• କେଜି ପିଛା ଚିନି ଦର ପୁଣି ୪୪-୪୫ଟଙ୍କାକୁ ଫରି ଆସିଛି। ହେଲେ ଏହି ଦର ଏକ୍ସ-ମିଲ ପ୍ରାଇସ୍
  • ହ୍ରାସର ପ୍ରଭାବ ଖୁଚୁରା ବଜାରରେ ସମ୍ପୂର୍ଣ୍ଣ ଦେଖାଯିବାକୁ ଆଉ ହୁଏତ ୧୦ ଦିନ ସମୟ ଲାଗିପାରେ।
  • ​​​​​​​ଦର କମି ଯାଇଥିବାରୁ ଆମଦାନୀର ହୁଏତ ଆଉ ଆବଶ୍ୟକତା ନାହିଁ, ହେଲେବି ପୁଣି ମୂଲ୍ୟ ବୃଦ୍ଧି ଆଶଙ୍କା ଆଉ ଦେଖା ଦେବନି

ନୂଆଦିଲ୍ଲୀ: ଦେଢ ମାସ ପୂର୍ବେ ବଢିଥିବା ଚିନି ଦର ଏବେ ଧିମା ପଡିଯାଇଛି। ଜୁଲାଇ-ଅଗଷ୍ଟରେ କେଜି ପିଛା ୪୪ ଟଙ୍କାରେ ବିକ୍ରି ହେଉଥିବା ଚିନିର ଏକ୍ସ-ମିଲ ପ୍ରାଇସ୍ ଅଚାନକ କେଜିପିଛା ୭୦ ଟଙ୍କାକୁ ପହଞ୍ଚିଥିଲା। ତେବେ ସରକାରଙ୍କ ପଦକ୍ଷେପ, ବଜାରରେ ଜମା ଅତିରିକ୍ତ ଷ୍ଟକ୍ ବାହାର କରିବା ଓ ନୂଆ କ୍ରୟ ଏବେ ଦୁର୍ବଳ ପଡିବା ଯୋଗୁ କେଜି ପିଛା ଚିନି ଦର ପୁଣି ୪୪-୪୫ଟଙ୍କାକୁ ଫରି ଆସିଛି। ହେଲେ ଏହି ଦର ଏକ୍ସ-ମିଲ ପ୍ରାଇସ୍, ଖାଉଟି ବଜାରକୁ ଏହାର ପୁରା ଲାଭ ମିଳିବା ଏବେବି ବାକି ଅଛି ଓ ବଜାରରେ ଏବେବି ଚିନି କେଜି ପିଛା ୬୦-୬୩ ଟଙ୍କା ଦରରେ ବିକ୍ରି ହେଉଛି।

ଏକ୍ସ-ମିଲ ପ୍ରାଇସ୍ ହ୍ରାସର ପ୍ରଭାବ ସର୍ବ ପ୍ରଥମେ ପାଇକାରୀ ବଜାର ଉପରେ ପଡିଥାଏ। ଏଣୁ ତଳକୁ ପ୍ରଭାବ ପହଞ୍ଚିବାକୁ ସମୟ ଲାଗିବ। ମିଲରୁ ବାହାରିବା ପରେ ଚିନି ପ୍ରଥମେ ପାଇକାରୀ ଡିଲର, ବିତରକ ଓ ପରେ ଖୁଚୁରା ଦୋକାନକୁ ପହଞ୍ଚିଥାଏ। ମୂଲ୍ୟ ବୃଦ୍ଧି ବେଳେ ମହଙ୍ଗା ଦରରେ କିଣାଯାଇଥିବା ପୁରୁଣା ଷ୍ଟକ୍ ଏବେବି ବଜାରରେ ଅଛି। ଏଣୁ ବ୍ୟବସାୟୀ ବ୍ୟୟ ଦରରୁ କମରେ ବିକିବା ବଦଳେ ପୁରୁଣା ଦର ଜାରି ରଖିଛନ୍ତି। ଚିନି ଉଦ୍ୟୋଗ ଅନୁସାରେ ଏକ୍ସ-ମିଲ ପ୍ରାଇସରେ ହୋଇଥିବା ହ୍ରାସର ପ୍ରଭାବ ଖୁଚୁରା ବଜାରରେ ସମ୍ପୂର୍ଣ୍ଣ ଦେଖାଯିବାକୁ ଆଉ ହୁଏତ ୧୦ ଦିନ ସମୟ ଲାଗିପାରେ। ଆଗାମୀ କିଛି ଦିନରେ ପାଇକାରୀ ବଜାରରେ ଏହାର ପ୍ରଭାବ ଅନୁଭୂତ ହେବ।

ସେପ୍ଟେମ୍ବର ୫ ତାରିଖ ଦିନ ମହାରାଷ୍ଟ୍ରରେ ଏମ-ଗ୍ରେଡ ଚିନିର ଏକ୍ସ-ମିଲ ପ୍ରାଇସ୍ କ୍ୱିଣ୍ଟଲ ପିଛା ୪,୩୫୦ ଓ କର୍ଣ୍ଣାଟକରେ ୪,୩୮୦ ଟଙ୍କା ଥିଲା। ଦେଶରେ ଚିନିର ଉପଲବ୍ଧତା ନେଇ ଆଶଙ୍କା ସୃଷ୍ଟି ହେବାରୁ ପାଇକାରୀ ଡିଲର ଓ ବ୍ୟବସାୟୀ ଆବଶ୍ୟକତା ଠାରୁ ଅଧିକ ଚିନି କିଣି ରଖିଦେଇଥିଲେ। ଏଣୁ ବଜାରରେ ଉପଲବ୍ଧ ଷ୍ଟକ୍ ହ୍ରାସ ହୋଇଥିଲା ଓ ଦର ଦ୍ରୁତ ବଢିବାକୁ ଲାଗିଥିଲା। ହେଲେ ସରକାରଙ୍କ ହସ୍ତକ୍ଷେପ ପରେ ବଜାର ସଞ୍ଜତ ହୋଇଥିଲା। ସେପ୍ଟେମ୍ବର ୧ ତାରିଖରୁ ଚିନିର ପାଇକାରୀ ଉପଭୋକ୍ତାଙ୍କ ନିମନ୍ତେ ଚିନି ଷ୍ଟକ୍ ୧୫ ଦିନର ଆବଶ୍ୟକତା ମଧ୍ୟରେ ସୀମିତ କରିଦିଆଯାଇଛି। ଏଣୁ ଯେଉଁ ବ୍ୟବସାୟୀଙ୍କ ପାଖରେ ଯେତେ ଅଧିକ ଷ୍ଟକ୍ ଥିଲା ତାକୁ ଖୋଲା ବଜାରକୁ କାଢିବାକୁ ପଡିଥିଲା।

ସେହିପରି ସେପ୍ଚେମ୍ବର ୧୫ ତାରିଖରୁ ଡିଲରଙ୍କ ଲାଗି ଷ୍ଟକ୍ ସୀମା ୪ ହଜାର କ୍ୱିଣ୍ଟଲରୁ ହ୍ରାସ କରି ୨ ହଜାର କ୍ୱିଣ୍ଟଲ କରିଦିଆଯାଉଛି। ଏଣୁ ବହୁମାତ୍ରାରେ ଚିନି ମହଜୁଦ କରିବା ବ୍ୟବସାୟୀଙ୍କୁ ନିଶ୍ଚିତ ଭାରି ପଡିବ। ଏହା ଛଡା ସରକାର ୧୦ଲକ୍ଷ ଟନ କଞ୍ଚାଚିନି ମଧ୍ୟ ଆମଦାନୀ କରୁଛନ୍ତି। ଏବେ ଦର କମି ଯାଇଥିବାରୁ ଆମଦାନୀର ହୁଏତ ଆଉ ଆବଶ୍ୟକତା ନାହିଁ, ହେଲେବି ପୁଣି ମୂଲ୍ୟ ବୃଦ୍ଧି ଆଶଙ୍କା ଆଉ ଦେଖା ଦେବନି। ଏହା ଛଡା ସରକାର ପ୍ରମୁଖ ଆଖୁ ଉତ୍ପାଦନକାରୀ ରାଜ୍ୟଙ୍କୁ ପେଡିବା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।