ଭୁବନେଶ୍ବର ୨।୮: ରାଜଧାନୀରେ ପୁଣି ଲଭ୍-ସେକ୍ସ-ଧୋକା କେସ୍ । ଷ୍ଟାଫ୍ ନର୍ସଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ । ବାଲିପାଟଣା ଥାନାରେ ଜିରୋ FIR ହେବା ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ଅଞ୍ଚଳର ଭବତୋଷ ମହାନ୍ତି ।

ପୋଲିସର ସୂଚନା ଅନୁଯାୟୀ, ଷ୍ଟାଫ୍ ନର୍ସ ଜଣଙ୍କ ଗତ ୯ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ପୁଅଟିଏ ଅଛି । ସ୍ୱାମୀ ସହ କୌଣସି କଥାକୁ ନେଇ ଝଗଡ଼ା ହେବାରୁ ପୁଅକୁ ଧରି ଭୁବନେଶ୍ୱର ପଳେଇ ଆସିଥିଲେ । ଭୁବନେଶ୍ବରରେ ରହି ଷ୍ଟାଫ୍ ନର୍ସ ଭାବରେ କାମ କରୁଥିଲେ । ଜଣେ ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିବା ବେଳେ ସେଠାରେ ଭବତୋଷ ମହାନ୍ତିଙ୍କ ସହ ପରିଚୟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ବର୍ଷେ ହେବ ଲିଭ୍ ଇନ୍‌ରେ ରହୁଥିଲେ । ଷ୍ଟାଫ୍ ନର୍ସ ଜଣଙ୍କ ଭବତୋଷଙ୍କୁ ବିବାହ କରିବାକୁ କହିବାରୁ, ସେ ନିଜ ଗାଁ ବାଲିପାଟଣାକୁ ପଳାଇ ଯାଇଥିଲେ । ଏମିତି କି ମୋବାଇଲ ନମ୍ବର ଚେଞ୍ଜ କରି ଦେଇଥିଲେ ।

Also Read:- ମହାନଦୀରେ ବନ୍ୟା ଆଶଙ୍କା ଟଳିଲା, ହୀରାକୁଦର ଜଳସ୍ତର କମୁଛି ; ଘାଇ ମରାମତି ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଷ୍ଟାଫ୍ ନର୍ସ ଜଣଙ୍କ ତାଙ୍କ ଘରକୁ ଯାଇ ଭବତୋଷଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ସେଠାରେ ଭବତୋଷଙ୍କ ବାପା, ଭାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ଷ୍ଟାଫ୍ ନର୍ସ ଜଣଙ୍କ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ଘଟଣା ଯେହେତୁ ଓଲ୍ଡ ଟାଉନ୍ ଅଞ୍ଚଳରେ ଘଟିଛି ସେଥିପାଇଁ ଜିରୋ FIR ଗ୍ରହଣ କରି ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।