ଗ୍ୱାଲିୟର : କୁହାଯାଏ, ପ୍ରେମ ଅନ୍ଧ ହୋଇଥାଏ। ପ୍ରେମକୁ ପାଇବା ପାଇଁ ଲୋକମାନେ ଯେକୌଣସି ସୀମା ଡେଇଁପାରନ୍ତି । ଠିକ ଏମିତି ଏକ ନିଆରା ପ୍ରେମ କାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ । ୨୦୨୨ ମସିହାରେ ଝାଡ଼ଖଣ୍ଡର ବାସିନ୍ଦା ପ୍ରୀତିଙ୍କ ସହ ଗ୍ୱାଲିୟରର ଧୀରଜ ଆର୍ଯ୍ୟଙ୍କର ସୋସିଆଲ ମିଡିଆ ଜରିଆରେ ହୋଇଥିଲା ପରିଚୟ । ପରେ ଉଭୟେ ନିଜ ମୋବାଇଲ ନମ୍ବର ଏକ୍ସଚେଞ୍ଜ କରି କଥାବାର୍ତ୍ତା ଆରମ୍ଭ କରିଥିଲେ | ଆଉ କଥା ହେଉ ହେଉ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ। ପ୍ରାୟ ଏକ ବର୍ଷ ଧରି ଫୋନରେ କଥାବାର୍ତ୍ତା ଚାଲିବା ପରେ ପ୍ରୀତିଙ୍କୁ ଭେଟିବା ପାଇଁ ଧୀରଜ ଝାଡ଼ଖଣ୍ଡରେ ପହଞ୍ଚିଥିଲେ ଏବଂ ସେଠାରେ ଉଭୟଙ୍କର ସାକ୍ଷାତ ହୋଇଥିଲା ।

କିନ୍ତୁ ଏହି ପ୍ରେମ କାହାଣୀରେ ପ୍ରୀତିଙ୍କ ପରିବାର ଲୋକେ ବାଧା ସୃଷ୍ଟି କରିଥିଲେ। କିଛି ସମୟ ପାଇଁ ପ୍ରୀତି ଓ ଧୀରଜଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା। ପ୍ରୀତିଙ୍କ ପରିବାର ଲୋକେ ତାଙ୍କଠାରୁ ମୋବାଇଲ ଫୋନ ମଧ୍ୟ ଛଡ଼ାଇ ନେଇଥିଲେ। ପରେ ଧୀରଜ ତାଙ୍କୁ ଆଉ ଏକ ନୂଆ ଫୋନ ଦେଇଥିଲେ। ସେହି ଫୋନ ଜରିଆରେ ଦୁହିଁଙ୍କ ମଧ୍ୟରେ ପୁଣିଥରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କିଛି ଦିନ ପରେ ପ୍ରୀତିଙ୍କ ପରିବାର ଲୋକେ ଏହି କଥା ସମ୍ପର୍କରେ ମଧ୍ୟ ଜାଣିପାରିଥିଲେ। ଏହାପରେ ପରିବାର ଲୋକେ ପ୍ରୀତିଙ୍କ ଉପରେ ଅଧିକ କଟକଣା ଲଗାଇବା ଆରମ୍ଭ କରିଥିଲେ। ଅଭିଯୋଗ ଅନୁସାରେ, ତାଙ୍କ ସହ ମାରପିଟ ମଧ୍ୟ କରାଯାଇଥିଲା।

ଏହାପରେ ପ୍ରୀତି ଗ୍ୱାଲିୟର ଯାଇ ଧୀରଜଙ୍କ ପାଖରେ ପହଞ୍ଚିବାକୁ ନିଷ୍ପତ୍ତି ନେଲେ। କୌଣସି ସୁବିଧା ଓ ପାଖରେ ଫୋନ ନଥିବା ସତ୍ତ୍ୱେ ପ୍ରୀତି ଏକାକୀ ଝାଡ଼ଖଣ୍ଡରୁ ଗ୍ୱାଲିୟର ଅଭିମୁଖେ ଯାତ୍ରା କରିଥିଲେ। ଧୀରଜଙ୍କୁ ଭେଟିବା ପାଇଁ ପ୍ରୀତି ପ୍ରାୟ ୧୦୨୦ କିଲୋମିଟରର ଦୀର୍ଘ ଯାତ୍ରା କରି ଗ୍ୱାଲିୟରରେ ପହଞ୍ଚିଥିଲେ। ଗ୍ୱାଲିୟର ପହଞ୍ଚିବା ପାଇଁ ସେ ୫ଟି ଟ୍ରେନ ବଦଳାଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ତାଙ୍କ ପାଖରେ ମୋବାଇଲ ଫୋନ ନଥିଲେ ମଧ୍ୟ ସେ ଧୀରଜଙ୍କ ଘର ଖୋଜି ବାହାର କରିଥିଲେ। ଏହାପରେ ପ୍ରୀତି ଓ ଧୀରଜ ଆର୍ଯ୍ୟ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଏବେ ପ୍ରୀତି ଓ ଧୀରଜଙ୍କ ଅଭିଯୋଗ ହେଉଛି ଯେ, ପ୍ରୀତିଙ୍କ ପରିବାର ଲୋକେ ଦୁହିଁଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି। ପରିବାର ପକ୍ଷରୁ ମିଳୁଥିବା ଏହି ଧମକ ପରେ ପ୍ରୀତି ଓ ଧୀରଜ ଗ୍ୱାଲିୟର ଏସ୍ପି ଅଫିସରେ ପହଞ୍ଚି ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

Also Read : ଏବେ ଆଉ ୭୦ ନୁହେଁ, ପୁଣି ୪୪/୪୫ ଟଙ୍କାକୁ ଫେରିଲା ଚିନି ଦର

ପ୍ରୀତିଙ୍କ କହିବା ଅନୁସାରେ, “ଆମର ସୋସିଆଲ ମିଡିଆ ଜରିଆରେ ପରିଚୟ ହୋଇଥିଲା। ଧୀରେ ଧୀରେ ଆମେ ଦୁହେଁ ପରସ୍ପରକୁ ପସନ୍ଦ କରିଥିଲୁ। କିନ୍ତୁ ମୋ ପରିବାର ଲୋକେ ମୋର ବିବାହ ଅନ୍ୟ ଜଣେ ଯୁବକଙ୍କ ସହ କରାଇବାକୁ ଚାହୁଁଥିଲେ। ସେଥିପାଇଁ ମୁଁ ଜାମସେଦପୁରରୁ ଗ୍ୱାଲିୟରରେ ଧୀରଜଙ୍କ ଘରକୁ ଆସିଥିଲି । ସେଠାରେ ଆମେ ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଛୁ। କିନ୍ତୁ ଏବେ ମୋ ପରିବାର ଲୋକେ ଗ୍ୱାଲିୟରକୁ ଆସି ଆମ ଦୁହିଁଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି। ସେଥିପାଇଁ ଆମେ ସୁରକ୍ଷା ପାଇଁ ଗୁହାରି କରୁଛୁ।” ତେବେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀରେ ଦୁହିଁଜଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ପ୍ରୀତି ଓ ଧୀରଜଙ୍କ ଅଭିଯୋଗ ଅନୁସାରେ, ସେମାନେ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦର ଧମକ ପାଉଛନ୍ତି ଏବଂ ସେଥିପାଇଁ ପୋଲିସ ପ୍ରଶାସନଙ୍କ ନିକଟରେ ସୁରକ୍ଷା ପାଇଁ ଗୁହାରି କରିଛନ୍ତି।