ରାଞ୍ଚି ୨।୪: ମାଆ ସାଜିଲା ପିଶାଚିନୀ । ପୁଅ ପାଇଁ ଜନ୍ମକଲା ଝିଅକୁ ବି ଛାଡ଼ିଲାନି । ତାନ୍ତ୍ରିକ କଥାରେ ପଡ଼ି ଝିଅକୁ ବଳି ଚଢାଇଦେଲା । ପୁଅ ସବୁ ରୋଗରୁ ମୁକ୍ତି ପାଇବା ପାଇଁ ଜଣେ କୁମାରୀ ଝିଅକୁ ବଳି ଦେବାକୁ ପଡିବ ବୋଲି କହିଥିଲା ତାନ୍ତ୍ରିକ । ଅନ୍ୟ କିଛି ଉପାୟ ନପାଇ ନିଜ ଝିଅକୁ ବଳି ଦେଇଦେଲେ ମହିଳା । ଏଭଳି ଘଟଣା ଘଟିଛି ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଅନ୍ତର୍ଗତ କୁସୁମ୍ଭା ଗାଁରେ ।

ପୂରା ଘଟଣା ଥିଲା ଏମିତି

ଝାଡ଼ଖଣ୍ଡ ହଜାରିବାଗ ଜିଲ୍ଲା ଅନ୍ତର୍ଗତ କୁସୁମ୍ଭା ଗାଁର ରେଶମୀ ଦେବୀ ନାମକ ଜଣେ ମହିଳା ତାଙ୍କ ପୁଅର ଚିକିତ୍ସା ପାଇଁ ଗାଁର ଜଣେ ତାନ୍ତ୍ରିକ ନିକଟକୁ ଅନେକ ସମୟରେ ଯାଆନ୍ତି । ମହିଳାଙ୍କ ପୁଅ ମାନସିକ ଏବଂ ଶାରୀରିକ ରୋଗରେ ପୀଡିତ ଥିଲା । ପୁଅକୁ ଭଲ କରିବାକୁ ତାନ୍ତ୍ରିକ ପାଖରେ ମହିଳା ଜଣଙ୍କ ନେହୁରା ମଧ୍ୟ ହୋଇଥିଲେ । ତାନ୍ତ୍ରିକ ତାଙ୍କୁ କହିଥିଲେ, ତାଙ୍କ ପୁଅ ସବୁ ରୋଗରୁ ମୁକ୍ତି ପାଇପାରିବ । ହେଲେ ତାଙ୍କୁ ଜଣେ କୁମାରୀ ଝିଅକୁ ବଳି ଦେବାକୁ ପଡିବ । ଏହାଶୁଣି ମହିଳା ଜଣଙ୍କ ଚିନ୍ତାରେ ପଡ଼ିଯାଇଥିଲେ । କିଛି ଉପାୟ ନପାଇ ନିଜ ଝିଅକୁ ବଳି ଦେବାକୁ ମନସ୍ତ କରିଥିଲେ ।

Also Read:- ଟ୍ରମ୍ପଙ୍କ ବୟାନ ପରେ ଭୁଶୁଡିଲା ବଜାର : ସେୟାର ମାର୍କେଟ୍ କ୍ରାଶ୍, ବଢିଲା ଅଶୋଦ୍ଧିତ ତେଲ ରେଟ୍

​​​​​​​ତାନ୍ତ୍ରିକ ଘରେ ଝିଅକୁ ବଳି

ଗତ ମାସ ୨୪ ତାରିଖ ନବରାତ୍ରିର ଅଷ୍ଟମ ରାତିରେ ଗାଁରେ ରାମ ନବମୀ ଶୋଭାଯାତ୍ରା ଚାଲିଥିଲା । ଗାଁର ସମସ୍ତେ ରାମ ନବମୀ ଉତ୍ସବ ପାଳନ କରିବାରେ ବ୍ୟସ୍ତ ଥିଲେ । ଏହାର ସୁଯୋଗ ନେଇ ମହିଳା ଜଣଙ୍କ ତାନ୍ତ୍ରିକଙ୍କ ଘରକୁ ନିଜ ୧୩ ବର୍ଷୀୟ ଝିଅକୁ ନେଇଯାଇଥିଲେ । ସେଠାରେ ସେମାନେ ଝିଅଟିର ଗଳାକାଟି ଦେଇଥିଲେ । ଝିଅର ମାଆ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏହି କାମ କରିଥିଲେ ।

ମାଆ ସମେତ ୩ ଗିରଫ

ପୋଲିସର ସୂଚନା ଅନୁସାରେ, ତାନ୍ତ୍ରିକ ଝିଅଟିର ଗୁପ୍ତାଙ୍ଗରେ ଏକ କାଠ ବାଡ଼ି ଭର୍ତି କରିଥିଲେ । ସେହି ସମୟରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ରକ୍ତ ବାହାର କରିବା ପାଇଁ ଝିଅଟିର ମୁଣ୍ଡକୁ ପିଟିଦେଇଥିଲେ । ଝିଅକୁ ମାରିବା ପରେ ସେମାନେ ମୃତଦେହକୁ ବଗିଚାରେ ପୋତି ଦେଇଥିଲେ । ଏହି ମାମଲାରେ ପୋଲିସ ଝିଅର ମାଆ ସମେତ ୩ ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତେ ଗୋଟିଏ ଗାଁର । ସେମାନେ ଝିଅର ମାଆ ରେଶମୀ ଦେବୀ, ତାନ୍ତ୍ରିକ ଶାନ୍ତି ଦେବୀ ଏବଂ ଭୀମ ରାମ । ଗିରଫ ତିନି ଜଣ ତଦନ୍ତକୁ ବାଟବଣା କରିବା ପାଇଁ ଝିଅକୁ ଦୁଷ୍କର୍ମ କରାଯାଇଥିବା କହିଥିଲେ । କିନ୍ତୁ ପୋଷ୍ଟମର୍ଟମ ଏବଂ ଫୋରେନସିକ୍ ରିପୋର୍ଟରେ ଏମିତି କିଛି ସ୍ପଷ୍ଟ ହୋଇନାହିଁ । ତେବେ ପୂର୍ବରୁ ଭୀମ ରାମ ନାଁରେ ତାଙ୍କ ଶାଳୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ମଧ୍ୟ ରହିଛି ।