ବଳରାମପୁର: ଉତ୍ତରପ୍ରଦେଶ ରାଜନୀତିରେ ଅଯୋଧ୍ୟା ପୁଣି ଥରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସମାଜବାଦ ପାର୍ଟି ସଭାପତି ଅଖିଳେଶ ଯାଦବ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ତୁତୁ ମେଁ ମେଁ ଏବେ ନିର୍ବାଚନ ଚ୍ୟାଲେଞ୍ଜରେ ପରିଣତ ହୋଇଛି। ଦୁଇ ନେତାଙ୍କ ବୟାନ ଏବେ ରାଜ୍ୟର ରାଜନୀତିକୁ ଉଷ୍ମ କରିଛି। ତେବେ ଏହି ପୁରା ବିବାଦର ପ୍ରାରମ୍ଭ ଅଖିଳେଶଙ୍କ ଅଯୋଧ୍ୟ ଗସ୍ତ କାର୍ଯ୍ୟକ୍ରମରୁ ହୋଇଛି। ସେ ବିଜେପି ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ବଳରାମପୁର ସଭାରେ ଯୋଗୀ ଆଦିତ୍ୟ ନାଥ ଏହାର ଜବାବ ରଖିଛନ୍ତି।

ସପା ନେତା ଅଖିଳେଶ ଯାଦବ ଦୁଇ ଦିନିଆ ଅଯୋଧ୍ୟା ଗସ୍ତରେ ଯାଇଥିଲେ। ସେଠାରେ ସେ ଭାଗବତ କଥାରେ ଯୋଗ ଦେବା ସହ ସନ୍ଥଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ। ଏହା ପରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେପି ଉପରେ ବର୍ଷିଥିଲେ ଓ କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଯଦି ନିଜ ଲୋକପ୍ରିୟତା ଉପରେ ଭରସା ଥାଏ ତେବେ ନିର୍ବାଚନରେ ଅଯୋଧ୍ୟାରୁ ପ୍ରାର୍ଥୀ ହୁଅନ୍ତୁ। ଅଖିଳେଶଙ୍କ ଏହି ଚ୍ୟାଲେଞ୍ଜର ଜବାବ ଯୋଗୀ ଆଦିତ୍ୟନାଥ ବଳରାମପୁର ସଭାରେ ଦେଇଛନ୍ତି।

ଯୋଗୀ କହିଛନ୍ତି ଯେ ଅଯୋଧ୍ୟା ଆମର ପବିତ୍ର ଧାମ, ମୁଁ ରାଜନୀତି ପାଇଁ ନୁହେଁ ବିକାଶ ପାଇଁ ଅଯୋଧ୍ୟା ଯାଏ। ଏହା ପରେ ମୁଖ୍ୟମନ୍ତ୍ରୀ ଅଖିଳେଶଙ୍କୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇ କହିଛନ୍ତି ଯେ ‘ଆସନ୍ତୁ ମୁଁ ଆପଣଙ୍କୁ ଅଫର ଦେଉଛି ଆପଣବି ଅଯୋଧ୍ୟାରୁ ପ୍ରାର୍ଥୀପତ୍ର ଦାଖଲ କରନ୍ତୁ ଓ ମୁଁ ବି, ଥରେ ଭାଗ୍ୟ ପରୀକ୍ଷା କରିନେବା’। ଯୋଗୀ କହିଛନ୍ତି ଯେ ଅଯୋଧ୍ୟା ତାଙ୍କ ଲାଗି ଆସ୍ଥାର ସ୍ଥଳି, ସେ ଏହାକୁ ରାଜନୀତି ସହ ଯୋଡି ଦେଖନ୍ତି ନାହିଁ। ଏହି ଅବସରରେ ଯୋଗୀ ସମାଜବାଦୀ ପାର୍ଟିର ଶାସନ କାଳ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଯୋଗୀ କହିଛନ୍ତି ସପା ସରକାରରେ ଅପରାଧୀ ଟେଲିଫୋନରେ ବ୍ୟବସାୟୀଙ୍କୁ ଧମକ ଦେଉଥିଲେ ଓ ତାଙ୍କ ସମ୍ପତ୍ତି ହଡପ କରିନେଉଥିଲେ। ଏବେକା ସରକାର ଅପରାଧ ଓ ଅରାଜକତା ବଦଳେ ବିକାଶକୁ ପ୍ରୋତ୍ସାହନ ଦେଉଛନ୍ତି। ଅପରପଟେ ଅଖିଳେଶ ଯାଦବ ଅଯୋଧ୍ୟାରେ କହିଥିଲେ ଯଦି ରାଜ୍ୟରେ ସପା ସରକାର ହୁଏ ମହିଳାଙ୍କୁ ବାର୍ଷିକ ୪୦ ହଜର ଟଙ୍କା ପ୍ରୋତ୍ସାହନ ରାଶି ଦେବେ। ସପା ସରକାରରେ କାହାପ୍ରତି ଭେଦଭାବ ରହିବନି ଓ ବିକାଶ ନାମରେ ଲୋକଙ୍କ ଦୋକାନ ଓ ମକାନ ଉଜୁଡା ଯିବନି ବୋଲି ଲୋକଙ୍କୁ ଭରସା ଦେଇଛନ୍ତି।