କଣ୍ଟାବାଞ୍ଜି ୧୯।୧୦: ଦଶହରା ଛୁଟି ନେଇ ଟ୍ରେ ନିଜ ଘରକୁ ଫେରୁଥିବା ବେଳେ ଅସୁସ୍ଥ ହୋଇ ଜଣେ ଯୁବ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍‌ର ଆଦିବାସୀପଡ଼ା ବାସିନ୍ଦା ରଜନିଶ ନିଆଲ । ସେ ସମ୍ବଲପୁରରେ ପୋଲିସ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାରବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ରଜନିଶଙ୍କ ବାପା ପୂର୍ବରୁ ପୋଲିସ ବିଭାଗରେ ଚାକିରି କରୁଥିଲେ । ବାପାଙ୍କ ମୃତ୍ୟୁ ପରେ ରଜନିଶଙ୍କୁ ପୋଲିସ ବିଭାଗରେ ଚାକିରି ମିଳିଥିଲା । ସେ ସମ୍ବଲପୁରରେ କାର୍ଯ୍ୟରତ ଥିବାବେଳେ ଦଶହରା ଛୁଟି ନେଇ ନିଜ ଘର ଖରିଆର ରୋଡ୍କୁ ଫେରୁଥିଲେ । ଏଥିପାଇଁ ସେ ପୁରୀ-ଦୁର୍ଗ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଯାତ୍ରା କରୁଥିଲେ । ତେବେ ଯାତ୍ରା ସମୟରେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା । ଟ୍ରେନ୍‌ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚିବା ପରେ ଜିଆରପି ପୋଲିସ କର୍ମଚାରୀ ମାନେ ଅସୁସ୍ଥ ରଜନିଶଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଚିକିତ୍ସା କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରଜନିଶଙ୍କ ମୃତ୍ୟୁ ହୋଇଥିଲା ।

Also Read:- ଟଙ୍କା ନେଣଦେଣକୁ ନେଇ ଯୁକ୍ତିତର୍କ, ପରେ ଛୁରୀରେ ଆକ୍ରମଣ; ଚାଲିଗଲା ଯୁବକଙ୍କ ଜୀବନ

ଘଟଣା ସମ୍ପର୍କରେ ରଜନିଶଙ୍କ ପରିବାରବର୍ଗଙ୍କୁ ଖବର ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ଜଣେ ଯୁବ ପୋଲିସ କର୍ମଚାରୀଙ୍କ ଏଭଳି ଅକାଳ ବିୟୋଗ ଅଞ୍ଚଳରେ ଦୁଃଖର ବାତାବରଣ ସୃଷ୍ଟି କରିଛି ।