ନୂଆଦିଲ୍ଲୀ,୨୭ /୦୩: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଏବଂ ଅଲ-କାଏଦା ସହ ଲିଙ୍କ୍ । ବନ୍ଧା ହେଲେ ୧୨ ସନ୍ଦିଗ୍ଧ । ଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ଏହି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି ।

ଗିରଫ ସନ୍ଦିଗ୍ଧମାନେ ହେଲେ ଆନ୍ଧ୍ରପ୍ରଦେଶର ମହମ୍ମଦ ରହମତୁଲା ସରିଫ୍, ମିର୍ଜା ସୋହେଲ୍, ମହମ୍ମଦ ଦାନିସ୍, ବିହାରର ସଦାମ ଦିଲଖୁସ ଏବଂ ଅଜମୁଲା ଖାନ, ଦିଲ୍ଲୀର ଲକି ଅହମ୍ମଦ, ପଶ୍ଚିମବଙ୍ଗର ଆସିଫ୍ ଅଲୀ, ରାଜସ୍ଥାନର ଜିସାନ୍, କର୍ଣ୍ଣାଟକର ଅବ୍ଦୁଲ ସକାମ, ମହାରାଷ୍ଟ୍ରର ଶାହରୁଖ ଖାନ, ସିୟାକ ପ୍ୟାଜ୍ ଓ ତେଲେଙ୍ଗାନାର ସାୟିଦା ବେଗମ୍ । ଅନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ପୋଲିସ ମିଳିତ ଟିମ୍ ଏକ ଅପରେସନ କରି ଏମାନଙ୍କୁ ଗିରଫ କରିଛି ।

ଅଭିଯୋଗ ହୋଇଛି ଯେ, ଗିରଫ ବ୍ୟକ୍ତିମାନେ ଅଲକାଏଦା ଏବଂ ଆଇଏସର ଆତଙ୍କବାଦୀଙ୍କ ସହ ବିଭିନ୍ନ ଗେମିଂ ଆପରେ ଯୋଗାଯୋଗରେ ଥିଲେ । ସେମାନଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଆଦାନପ୍ରଦାନ କରିଛନ୍ତି । ଆଇଏସର ଛାମୁଆ ସଙ୍ଗଠନ ବେନେକ୍ସ କମ୍ ସହ ଏମାନେ ଜଡିତ ରହିଥିଲେ ।

ସବୁଠାରୁ ବଡ କଥା ହେଉଛି ଯେ, ଅଭିଯୁକ୍ତମାନେ ନିଜ ସୋସିଆଲ ମିଡିଆରେ ଜାତୀୟ ପତାକାକୁ କାଢି ଆଇଏସ ପତାକା ଅପଲୋଡ୍ କରିଥିଲେ । ଅନେକ ସମୟରେ ସେମାନେ ଜାତୀୟ ପତାକା ପୋଡିଛନ୍ତି । ଏପରିକି ଜାତୀୟ ସଙ୍ଗୀତକୁ କଟାକ୍ଷ କରିଛନ୍ତି । କିଛି ଦିନ ପରେ ସେମାନେ ପାକିସ୍ତାନ ଯାଇଥାନ୍ତେ । ସେଠାରେ ତାଙ୍କୁ ତାଲିମ ପ୍ରଦାନ କରାଯାଇଥାନ୍ତା । ଏହାସହ ଅନ୍ୟ ଯୁବକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରିବା ପାଇଁ ଗିରଫବ୍ୟକ୍ତିମାନେ ଯୋଜନା ପ୍ରସ୍ତୁତ କରୁଥିଲେ ।

ତଦନ୍ତରେ ଖୋଲିଲା ରହସ୍ୟ

ତଦନ୍ତରେ ଜଣା ପଡିଛି ଯେ, ଗିରଫ ହୋଇଥିବା ରହମତୁଲା, ସୋହେଲ୍ ବେଗ୍ ଏବଂ ଦାନିଶ ଅଲ୍ ମଲିକ ନାମରେ ଏକ ଗ୍ରୁପ୍ ତିଆରି କରିଥିଲେ । ଏଠାରେ ଯୁବକଙ୍କୁ ଜିହାଦ ପାଇଁ ପ୍ରସ୍ତୁତ କରାଯାଉଥିଲା । ଅନେକ ସମୟରେ ସେମାନଙ୍କ ସୋସିଆଲ ମିଡିଆରେ ଆତଙ୍କବାଦୀ ମୁଖିଆଙ୍କ ଫଟୋ ଏବଂ ଭିଡିଓ ପୋଷ୍ଟ୍ ହେଉଥିଲା ।