ନୂଆଦିଲ୍ଲୀ, ୦୬/୦୯ : ୟେମେନରେ ସରକାରୀ ସେନା ଓ ହୁତୀ ବିଦ୍ରୋହୀଙ୍କ ମଧ୍ୟରେ ଗତ ୩ ଦିନ ହେଲା ଜୋରଦାର ସଂଘର୍ଷ ଲାଗି ରହିଛି। ଏଥିରେ ୧୨୯ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୬୬ ଜଣ ସୈନ୍ୟ, ୬୨ ବିଦ୍ରୋହୀ ଓ ଜଣେ ସାଧାରଣ ନାଗରିକ ଅଛନ୍ତି।

ଗତ କିଛି ବର୍ଷ ଭିତରେ ଉଭୟ ପକ୍ଷ ମଧ୍ୟରେ ଏହା ସବୁଠାରୁ ବଡ ସଂଘର୍ଷ ବୋଲି ବିବେଚନା କରାଯାଉଛି। ହୁତୀ ବିଦ୍ରୋହୀମାନେ ଲୋହିତ ସାଗରର ପ୍ରବେଶ ଦ୍ବାର ଭାବେ ପରିଚିତ ବାବ୍ ଅଲ୍-ମଦେବ ପ୍ରଣାଳୀକୁ ନିଜ କବଜାକୁ ନେବା ଲାଗି ପ୍ରୟାସ କରୁଛନ୍ତି। ହୁତୀ ବିଦ୍ରୋହୀମାନେ ତଟବର୍ତ୍ତୀ ଅଞ୍ଚଳରେ ସ୍ଥଳ ଆକ୍ରମଣ କରିବା ସହ ରକେଟ ଓ ଡ୍ରୋନ ମାଡ଼ କରିଛନ୍ତି । ଲୋହିତ ସାଗର କୂଳରେ ଥିବା କେତେକ ଅଞ୍ଚଳକୁ ସେମାନେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

Also Read :-‘ନେତାନ୍ୟାହୁଙ୍କ ସହ ମୋର ପ୍ରେମ ସମ୍ପର୍କ ଥିଲା’: ୧୯୯୩ର ଚର୍ଚ୍ଚିତ ଘଟଣା ଉପରେ ମୁହଁ ଖୋଲିଲେ ରୁଥ୍ ବାର୍

ସେଠାରୁ ସେମାନେ ମୋଖା ବନ୍ଦର ଓ ଲୋହିତ ସାଗର ଦେଇ ଚଳାଚଳ କରୁଥିବା ଜାହାଜ ଉପରେ ନଜର ରଖିପାରିବେ। ଲୋହିତ ସାଗରକୁ ଆଡେନ ଉପକୂଳ ଓ ଭାରତ ମହାସାଗର ସହ ଯୋଡିବାରେ ବାବ ଅଲ୍-ମଦେବ ପ୍ରମୁଖ ସାମୁଦ୍ରିକ ମାର୍ଗ। ଏହାର ଉତ୍ତରରେ ଲୋହିତ ସାଗର ସୁଏଜ କେନାଲ ସହାୟତାରେ ଭୂମଧ୍ୟ ସାଗର ସହ ଯୋଡିହୋଇଛି ।