ ମାତ୍ର ୨ଟି ବହି ରହିଥିବା ବେଳେ ସେଥିରେ ବି ୧୨ଟି ଭୁଲ୍ ରହିଛି । ତେବେ ଏସବୁ ଭିତରେ ବହିରେ ଥିବା ତ୍ରୁଟିର ସଂଶୋଧନ ପାଇଁ ଗଣଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।