ଭୁବନ ୩୦।୫: ପ୍ରେମ ଶାସ୍ବତ, ଚିରନ୍ତନ ଓ ଅମର । କିନ୍ତୁ ଆଜିକାଲିର ସୋସିଆଲ ମିଡିଆ ପ୍ରେମର ସଂଜ୍ଞା କିଛି ଭିନ୍ନ । ଏଠାରେ ପ୍ରେମ ତ ହୁଏ ହେଲେ ଶେଷରେ ପ୍ରତାରଣା ମିଳେ । ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏଭଳି ଏକ ପ୍ରେମ କାହାଣୀର ଦୁଃଖଦ ଅନ୍ତ ଦେଖିବାକୁ ମିଳିଛି । ପ୍ରଥମେ ଚାଟିଂ, ପରେ ପ୍ରେମ, ଆଉ ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ । ଶେଷରେ ଯୁବତୀଙ୍କୁ ଧୋକା ଦେଇ କୁଆଡ଼େ ଚାଲିଗଲେ ଯୁବକ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଗ୍ରାମର ଅଭିମନ୍ୟୁ ସାହୁଙ୍କର  ଇନଷ୍ଟାଗ୍ରାମ ଜରିଆରେ ଭୁବନର ଜଣେ ଯୁବତୀଙ୍କ ସହିତ ପରିଚୟ ସୃଷ୍ଟି ହୋଇଥିଲା । ଦୀର୍ଘ ୭ ମାସ ଧରି ଉଭୟଙ୍କ ମଧ୍ୟରେ ଚାଟିଂ ଚାଲିଥିଲା । ପରେ ୨୦୨୪ ମସିହା ଜାଗର ବେଳେ ଦୁହିଁଙ୍କ ମଧ୍ୟରେ ପ୍ରଥମ ଦେଖା ହୋଇଥିଲା । ଭୁବନର ପ୍ରସିଦ୍ଧ ବାବା ବୁଦ୍ଧେଶ୍ବର ପୀଠରେ । ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଭୁବନ ତାରିଣୀ ମନ୍ଦିରରେ ସିନ୍ଦୂର ପିନ୍ଧାଇଥିଲେ । ଯୁବକଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ କରି ଯୁବତୀ ଜଣଙ୍କ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଏହାର କିଛି ଦିନ ପରେ ଯୁବତୀ ଗର୍ଭବତୀ ହୋଇଥିବା ଜଣାପଡ଼ିଥିଲା । ଅଭିଯୋଗ ଅନୁସାରେ, ଯୁବକ ଜଣଙ୍କ ଜୋରଜବରଦସ୍ତି ଭାବେ ଗର୍ଭପାତ କରାଇଥିଲେ ।

Also Read:- ପାକିସ୍ତାନରେ ଓଡ଼ିଶା ଗଞ୍ଜେଇର ଡିମାଣ୍ଡ, NCB ପଞ୍ଝାରେ ଜମ୍ମୁକାଶ୍ମୀରର ୨ ବେପାରୀ

ତା’ପରେ ଯୁବତୀଙ୍କ ସହ ସମ୍ପର୍କ ଛିନ୍ନ କରି ଫୋନ୍ ନମ୍ବରକୁ ବ୍ଲକ୍ କରିଦେଇଥିଲେ । ପରେ ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ ଯେ, ଯୁବକଙ୍କର ଅନ୍ୟ ଜାଗାରେ ବିବାହ ପାଇଁ କଥାବାର୍ତ୍ତା ଚାଲିଛି । ଶେଷରେ ଅନ୍ୟ ଉପାୟ ନପାଇ ନ୍ୟାୟ ପାଇଁ ଯୁବତୀ ଜଣଙ୍କ ଭୁବନ ଥାନାରେ ଅଭିଯୋଗ କରିଛନ୍ତି ।