ନୂଆଦିଲ୍ଲୀ: ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସଂହ ଧୋନୀ IPL 2026ରେ ନଜର ଆସିବେ । ଆସନ୍ତା ଆଇପିଏଲରେ ଧୋନୀ ଶେଷ ଥର ପାଇଁ ଖେଳିବେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ କ୍ରିକେଟର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସେପଟେ ଧୋନୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାକୁ ଆସୁଥିବା ଯୁବରାଜଙ୍କ ପିତା ଯୋଗରାଜ ସିଂହ ଏଥର ମାହିଙ୍କୁ ସମର୍ଥନ କରିଛନ୍ତି । ଧୋନୀ ସନ୍ନ୍ୟାସ ନିଅନ୍ତୁ ବୋଲି ଦାବି କରୁଥିବା ଲୋକଙ୍କୁ ସମାଲୋଚନା କରିଛନ୍ତି ଯୋଗରାଜ ।

ପୂର୍ବତନ ଭାରତୀୟ କ୍ରିକେଟର ଯୋଗରାଜ ସିଂହ କହିଛନ୍ତି, ଧୋନୀ ଆହୁରି ୧୦ ବର୍ଷ ଖେଳିବା ଆବଶ୍ୟକ । ଧୋନୀ ନିଜର ଫିଟନେସ୍ ସାବ୍ୟସ୍ତ କରିଛନ୍ତି । ଖେଳ ପ୍ରତି ଧୋନୀଙ୍କ ସମର୍ପଣ ଏବଂ ଅନୁଶାସନକୁ ଯୋଗରାଜ ଭୂୟସୀ ପ୍ରଶଂସା କରିଛନ୍ତି ।

Also Read: 'ଦିନେ ଭାରତୀୟ ଦଳର କୋଚ୍ ହେବେ ଧୋନୀ, ସେବେ ମୁଁ ତାଙ୍କୁ ଉତ୍ତର ଦେବି'....କାହିଁକି କହିଲେ ଗମ୍ଭୀର ?

ଇନସାଇଡସ୍ପୋର୍ଟ ସହିତ କଥାବାର୍ତ୍ତା ସମୟରେ ଯୋଗରାଜ ସିଂହ କହିଛନ୍ତି, ‘ସେ (ଧୋନୀ) ଏବେ ବି ଖେଳୁଛନ୍ତି ଏବଂ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଖେଳିବା ଉଚିତ । ସେ ଶୃଙ୍ଖଳା ଏବଂ ସମର୍ପଣ ସହିତ ତାଙ୍କର ଫିଟନେସ ପ୍ରମାଣ କରିଛନ୍ତି। ତାଙ୍କୁ ଅବସର ନେବାକୁ କହିବା ଲୋକ କିଏ ? ଯେପର୍ଯ୍ୟନ୍ତ କ୍ରିକେଟ୍ କଥା ଆସେ, ଧୋନୀଙ୍କୁ ସାଧୁବାଦ ।’ ଯୋଗରାଜ ଅନେକ ଥର ଧୋନିଙ୍କୁ ଖୋଲାଖୋଲି ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି । ଯୁବରାଜ ସିଂହଙ୍କ କ୍ୟାରିଅର ଧୋନୀ ନଷ୍ଟ କରିଥିବା ନେଇ ଯୋଗରାଜ ଅଭିଯୋଗ କରନ୍ତି।

ଅନ୍ୟପଟେ ଧୋନୀ କେବେ କ୍ରିକେଟରୁ ସନ୍ନ୍ୟାସ ନେବେ, ସେନେଇ କାହା ପାଖରେ ଜବାବ ନାହିଁ । ଆଇପିଏଲ ୨୦୨୫ରେ ଧୋନୀ ନିଜର ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ଧୋନୀ ୨୦୨୬ ଆଇପିଏଲ୍ ଖେଳିବେ ବୋଲି ଇସାରା କରିଥିଲେ । ତେଣୁ ଆଇପିଏଲ ୨୦୨୬ରେ ଧୋନୀ ଆଇପିଏଲକୁ ଅଲବିଦା କରପାରନ୍ତି ବୋଲି କୁହାଯାଉଛି । ୪୪ ବର୍ଷୀୟ ଧୋନୀ IPLରେ ସବୁଠାରୁ ବୟସ୍କ ଅନକ୍ୟାପ୍ ଖେଳାଳି ।