ନୂଆଦିଲ୍ଲୀ ୦୨।୧୦; ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ବକ୍ସିଂକୁ ମିଳିଛି ବଡ଼ ସଫଳତା । ଭାରତର ଷ୍ଟାର୍ ବକ୍ସର୍ ଲବ୍ଲିନା ବୋରଗୋହେନ୍ ମହିଳା ୭୫ କିଲୋଗ୍ରାମ ବର୍ଗରେ ଜିତିଛନ୍ତି ସ୍ୱର୍ଣ୍ଣପଦକ। ଫାଇନାଲରେ ଚୀନ୍ର ବାଓ ଜିୟୀଙ୍କୁ ୫-୦ରେ ହରାଇ ଲବ୍ଲିନା ରଚିଛନ୍ତି ଇତିହାସ । ଆଉ ଖାସ୍ କଥା ହେଉଛି ନିଜ ଜନ୍ମଦିନରେ ଲବ୍ଲିନା ଦେଶକୁ ଦେଇଛନ୍ତି ଏହି ‘ଗୋଲ୍ଡେନ୍ ଗିଫ୍ଟ’ ।

ପ୍ରଥମ ଦୁଇଟି ରାଉଣ୍ଡ ପରେ ସେ ଅଳ୍ପ ବ୍ୟବଧାନରେ ଆଗୁଆ ଥିଲେ। ତେବେ ଶେଷ ରାଉଣ୍ଡରେ ତାଙ୍କ ପ୍ରଦର୍ଶନ ଆହୁରି ଦୃଢ଼ ହୋଇଥିଲା। ଫଳରେ ବିଚାରକମାନେ ସର୍ବସମ୍ମତି କ୍ରମେ ୫-୦ରେ ଲବଲିନାଙ୍କୁ ବିଜୟୀ ଘୋଷଣା କରିଥିଲେ। ଲବ୍‌ଲିନାଙ୍କ ପାଇଁ ଏହି ସ୍ୱର୍ଣ୍ଣ ବିଶେଷ ମହତ୍ତ୍ୱ ରଖୁଛି। ୨୦୨୨ ଏସୀୟ କ୍ରୀଡ଼ାରେ ସେ ରୌପ୍ୟପଦକ ଜିତିଥିଲେ। ଚାରି ବର୍ଷ ପରେ ଏଥର ସେ ପଦକର ରଙ୍ଗ ବଦଳାଇ ସ୍ୱର୍ଣ୍ଣ ହାତେଇଛନ୍ତି। ଏହା ସହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ମହିଳା ବକ୍ସରଙ୍କ ତାଲିକାରେ ଲବ୍ଲିନାଙ୍କ ନାଁ ଯୋଡ଼ି ହୋଇଛି।

ଏହି ସଫଳତା ପରେ ଲବ୍‌ଲିନାଙ୍କୁ ମେରୀ କମଙ୍କ ସହ ମଧ୍ୟ ତୁଳନା କରାଯାଉଛି। ମେରୀ କମ୍‌ଙ୍କ ପରେ ଏସୀୟ କ୍ରୀଡ଼ାରେ ଏଭଳି ସଫଳତା ହାସଲ କରିଥିବା ଦ୍ୱିତୀୟ ଭାରତୀୟ ମହିଳା ବକ୍ସର ଭାବେ ଲବ୍‌ଲିନା ଚର୍ଚ୍ଚାରେ ରହିଛନ୍ତି। ସେପଟେ ଏସୀୟ କ୍ରୀଡ଼ାର ୭୫ ବର୍ଷର ଇତିହାସରେ ପ୍ରଥମ ଥର ଭାରତୀୟ ମହିଳା ରିକର୍ଭ ଦଳ ମଧ୍ୟ ସ୍ୱର୍ଣ୍ଣପଦକ ଜିତି ଇତିହାସ ରଚିଛି। ଲବଲିନାଙ୍କ ସ୍ୱର୍ଣ୍ଣ ସହ ଭାରତର ସ୍ୱର୍ଣ୍ଣପଦକ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ପଦକ ସଂଖ୍ୟା ୬୮ରେ ପହଞ୍ଚିଛି।

ଏହା କେବଳ ଗୋଟିଏ ମ୍ୟାଚ୍ର ବିଜୟ ନୁହେଁ । ଏହା ହେଉଛି ଲବ୍‌ଲିନାଙ୍କ ପରିଶ୍ରମ, ଧୈର୍ଯ୍ୟ ଓ ଲଢ଼େଇର ଫଳ । ଆଉ ସବୁଠାରୁ ସୁନ୍ଦର ସଂଯୋଗ—ଅକ୍ଟୋବର ୨ ହେଉଛି ଲବ୍ଲିନାଙ୍କ ଜନ୍ମଦିନ । ନିଜ ଜନ୍ମଦିନରେ ରିଙ୍ଗରେ ଲଢ଼ି ଦେଶ ପାଇଁ ସ୍ୱର୍ଣ୍ଣ ଜିତିବା—ଏହାଠାରୁ ବଡ଼ ‘ବର୍ଥଡେ ଗିଫ୍ଟ’ ଆଉ କ’ଣ ହୋଇପାରେ।