ଉଦଳା ୧୦/୨: ଚର୍ଚ୍ଚିତ ଟିଭି ସୋ' କୌନ ବନେଗା କରୋଡପତି ହଟ୍ ସିଟ୍‌ରେ ଓଡ଼ିଆ ଝିଅ । KBC ମଞ୍ଚରୁ ୧୨ ଲକ୍ଷ ଟଙ୍କା ଜିତିଛନ୍ତି ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳର ସୋନାଲି ସେଶାଦ୍ରୀ । ବିଗ୍‌ ବି ଅମିତାଭ ବଚ୍ଚନ ସୋନାଲିଙ୍କୁ ୧୬ଟି ପ୍ରଶ୍ନର ପଚାରିଥିଲେ । ସେଥିରୁ ସେ ୧୨ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ। ତେବେ ସେ ନିଜଆଡୁ ଆଗକୁ ଯିବାକୁ ମନା କରିଦେଇଥିଲେ। ସେଥିପାଇଁ କେବିସିରୁ ତାଙ୍କୁ ୧୨ ଲକ୍ଷ ଟଙ୍କା ମିଳିଛି । ସୋନାଲି ଡାକ ବିଭାଗରେ ଜିଡିଏସ  ବା ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରନ୍ତି। ପିଲାବେଳୁ କେବିସିରେ ଭାଗ ନେବାକୁ ସେ ସ୍ବପ୍ନ ଦେଖୁଥିଲେ। ଶେଷରେ ଏହା ପୂରା ହୋଇଥିବା କହିଛନ୍ତି ସୋନାଲି । 

ଜାନୁଆରୀ ମାସରେ କେବିସି ପାଇଁ ରେଜିଷ୍ଟ୍ରେସନ କରିଥିଲେ ସୋନାଲି। ମାର୍ଚ୍ଚରେ କ୍ବାଲିଫାଏ ହେବା ପରେ ଜୁନ ମାସରେ କୋଲକାତାରେ ଅଡିସନ ଦେଇଥିଲେ। ଏହାପରେ ସେପ୍ଟେମ୍ବର ୧୭ ତାରିଖରେ କେବିସି ହଟସିଟ୍ରେ ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ସାମ୍ନାରେ ବସିବାର ସୁଯୋଗ ମିଳିଥିଲା। ୩ ଘଣ୍ଟା ଧରି ହୋଇଥିଲା ସୁଟିଂ। ଯେଉଁଥିରେ ସେ ଅମିତାଭ ବଚ୍ଚନଙ୍କ ସହ ଅନେକ ଥଟ୍ଟାମଜ୍ଜା କରିଥିଲେ।

ଏହି କାର୍ଯ୍ୟକ୍ରମ ସମୟରେ ସୋନାଲିଙ୍କ ମାଆ ଉପସ୍ଥିତ ରହି ଝିଅକୁ ସାହସ ଦେଇଥିଲେ । ସ୍ବପ୍ନକୁ ପୂରଣ କରିବା ପାଇଁ ଧୈର୍ଯ୍ୟ ଏବଂ ଅଧ୍ୟବସାୟ ଯେ ଜରୁରୀ ତାହା କରି ଦେଖାଇଛନ୍ତି ସୋନାଲି। ସୋନାଲିଙ୍କ ଏପରି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Also Read:Free Habisyali observance: ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଅକ୍ଟୋବର ୬ରୁ ଅନଲାଇନ୍ ଆବେଦନ