ନୂଆଦିଲ୍ଲୀ: ନେପାଳରେ ଆସିଥିବା ଫ୍ଲାସ୍ ଫ୍ଲଡ୍ (ଆକସ୍ମିକ ବନ୍ୟା)କୁ ନେଇ ଏବେ ସୋସିଆଲ ମିଡିଆରେ ଏକ ଚାଞ୍ଚଲ୍ୟକର ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମାସ ପୂର୍ବରୁ ଜଣେ ପାଷ୍ଟରଙ୍କ ଦ୍ୱାରା କରାଯାଇଥିବା ଏକ ଭବିଷ୍ୟବାଣୀ ଏବେ ସତ ପ୍ରମାଣିତ ହୋଇଥିବା ଦାବି କରାଯାଉଛି। ୟୁଟ୍ୟୁବ୍‌ ଚ୍ୟାନେଲ୍ ‘YESHUA GOSPEL MINISTRIES’ରେ ପାଷ୍ଟର ପେରେଜ୍ ନଦୀ ଗତ ଜୁନ୍ ୧୨, ୨୦୨୬ରେ ‘Prophecies for Nepal’ ଶୀର୍ଷକରେ ଏକ ଭିଡିଓ ଅପଲୋଡ୍ କରିଥିଲେ। 

ଏହି ୪ ମିନିଟରୁ ଅଧିକ ସମୟର ଭିଡିଓରେ ସେ ନେପାଳ ପାଇଁ ଭବିଷ୍ୟବାଣୀ କରିଥିଲେ। ସେଥିମଧ୍ୟରୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଥିଲା, ଭିଡିଓର ୧:୨୬ ମିନିଟ୍ ସମୟରେ ସେ କହିଥିଲେ, ‘ମୁଁ ନେପାଳରେ ଭୟଙ୍କର ବନ୍ୟା ଦେଖୁଛି, ଚାରିଆଡ଼େ ଜଳ ମାଡ଼ିଯାଉଛି ଏବଂ  ଲୋକଙ୍କ ଘରଦ୍ୱାର ବୁଡ଼ି ଯାଉଛି। ନେପାଳ ଦେଶ ପାଇଁ ପ୍ରାର୍ଥନା କରନ୍ତୁ।’

ଏହି ଭିଡିଓର ପ୍ରାୟ ଦୁଇ ମାସ ପରେ, ଅଗଷ୍ଟ ୨୬ ତାରିଖରେ ନେପାଳର ଚୀନ୍ ସୀମାନ୍ତବର୍ତ୍ତୀ ରସୁୱା (Rasuwa) ଜିଲ୍ଲାରେ ଏକ ବଡ଼ ଧରଣର ଫ୍ଲାସ ଫ୍ଲଡ ସବୁ କିଛି ଛାରଖାର କରିଦେଇଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧,୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇସାରିଛି ।  ଏଥିସହିତ ପ୍ରାୟ ୪,୫୦୦ ଲୋକ ଏବେ ବି ନିଖୋଜ ଅଛନ୍ତି।

ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ୍ ସର୍ଭେ (USGS)ର ରିପୋର୍ଟ ଅନୁଯାୟୀ, ଘଟଣା ସମୟରେ ସ୍ଥାନୀୟ ଅଞ୍ଚଳରେ ଆଦୌ ବର୍ଷା ହୋଇନଥିଲା, ଯାହାଫଳରେ ସ୍ଥାନୀୟ ଲୋକଙ୍କୁ ସତର୍କ ହେବାକୁ କୌଣସି ସୁଯୋଗ ମିଳିନଥିଲା। ଭିଡିଓରେ ପାଷ୍ଟର କେବଳ ବନ୍ୟା ନୁହେଁ, ବରଂ ନେପାଳରେ ଜଙ୍ଗଲ ନିଆଁ, ୭ କିମ୍ବା ୮ ତୀବ୍ରତାର ଭୂକମ୍ପ, ଭୟଙ୍କର ଥଣ୍ଡା ଏବଂ ରାଜନୈତିକ ସଙ୍କଟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଭିଡିଓଟିର ସତ୍ୟାସତ୍ୟ ନେଇ କୌଣସି ପ୍ରମାଣ ମିଳିନାହିଁ । ମାତ୍ର ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।