ଆନନ୍ଦପୁର: ଇଂରାଜୀ କ୍ୟାପିଟାଲ୍"ଏ" ଅକ୍ଷର ଥିବା ଟି-ସାର୍ଟ ପିନ୍ଧି ଚୋରୀ କରିଥିଲେ ବାଇକ୍। ଆଉ ସେହି ଟି-ସାର୍ଟ ହିଁ ଚୋର ପାଇଁ କାଳ ହେଲା। ଠିକ୍ ବଲିଉଡ୍‌ର ବ୍ଲକବଷ୍ଟର ସିନେମା `ଧୁମ୍ " ପରି , ସେଠି ନାୟକ ବଡ଼ବଡ଼ ଗାଡ଼ି ଚୋରୀ କରି ଇଂରାଜୀ କ୍ୟାପିଟାଲ "A" ଅକ୍ଷର ର ନିଜ ସିମ୍ବଲ ଛାଡି ଚାଲି ଯାଉଥିଲେ। ହେଲେ ଏଠାକାର ଚୋର ଜଣେ ପେଶାଦାର ବାଇକ୍ ଚୋର। ଆଉ ତାଙ୍କର ମଧ୍ୟ ଇଂରାଜୀ A ଅକ୍ଷର ଭାରି ପସନ୍ଦ। ହେଲେ ସେହି A ଅକ୍ଷର ଏବେ ଚୋରକୁ ଧରାଇ ଦେଇଛି।

ଚୋରି ବାଇକରେ ଚୋରି

ଏଭଳି ଏକ ବାଇକ୍ ଚୋର ଓ ତାର କାରନାମାର ଆଜି ପର୍ଦ୍ଦାଫାସ୍ କରିଛି ଘଷିପୁରା ପୋଲିସ। ଗତକାଲି ରାତିରେ ଶୌଲିଙ୍ଗର ଏକ ଫିଟନେସ୍ ସେଣ୍ଟରରୁ ବାଇକ୍ ଚୋରୀ ହୋଇଥିଲା। ଚୋରୀ ସମ୍ପର୍କରେ ଅଭିଯୋଗ ପାଇ ପୋଲିସ୍ ଆରମ୍ଭ କରିଥିଲା ଯାଞ୍ଚ। ସିସିଟିଭି ଯାଞ୍ଚ ପରେ ହାତୀଶିଳା ଗାଁର ଦୀପକ ରାଉତକୁ ଧରିଥିଲା ପୋଲିସ। ଦୀପକ ଭିନ୍ନ A ଅକ୍ଷର ଥିବା ଟି-ସାର୍ଟ ପିନ୍ଧି ଆସି ବାଇକ୍ ଚୋରୀ କରିଥିବା ଓ ସେ ଯେଉଁ ବାଇକରେ ଆସିଥିଲା ସେ ମଧ୍ୟ ଚୋରା ବାଇକ୍ ଥିଲା ବୋଲି ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।

Also Read: ସରକାରୀ ଅର୍ଥ ହରିଲୁଟ୍, ବନ୍ଧା ହେଲେ ବାପା-ମାଆ, ପୁଅ ସହ କ୍ଲର୍କ

ଏହା ପରେ ପୋଲିସ୍ ଅଧିକ ଖୋଳତାଡ଼ କରି ୩ଟି ବାଇକ୍ ଜବତ କରିବା ସହ ଦୀପକର ସହଯୋଗୀ ରାମଚନ୍ଦ୍ରପୁର ଥାନା ପଥରପଦା ଗାଁର ପପୁନ ପେରେଇକୁ ମଧ୍ୟ ଗିରଫ କରିଛି। ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଏହି ଗ୍ୟାଙ୍ଗରେ ଆଉ ୪ ଜଣଙ୍କ ବିଷୟରେ ପୋଲିସ ସୂଚନା ପାଇଛି। ପୋଲିସ୍ ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ ପାଇଁ ପୋଲିସ୍ ଲାଗି ପଡ଼ିଥିବା କହିଛନ୍ତି ଆନନ୍ଦପୁର ଏସଡିପିଓ।