ନୂଆଦିଲ୍ଲୀ: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ସନ୍ନ୍ୟାସ ଘୋଷଣା କରିଛନ୍ତି । ତେବେ ସେ କେବଳ ରେଡ୍ ବଲ୍ (ଲାଲ୍ ବଲ୍) କ୍ରିକେଟରୁ ହିଁ ଅବସର ନେବା କଥା ଘୋଷଣା କରିଛନ୍ତି । ଚହଲ୍ ଭାରତ ପାଇଁ କେବେ ଟେଷ୍ଟ କ୍ରିକେଟ୍ ଖେଳିବାର ସୁଯୋଗ ପାଇନଥିଲେ, କିନ୍ତୁ ଫାର୍ଷ୍ଟ କ୍ଲାସ୍ କ୍ରିକେଟରେ ବେଶ୍ ସକ୍ରିୟ ଥିଲେ । ନିକଟରେ ଲର୍ଡସରେ ଚହଲ ଶେଷ ଥର ପାଇଁ ରେଡ୍ ବଲ୍ କ୍ରିକେଟ୍ ମ୍ୟାଚ୍ ଖେଳୁଥିବା ନଜର ଆସିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟରୁ ସନ୍ନ୍ୟାସ ନେଇ ଚହଲ ଇନଷ୍ଟାଗ୍ରାମରେ ଏକ ଲମ୍ୱା ପୋଷ୍ଟ ଲେଖି ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମ୍ରେ ନିଜର କିଛି ଫଟୋ ସେୟାର କରି ଚହଲ ଲେଖିଛନ୍ତି, "ମୁଁ ପ୍ରଥମେ ଯେଉଁ କ୍ରିକେଟ୍ ବଲ୍ ଧରିଥିଲି, ତାହା ରେଡ୍ ବଲ୍ ଥିଲା । ସେତେବେଳେ ମୋତେ ୧୦ ବର୍ଷ ହୋଇଥିଲା । ଏହି ଖେଳ ପ୍ରତି ମୋର ଭଲପାଇବା ଏତେ ହୋଇଯିବ ବୋଲି ମୋର ଆଦୌ ଧାରଣା ନଥିଲା । ମୋ ପାଇଁ ରେଡ୍-ବଲ୍ କ୍ରିକେଟ୍ କେବଳ ଆଉ ଗୋଟିଏ ଫର୍ମାଟ୍ ନଥିଲା । ଏହିଠାରୁ ହିଁ ମୁଁ ଧୈର୍ଯ୍ୟ, ବ୍ୟକ୍ତିତ୍ୱ, ମଜଭୁତି, ଘଣ୍ଟା ଘଣ୍ଟା ଧରି ପଡ଼ିଆରେ ରହିବା ଏବଂ ପ୍ରତ୍ୟେକ ରନ୍ ଓ ପ୍ରତ୍ୟେକ ୱିକେଟ୍ ପାଇଁ ଲଢ଼ିବାର ପ୍ରକୃତ ଆନନ୍ଦର ଅର୍ଥ ଶିଖିଥିଲି ।"

ସେ ଆହୁରି ଲେଖିଛନ୍ତି, "ମୁଁ ମୋର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଲର୍ଡସରେ ଖେଳିଥିଲି । ଏହି ଶବ୍ଦଗୁଡ଼ିକ କହିବା ବେଶ୍ ଇମୋସନାଲ୍, କାରଣ ଟେଷ୍ଟ କ୍ୟାପ୍ ସଦାସର୍ବଦା ଏକ ସ୍ୱପ୍ନ ଥିଲା, ଯାହାକୁ ମୁଁ ଅନେକ ବର୍ଷ ଧରି ନିଜ ସାଥୀରେ ରଖିଥିଲି । ହୋଇପାରେ ଏହା ପୂରଣ ହୋଇପାରିଲା ନାହିଁ, କିନ୍ତୁ ମୁଁ ମୋର ଏହି ଯାତ୍ରାରେ ସତରେ ଖୁସି ଏବଂ ଏହି ଫର୍ମାଟରେ ମୋତେ ମିଳିଥିବା ପ୍ରତ୍ୟେକ ସୁଯୋଗ ପାଇଁ ଅତ୍ୟନ୍ତ କୃତଜ୍ଞ । ରେଡ୍ ବଲ୍ ମୋତେ ମୋ ଜୀବନର କିଛି ସବୁଠାରୁ ସୁନ୍ଦର ସ୍ମୃତି ଦେଇଛି ଏବଂ କୌଣସି ଜିନିଷ ମୋଠାରୁ ଏହାକୁ କେବେ ବି ଛଡ଼ାଇ ନେଇପାରିବ ନାହିଁ ।"

ୟୁଜବେନ୍ଦ୍ର ଚହଲଙ୍କ ଫାର୍ଷ୍ଟ କ୍ଲାସ୍ କ୍ୟାରିୟର୍

ୟୁଜବେନ୍ଦ୍ର ଚହଲ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୫୦ଟି ମ୍ୟାଚ୍ ମଧ୍ୟ ପୂରଣ କରିପାରିନାହାନ୍ତି । ୪୯ଟି ମ୍ୟାଚ୍ ପରେ ସେ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ ୭୯ଟି ଇନିଂସରେ ସେ ମୋଟ ୧୪୮ଟି ୱିକେଟ୍ ନିଜ ନାମରେ କରିଥିଲେ । ୯୯ ରନ୍ ଦେଇ ୯ଟି ୱିକେଟ୍ ନେବା ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୬ ଥର ୫ଟି ୱିକେଟ୍ ଏବଂ ୮ ଥର ୪ଟି ୱିକେଟ୍ ହାସଲ କରିଥିଲେ । ତାଙ୍କ କ୍ୟାରିୟରରେ ବୋଲିଂ ଆଭରେଜ୍ ୩୨.୨୭ ଏବଂ ଇକୋନୋମି ରେଟ୍ ୩.୧୩ ରହିଥିଲା ।

ଚହଲ ୨୦୦୯ ନଭେମ୍ବର ୩ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିଲେ । ହରିୟାଣା ପକ୍ଷରୁ ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ରଣଜୀ ମ୍ୟାଚ୍ ଖେଳିଥିଲେ । ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ୍ ଇଂଲଣ୍ଡରେ ଖେଳିଥିଲେ । ସେ ନର୍ଥମ୍ପଟନଶାୟାର୍ ପକ୍ଷରୁ ମିଡିଲସେକ୍ସ ବିପକ୍ଷରେ କାଉଣ୍ଟି ମ୍ୟାଚ୍ ଖେଳିଥିଲେ । ଲଣ୍ଡନର ଲର୍ଡସରେ ଏହି ମୁକାବିଲା ଖେଳାଯାଇଥିବା ବେଳେ, ଇନ୍ଦୋରରେ ସେ ନିଜର ପ୍ରଥମ ଫାର୍ଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଥିଲେ ।