କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ଭୂକମ୍ପ ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ (TMC) ଛାଡ଼ି ନୂଆ ଦଳ 'ନ୍ୟାସନାଲ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ' (NCPI)ରେ ଯୋଗ ଦେଇଥିବା ବିଦ୍ରୋହୀ ନେତାମାନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ପୂର୍ବତନ କ୍ରିକେଟର ତଥା ନେତା ୟୁସୁଫ ପଠାନଙ୍କୁ ନୂତନ ଦଳରେ ପ୍ରମୋସନ ମିଳିବା ସହ ନମ୍ବର ୨ର ପଦ ମିଳିଛି। ତାଙ୍କ ସମେତ TMC ରୁ ଆସିଥିବା ୭ ଜଣ ପ୍ରମୁଖ ନେତାଙ୍କୁ NCPI ଟିମ୍ରେ ଉପସଭାପତି ପଦବୀରେ ନିଯୁକ୍ତି ଦିଆଯାଇଛି।

୨୭ ଜଣିଆ ଟିମ୍ ଘୋଷଣା: କାହାକୁ ମିଳିଲା କେଉଁ ପଦ ?

NCPI ପକ୍ଷରୁ ସମୋଟ ୨୭ ଜଣିଆ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି। ଦଳର ନେତୃତ୍ଵ ଜ୍ୟୋତି ପ୍ରକାଶ ଚାଟାର୍ଜୀ ସମ୍ଭାଳୁଥିବା ବେଳେ TMCରୁ ଓହରି ଆସିଥିବା ନେତାମାନଙ୍କୁ ପ୍ରମୁଖ ସ୍ଥାନ ଦିଆଯାଇଛି। ୟୁସୁଫ ପଠାନଙ୍କ ବ୍ୟତୀତ ଦୀପକ ଅଧିକାରୀ (ଦେବ), ରଚନା ବାନାର୍ଜୀ, ଜଗଦୀଶ ଚନ୍ଦ୍ର ବର୍ମା ବସୁନିଆ, ଅବୁ ତାହେର ଖାନ୍ ଏବଂ ଚନ୍ଦ୍ରିମା ପାଞ୍ଜାଙ୍କୁ ଉପସଭାପତି କରାଯାଇଛି। ତେବେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ସୁଦୀପ ବନ୍ଦୋପାଧ୍ୟାୟ, କାକୋଲି ଘୋଷ ଦସ୍ତିଦାର ଏବଂ ସାୟୋନୀ ଘୋଷଙ୍କ ପରି ବରିଷ୍ଠ ନେତାଙ୍କୁ ଏହି ନୂଆ ଟିମ୍ରେ କୌଣସି ପଦବୀ ମିଳିନାହିଁ।

Also Read: ‘ଖଣି ଆମର, ରାଜସ୍ୱ ଅଧିକାର କାହିଁକି ସଙ୍କୁଚିତ ହେବ?’ MMDRକୁ ନେଇ ବର୍ଷିଲେ ସୁଜାତା

୬ ଜଣଙ୍କୁ ସାଧାରଣ ସମ୍ପାଦକ

ଏହା ବ୍ୟତୀତ ଦଳରେ ୬ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି, ଯେଉଁଥିରେ ଉତ୍ତୀୟ କୁଣ୍ଡୁ, ମିତାଲୀ ବାଗ, ବାପି ହାଲଦାର, ସୁଲେଖା ଭୂନିଆ, ବିବେକ ମିଶ୍ର ଏବଂ ଶୁଭେନ୍ଦୁ ଚକ୍ରବର୍ତ୍ତୀ ସାମିଲ ଅଛନ୍ତି। ସେହିପରି ସ୍ୱରୂପ ଜୈସୱାଲଙ୍କୁ କୋଷାଧ୍ୟକ୍ଷ, ସୁଦାମ ଜେଟ୍ଟୀଙ୍କୁ ସହ-କୋଷାଧ୍ୟକ୍ଷ ଏବଂ ଅନ୍ୟ ୧୨ ଜଣ ନେତାଙ୍କୁ ସମ୍ପାଦକ ପଦବୀ ମିଳିଛି। ଆଗାମୀ ନନ୍ଦୀଗ୍ରାମ ଏବଂ ରେଜିନଗର ଉପନିର୍ବାଚନରେ NCPI ଦଳ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବ ବୋଲି ଘୋଷଣା କରିଛି। ତେବେ ବିଜେପି ସହ କୌଣସି ଆନୁଷ୍ଠାନିକ ନିର୍ବାଚନୀ ମେଣ୍ଟ କିମ୍ବା ଆସନ ବୁଝାମଣା ହୋଇନଥିବା ପଶ୍ଚିମବଙ୍ଗ ବିଜେପି ସ୍ପଷ୍ଟ କରିଛି।

ବାହାରୁ NDAକୁ ସମର୍ଥନ

ସାଂସଦ ସଂଖ୍ୟା ଦୃଷ୍ଟିରୁ NCPI ବର୍ତ୍ତମାନ କେନ୍ଦ୍ରର NDA ମେଣ୍ଟରେ ଦ୍ୱିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଛି। NCPI ନେତା ଅବୁ ତାହେର ଖାନ୍ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ବିଜେପିରେ ସାମିଲ ନହୋଇ ବାହାରୁ NDAକୁ ସମର୍ଥନ ଦେଉଛନ୍ତି। ପଶ୍ଚିମବଙ୍ଗରେ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଦୁଇ ଭାଗ ହୋଇଥିବା ବେଳେ NCPIର ଏହି ନୂଆ ଗଠନ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଦେଇଛି।