ପୁରୀ ୩୦।୦୬ : ସୁଇମିଂ ପୁଲ୍ରୁ ମିଳିଲା ମୃତଦେହ । ହୋଟେଲକୁ ଯାଇଥିଲେ ବ୍ୟାଚଲେର ପାର୍ଟି କରିବାକୁ । ହେଲେ ହୋଟେଲରୁ ମିଳିଲା ଯୁବତୀଙ୍କ ମୃତଦେହ । ସୋମବାର ଅପରାହ୍ନରେ ସମୁଦ୍ରକୁଳ ଥାନା ଅଧିନ ଏକ ହୋଟେଲର ସୁଇମିଂ ପୁଲ୍ରୁ ମିଳିଛି ଯୁବତୀଙ୍କ ମୃତଦେହ । ମୃତକ ହେଲେ ଟାଉନ ଥାନା ଅଧୀନ ଗୁଡ଼ିଆ ସାହିର ସୁମିତ୍ରା ମହାପାତ୍ର ଓରଫ ମାମା(୨୮) । ପୋଲିସ ମୃତଦେହକୁ ଜବତ କରି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାଲିସାହିର ରାଜକୁମାର ସାହୁ (୩୩), ସବିତା ବେହେରା ଓ ମାମା ସୋମବାର ସକାଳ ସମୟରେ ହୋଟେଲକୁ ଯାଇ ଏକ ରୁମ୍ ନେଇଥିଲେ । ଅପରାହ୍ଣରେ ସେମାନେ ହୋଟେଲ ପରିସରରେ ଥିବା ସୁଇମିଂପୁଲକୁ ଗାଧୋଇବା ପାଇଁ ଯାଇଥିଲେ । ୩ ଜଣ ଗାଧୋଉଥିବା ବେଳେ ମାମା ସୁଇମିଂପୁଲର ଗଭୀର ପାଣି ପଟକୁ ଚାଲିଯାଇଥିଲେ । ଯାହାଫଳରେ ସେ ପାଣିରେ ବୁଡ଼ିଯାଇଥିଲେ । ଏହାକୁ ଦେଖି ରାଜକୁମାର ଓ ସବିତା ଚିତ୍କାର କରିଥିଲେ । ସୁଇମିଂପୁଲ ସିକ୍ୟୁରିଟି ସମେତ କିଛି ଲୋକ ମିଳିତ ଭାବେ ମାମାଙ୍କୁ ପାଣିରୁ ଉଦ୍ଧାର କରି ଉପରକୁ ଆଣିଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ସେତେବଳକୁ ହୋଇସାରିଥିଲା ବହୁ ବିଳମ୍ବ । ମେଡିକାଲରେ ପହଞ୍ଚିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର ।

Also Read:-Vigilance Raid : ବୁର୍ଲା ଭୀମସାର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ

ଅନ୍ୟପଟେ ମୃତ ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣିଛନ୍ତି । ସୁମିତ୍ରା ମହାପାତ୍ର ଏକ ବ୍ୟାଚଲର ପାର୍ଟିରେ ହୋଟେଲକୁ ଡାନ୍ସ କରିବା ପାଇଁ ଯାଇଥିଲେ। ତାଙ୍କ ସହିତ ଆଉ ଜଣେ ଯୁବତୀ ହୋଟେଲକୁ ଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ସୁଇମିଂ ପୁଲ ପାଣିରେ ବୁଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି। ବିଭିନ୍ନ ଦିଗରୁ ଛାନ୍ଭିନ୍ ଚଳାଇଛି ପୋଲିସ। ଆଗକୁ ସାଙ୍ଗରେ ଥିବା ଯୁବକ ଓ ଯୁବତୀଙ୍କୁ ପଚରାଉଚାର କରିବ।