ଭୁବନେଶ୍ବର ୨।୮: ମହାନଦୀ କିମ୍ବା ଅନ୍ୟ ନଦୀରେ ବନ୍ୟା ଆଶଙ୍କା ନାହିଁ । ସ୍ଥିତି ସମୀକ୍ଷା କରି ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । କେଉଁଥି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସ୍ପଷ୍ଟ କଲେ EIC । ଦୁଇ ଦିନ ତଳେ ହୀରାକୁଦରେ ୬୨୫ ଫୁଟ ପାଣି ଥିଲା। ଏବେ ମୁଣ୍ଡଳୀରେ ପାଣି କମିବାରୁ ହୀରାକୁଦରୁ ପାଣି ଛଡା ଗଲା । ଏବେ ହୀରାକୁଦ ୬୨୩ ଫୁଟ ପାଣି ଅଛି । ଯାହା କମୁଛି । ଅଗଷ୍ଟ ୪ ସୁଦ୍ଧା ଏହା ୬୧୬ ଫୁଟ ହେବ । ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ପାଣି ତଳ ଆଡୁ ପ୍ରବେଶ ହେଉଛି । ଯେବେ ପଶୁଛି, ତା ଠାରୁ ୩ ଗୁଣ ଅଧିକ ନିଷ୍କାସନ ହେଉଛି । ୨୨ ଗେଟ୍ ଜରିଆରେ ପାଣି ବର୍ମୁଲ ପାର କଲାଣି । ଆଜି ସନ୍ଧ୍ୟା ସୁଦ୍ଧା ଏହା ମୁଣ୍ଡଳୀ ଆସିଯିବ । ଆସନ୍ତାକାଲି ସକାଳେ ଏହା କମିବ।

ମହାନଦୀରେ ଆଉ ବନ୍ୟା ନାହିଁ। ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ତଳିଆ ଅଞ୍ଚଳ ପ୍ରଭାବିତ ହୋଇଥିଲା । ଦୁଇ ତୃତୀୟାଂଶ ଅଞ୍ଚଳରୁ ପାଣି ଛାଡ଼ିଲାଣି । ବୈତରଣୀ ନଦୀ ଆଖୁଆପଦା, ଆନନ୍ଦପୁରରେ ବିପଦ ସଂକେତ ତଳେ ଅଛି। ଆଉ ବନ୍ୟା ହେବନି। ଶାଳନ୍ଦୀ ନଦୀ ରାଜଘାଟ ବ୍ରିଜରେ ପାଣି କମିଛି। ସେଠି ବି ବନ୍ୟା ପ୍ରକୋପ କମିଲାଣି। ଜଳକା ନଦୀ ମଥାନୀରେ ସ୍ଥିର ରହିଛି। ସେଠି ଜଳ କମିବାକୁ ସମୟ ଲାଗିବ। ରେଙ୍ଗାଲିର ଗୋଟେ ଗେଟ୍ ଖୋଲା ଅଛି ହେଲେ ବନ୍ୟା ହେବନି।

ଗତକାଲି ମୁଖ୍ୟମନ୍ତ୍ରୀ ବୈଠକ ନେଇଥିଲେ। ଆଉ ଗୋଟେ ବନ୍ୟା ଆସିବା ଆଗରୁ ଘାଇ ମରାମତି ସରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାଜପୁର ଜିଲ୍ଲାରେ ତିନୋଟି ଘାଇ କାମ ଆରମ୍ଭ ହୋଇଛି। ବାକି ସମସ୍ତ ଘାଇ କାମ ଆଜି ସନ୍ଧ୍ୟା ସୁଦ୍ଧା ହେବ। ବୈତରଣୀ ବେସିନରେ ହୋଇଥିବା ଘାଇ ଗୁଡିକ ଆସନ୍ତାକାଲି ଠାରୁ ପାଣି ଛାଡିବା ପରେ ମରାମତି ଆରମ୍ଭ ହେବ। ଜୁନରେ ୪୭% କମ ବର୍ଷା ହୋଇଥିଲା। ହେଲେ ଜୁଲାଇରେ ସ୍ୱାଭାବିକଠାରୁ ୩୮% ଅଧିକ ବର୍ଷା ହୋଇଥିଲା। ଯେଉଁଥି ପାଇଁ ବନ୍ୟା ହେଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସର୍ବାଧିକ ୮୫ ମିଲିମିଟର ବର୍ଷା ହୋଇଛି। ଆସନ୍ତା ଅଗଷ୍ଟ ୪ ପରେ IMDର ଆକଳନ ପରେ ହିଁ ବନ୍ୟା ନେଇ କିଛି କହି ହେବ।