ନୂଆଦିଲ୍ଲୀ, ୧/୧୧ : ଭୟଙ୍କର ଦୁର୍ଘଟଣା । ପଞ୍ଜାବର ଜଳନ୍ଧରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଜନ୍ମଦିନ ପାର୍ଟିରୁ ଘରକୁ ଫେରୁଥିବା ଦୁଇ ଯୁବକ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗାୟକ ହନି ସିଂଙ୍କ ପୁତୁରା ବିଦିଲ ଆଲୋକ ରହିଛନ୍ତି । ସେହିପରି ପଞ୍ଜାବର ଜଣେ ମ୍ୟୁଜିକ୍ କମ୍ପାନୀର ମାଲିକଙ୍କ ପୁଅ ଆରବ ତଲବାର ମଧ୍ୟ ଜୀବନ ହାରିଛନ୍ତି ।

ରିପୋର୍ଟ ଅନୁସାରେ, ଜଳନ୍ଧରର ପୋଲିସ ଲାଇନ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଠାକାର ଏକ ରାସ୍ତାରେ ବିଦିତ ଏବଂ ଆରବ ନିଜ କାରରେ ଯାଉଥିବା ବେଳେ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ । ସେମାନେ ଏକ ଜନ୍ମଦିନ ଭୋଜିରୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୂଖୀନ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଚୁରମାର ହୋଇଯାଇଥିଲା । ଘଟଣା ପରେ ହନି ସିଂ ମଧ୍ୟ ଇନଷ୍ଟାଗ୍ରାମରେ ଷ୍ଟୋରୀ ପୋଷ୍ଟ କରିଛନ୍ତି ।

Also Read :- ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ବଦଳିଲେ ଜେଲ୍ ବିଭାଗ ଡିଜି

ବରାଦରୀ ପୋଲିସ ଷ୍ଟେସନ ଆଇଆଇସି ସାହିଲ ଚୌଧରୀ କହିଛନ୍ତି ଯେ, ରବିବାର ଭୋରରୁ ପୋଲିସକୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା । ସେହି ସମୟରେ ନଗର ନିଗମର ସଫେଇ ଗାଡି ସେଠାରେ ଥିଲା । କର୍ମଚାରୀମାନେ ଫ୍ଲାଏ ଓଭର ସଫା କରୁଥିଲେ । ଏତିକି ବେଳେ ଏକ କାର ଟ୍ରାକ୍ଟରକୁ ଧକ୍କା ଦେଇଥିଲା ।

କୁହାଯାଉଛି ଯେ, କାରରେ ୫ ଜଣ ବସିଥିଲେ । ତେବେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ତେବେ ଦୁର୍ଘଟଣାକୁ ନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।